ରୋନାଲ୍ଡୋଙ୍କ ୧୦୦ ଗୋଲ୍‌

ନୂଆଦିଲ୍ଲୀ: ନେସନ୍ସ ଲିଗ୍‌ରେ ମଙ୍ଗଳବାର କ୍ରି‌ଷ୍ଟିଆନୋ ରୋନାଲ୍ଡୋଙ୍କ ୧୦୦ତମ ଆନ୍ତର୍ଜାତିକ ଗୋଲ୍‌ ବଳରେ ପର୍ତ୍ତୁଗାଲ ୨-୦ରେ ସ୍ବିଡେନ୍‌କୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ତାଙ୍କୁ ମିଳିଥିବା ଏକ ଫ୍ରି କିକ୍‌କୁ ଗୋଲ୍‌ରେ ପରିଣତ କରିବା ସହ ଇରାନ୍‌ର ଅଲୀ ଦାଇ (୧୦୯ ଗୋଲ୍‌)ଙ୍କ ପଛକୁ ରୋନାଲ୍ଡୋ ଦ୍ବିତୀୟ ସ୍ଥାନରେ ରହିଥିଲେ। ମ୍ୟାଚ୍‌ରେ ଆରମ୍ଭରୁ ରୋନାଲ୍ଡୋ ଆକ୍ରମଣାତ୍ମକ ଖେଳିଥିଲା ବେଳେ ‌ସ୍ବି‌ଡେନ୍‌ ଗୋଲ୍‌ରକ୍ଷକ ରବିନ୍‌ ଓଲସେନ୍‌ଙ୍କୁ ମଧ୍ୟ ଅନେକ କସରତ କରିବାକୁ ପଡ଼ିଥିଲା। ତେବେ ପ୍ରଥମାର୍ଧର କିଛି ସମୟ ପୂର୍ବରୁ ପତ୍ତୁର୍ଗାଲର ଜୋଆଓ‌ ମୌଟିହ୍ନୋଙ୍କୁ ପ୍ରତିପକ୍ଷ ଦଳର ଗୁସ୍ତଭ ଭେନସନ୍‌ ଫାଉଲ ମାରିବାରୁ ତାଙ୍କୁ ଦ୍ବିତୀୟ ହଳଦିଆ କାର୍ଡ ଦିଆଯାଇଥିଲା। ଯାହାଫଳରେ ଏହିଠାରୁ ହିଁ ମ୍ୟାଚ୍‌ର ରୂପ ବଦଳି ଯାଇଥିଲା। ସ୍ବିଡେନ୍‌ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଏହି ଫାଉଲ ବଦଳରେ ପର୍ତ୍ତୁଗାଲକୁ ଫ୍ରି କିକ୍‌ ମିଳି ଯାଇଥିଲା ବେଳେ ରୋନାଲ୍ଡୋ ଏହାକୁ ସହଜରେ ଗୋଲ୍‌ରେ ପରିଣତ କରିପାରିଥିଲେ। ପ୍ରଥମାର୍ଦ୍ଧ ପରେ ସ୍ବିଡେନ୍‌ର ରକ୍ଷଣଭାଗ ସଂଘର୍ଷ କରୁଥି‌ଲା ବେଳେ ଏହାର ଫାଇଦା ନେବାକୁ ଯାଇ ‌ରୋନାଲ୍ଡୋ ତାଙ୍କର ଯାଦୁ ପ୍ରଦର୍ଶନ କରି ୭୩ ମିନିଟ୍‌ରେ ଦ୍ବିତୀୟ ଗୋଲ୍‌ ଦେଇଥିଲେ। ଏହାଫଳରେ ସର୍ବାଧିକ ଗୋଲ୍‌ ସ୍କୋରର ହେବା ପାଇଁ ରୋନାଲ୍ଡୋ ଇରାନ୍‌ର ଦେଇଙ୍କଠୁ ଆଉ ୮ ଗୋଲ୍‌ ଦୂରରେ ରହିଛନ୍ତି। ଏହି ବିଜୟ ଫଳରେ ପର୍ତ୍ତୁଗାଲ ଦୁଇଟି ମ୍ୟାଚ୍‌ ଜିତି ଗ୍ରୁପ୍‌ ୩ର ଶୀର୍ଷରେ ପହଞ୍ଚିଛି। ଫ୍ରାନ୍ସ ଦ୍ବିତୀୟରେ, ସ୍ବିଡେନ୍ ତୃତୀୟ ଓ କ୍ରୋଏସିଆ ଚତୁର୍ଥ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର