ଜେଲ୍‌ରୁ ଛାଡ଼ପାଇଲେ ରୋନାଲ‌ଡିନୋ

ରିଓଡି ଜାନିରୋ : ଜାଲ କାଗଜପତ୍ର ଦେଖାଇ ପାରାଗୁଏରେ ପ୍ରବେଶ କରିଥିବା ଅଭିଯୋଗରେ ଗତ ଏକ ମାସ ହେବ ଜେଲ୍‌ରେ ଅଟକ ଥିବା ବ୍ରାଜିଲର କିଂବଦନ୍ତି ଫୁଟ୍‌ବଲର ରୋନାଲଡିନୋ ଓ ତାଙ୍କ ଭାଇ ବୁଧବାର ଜାମିନ ପାଇଛନ୍ତି। ଉଭୟଙ୍କୁ ପାରାଗୁଏର ଏକ ତଳିଆ କୋର୍ଟ ୧.୬ ନିୟୁତ ଡଲାର ବା ପାଖାପାଖି ୧୧ କୋଟି ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛି। ହେଲେ ପରବର୍ତୀ ରାୟ ପର୍ଯ୍ୟନ୍ତ ରୋନାଲଡିନୋ ଓ ତାଙ୍କ ଭାଇଙ୍କୁ ଏକ ତାରକା ହୋଟେଲରେ ଗୃହବନ୍ଦୀ ଭାବେ ରହିବାକୁ ପଡ଼ିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି। ଦୁଇ ଥର ବିଶ୍ବର ଶ୍ରେଷ୍ଠ ଫୁଟ୍‌ବଲର ପୁରସ୍କାର ଲାଭ କରିଥିବା ରୋନାଲଡିନୋ କରିଥିବା ଏକ ଛୋଟିଆ ଭୁଲ ପାଇଁ ଗତ କିଛି ଦିନ ତଳେ ନିଜ ୪୦ତମ ଜନ୍ମ ଦିବସକୁ ଜେଲରେ ପାଳନ କରିବାକୁ ବାଧ୍ୟ ହୋଇଥିଲେ। ତେବେ କରୋନା ସଂକ୍ରମଣ ଆଶଙ୍କ‌ାରେ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଅଦାଲତ ହୋଟେଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରୋନାଲଡିନୋ ଓ ତାଙ୍କ ଭାଇ ରୋବେର୍ଟୋ ଡି ଆସିସ୍ ମୋରିଆ ଗତ ମାସ ୪ ତାରିଖରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପାରାଗୁଏର ଆସୁନସିଅନ୍ ସହରରେ ପହଞ୍ଚିଥିଲେ। ହେଲେ ଜାଲ ପାର୍ସପୋର୍ଟ ଦେଖାଇ ଦେଶରେ ପ୍ରବେଶ କରିଥିବା ଅଭିଯୋଗରେ ଉଭୟଙ୍କୁ ପାରାଗୁଏ ପୁଲିସ ବିମାନବନ୍ଦରରୁ ଗିରଫ କରି ନେଇଥିଲା। ଏହି ମାମଲାରେ ଅନ୍ୟ ୧୪ ଜଣଙ୍କ ବିରୋଧରେ ମଧ୍ୟ ପୁଲିସ ମାମଲା ଦାୟର କରିଥିଲା। ସେବେଠାରୁ କିନ୍ତୁ ରୋନାଲଡିନୋ ଓ ତାଙ୍କ ଭାଇ ଜେଲରେ ଥିଲେ।

ସୂଚନାଯୋଗ୍ୟ ଯେ ଏକ ପ୍ରାକୃତିକ ହ୍ରଦ ଉପରେ ବିନା ଅନୁମତିରେ କାଠର ଘର ନିର୍ମାଣ କରିଥିବା ଅଭିଯୋଗରେ ବ୍ରାଜିଲର ଏକ ଅଦାଲତ ରୋନାଲଡିନୋ ଓ ତାଙ୍କ ଭାଇଙ୍କ ପାର୍ସପୋର୍ଟକୁ ରଦ୍ଦ କରି ଦେଇଥିଲା। ଏହା ସତ୍ତ୍ବେ ସେ ଦେଶ ବାହାରକୁ ଯିବାର ସାହସ ଦେଖାଇ ଅଡ଼ୁଆରେ ପଡ଼ିଥିଲେ। ତେବେ ଏହି ଜାଲ ପାର୍ସପୋର୍ଟ ପାରାଗୁଏର ଜଣେ ବ୍ୟବସାୟୀ ଯୋଗାଡ଼ କରିଥିବା ଜଣାପଡ଼ିବା ପରେ ପାରାଗୁଏ ପୁଲିସ ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସମ୍ବନ୍ଧିତ ଖବର