ବୈଶିଙ୍ଗା: ଦିନକୁଦିନ ମହିଳା କ୍ରିକେଟର କ୍ରେଜ୍ ବଢିଚାଲିଥିବା ବେଳେ ଏଦିଗରେ ମୟୂରଭଞ୍ଜ ଜିଲ୍ଲା ଏକ ମାଇଲଖୁଣ୍ଟ ସ୍ଥାପନ କରିବାରେ ସଫଳ ହୋଇଛି l ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ଆମ୍ବଗଡିଆ ପଞ୍ଚାୟତର ମନ୍ତ୍ରୀଡାହି ଗ୍ରାମର ରମେଶ ମଲ୍ଲିକ ଓ କଳ୍ପନା ସ୍ବାଇଁଙ୍କ କନ୍ୟା ରୋମି ପି. ମଲ୍ଲିକ ୧୫ ବର୍ଷରୁ କମ ଓଡିଶା ମହିଳା କ୍ରିକେଟ ଦଳରେ ସ୍ଥାନ ପାଇ ସମଗ୍ର ନିଜ ଜିଲ୍ଲାକୁ ଗୌରବାନ୍ବିତ କରିବା ସହିତ ମହିଳା କ୍ରିକେଟ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି।
ନିରବଛିନ୍ନ ପ୍ରୟାସ ଓ ନିଷ୍ଠାପର ଉଦ୍ୟମ ପାଇଁ ରୋମିଙ୍କ କ୍ରିକେଟ ପ୍ରତି ଥିବା ଭଲପାଇବା ଓ କ୍ରିକେଟରେ ତାଙ୍କର ଦକ୍ଷତାକୁ ଦେଖି ପରିବାର ପକ୍ଷରୁ ଏନେଇ ଅଧିକ ଉତ୍ସାହିତ କରାଯାଇଥିଲାl କ୍ରିକେଟରେ ରୁଚି ରଖୁଥିବା ରୋମିଙ୍କୁ ଅଧିକ ସୁଯୋଗ ଦେବାକୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଥିଲାl ହୀରାପୁର ହାଇସ୍କୁଲରେ ୮ମ ଶ୍ରେଣୀରେ ପଢୁଥିବା ରୋମିଙ୍କୁ ଏବେ ୧୩ ବର୍ଷ ହୋଇଥିବା ବେଳେ ବର୍ତ୍ତମାନ ବାଲେଶ୍ବର ସହରର ଜଗତ ରଞ୍ଜନ ଦାସଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। ନିକଟରେ କଟକର ବାରବାଟୀ ଷ୍ଟାଡିୟମଠାରେ ହୋଇଥିବା ଚୟନ ପ୍ରତିଯୋଗିତାରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନକରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଭୟ ବଲିଂ ଓ ବ୍ୟାଟିଂ ବିଭାଗରେ ବେଶ ପାରଙ୍ଗମ ତଥା ସିଦ୍ଧହସ୍ତ ରୋମିଙ୍କୁ ବଲିଂ ବିଭାଗ ପାଇଁ ଦଳରେ ସ୍ଥାନ ମିଳିଥିବା ଜଣାଯାଇଛି।
ରୋମିଙ୍କ ସଫଳତା ପାଇଁ ପିତା ରମେଶ ମଲ୍ଲିକ ଓ ମାତା କଳ୍ପନା ସ୍ବାଇଁ ସହ ସମାଜସେବୀ ନନ୍ଦକିଶୋର ମହାନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଏଥିସହିତ ଅଞ୍ଚଳ ପାଇଁ ଗୌରବ ଆଣିଥିବା ରୋମିଙ୍କ ନିକଟକୁ ବିଭିନ୍ନ ମହାଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ଆଗାମୀ ୨୧ରୁ ୨୯ ପର୍ଯ୍ୟନ୍ତ ଛତିଶଗଡ଼ର ରାଜଧାନୀ ରାୟପୁର ଓ ଭିଲାଇଠାରେ ଅନୁଷ୍ଠିତ ହେବାକୁ ଥିବା ଲିଗମ୍ୟାଚରେ ଓଡିଶାଦଳ ତରଫରୁ ସେ ପ୍ରତିନିଧିତ୍ବ କରିବେ। ନଭେମ୍ବର ୨୧ରେ ମଣିପୁର, ୨୩ରେ ମିଜୋରାମ, ୨୫ରେ ଗୁଜୁରାଟ, ୨୭ରେ ବିଦର୍ଭ ଓ ୨୯ରେ ଝାଡଖଣ୍ଡ ସହିତ ଏହି ଲିଗମ୍ୟାଚ ଖେଳାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/19/omvOgirGrBRyv1f6cTDA.jpeg)