ବିବାହ ଖବରକୁ ଅସ୍ୱୀକାର କଲେ ରୋନାଲ୍‌ଡିନୋ

ବ୍ରାସିଲିଆ: ନିଜର ଦୁଇ ପ୍ରେମୀଙ୍କୁ ଏକକାଳୀନ ବିବାହ କରିବାକୁ ଯାଉଥିବା ଖବରକୁ ବ୍ରାଜିଲୀୟ ଫୁଟ୍‌ବଲ୍‌ କିମ୍ବଦନ୍ତୀ ରୋନାଲିଡିନୋ ଅସ୍ୱୀକାର କରିଛନ୍ତି। ଅଗଷ୍ଟ ମାସରେ ନିଜର ଦୁଇ ପ୍ରେମୀ ଫ୍ରିସିଲା କୋଏଲୋ ଏବଂ ବିଟ୍ରିଜ୍‌ ସୁଜାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଗୁରୁବାର ସାରା ବିଶ୍ୱର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଶୁକ୍ରବାର କିନ୍ତୁ ବିଭିନ୍ନ ଆଡୁ ଫୋନ୍‌ କଲ୍‌ ପାଇବା ପରେ ‘ଏହା ସବୁଠୁ ବଡ଼ ମିଛ’ ବୋଲି ରୋନାଲ୍‌ଡିନୋ ପ୍ରକାଶ କରିଛନ୍ତି। ବ୍ରାଜିଲର ଏକ ଖବରକାଗଜ ଓ’ଡିଆରେ ଏହି ଖବର ପ୍ରଥମେ ପ୍ରକାଶ ପାଇବା ପରେ ବ୍ୟାପି ଯାଇଥିଲା। ସ୍ତମ୍ଭକାର ଲିଓ ଡାଏସ ଏହି ସୂଚନା ପ୍ରଦାନ କରିଥିଲେ। କିନ୍ତୁ ଦେଶ ପାଇଁ ୧୦୧ ମ୍ୟାଚ୍‌ ଖେଳିଥିବା ରୋନାଲ୍‌ଡିନୋ ଏହାକୁ ଖଣ୍ଡନ୍‌ କରି ଦେଇଛନ୍ତି। ସୂଚନାଯୋଗ୍ୟ, ଉଭୟ ମହିଳା ଗତ ଡିସେମ୍ବର ମାସରୁ ରୋନାଲ୍‌ଡିନୋଙ୍କ ରିଓ ଡି ଜେନିରୋସ୍ଥିତ ୫ ନିୟୁତ ପାଉଣ୍ଡ୍‌ ମାନ୍‌ସନ୍‌ରେ ରହୁଛନ୍ତି। ବିଟ୍ରିଜ୍‌ଙ୍କ ସହିତ ରୋନାଲ୍‌ଡିନୋ ୨୦୧୬ ମସିହାରୁ ପ୍ରେମ ସମ୍ପର୍କରେ ରହିଥିଲେ। କିନ୍ତୁ ଏହାର ଅନେକ ବର୍ଷ ପୂର୍ବରୁ ପ୍ରିିସିଲାଙ୍କ ସହ ଥିବା ସମ୍ପର୍କକୁ ମଧ୍ୟ ସେ ଏବେ ଅତୁଟ ରଖିଛନ୍ତି। ଉଭୟ ପ୍ରେମୀ ମଧ୍ୟ ରୋନାଲ୍‌ଡିନୋଙ୍କଠାରୁ ନିଜ ଇଚ୍ଛାରେ ମାସିକ ୧୫୦୦ ପାଉଣ୍ଡ୍‌ ଭତ୍ତା ପାଉଛନ୍ତିି। ଗତବର୍ଷ ଜାନୁଆରିରେ ଉଭୟଙ୍କୁ ନିର୍ବନ୍ଧରେ ବିବାହ ମୁଦି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର