ଆଲାଦିନ୍ କଷ୍ଟ୍ୟୁମ୍‌ ସହ ଯମଜଙ୍କ ଜନ୍ମଦିନ ପାଳିଲେ ରୋନାଲଡୋ

ଲିସବନ୍: ବିଶ୍ବର ପ୍ରଥମ ବିଲିୟନର୍‌ ଫୁଟ୍‌ବଲ୍‌ ଖେଳାଳି ବିବେଚିତ ହେବା ଦିନଟି ପର୍ତୁଗାଲ୍‌ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ପାଇଁ ଦୁଇଗୁଣା ଖୁସି ଦେଇଛି। ଲକ୍‌ଡାଉନ୍‌ରେ ରହିଥିଲେ ମଧ୍ୟ ଶୁକ୍ରବାର ସ‌େ ନିଜ ଯାଆଁଳା ପିଲା ଇଭା ଓ ମାଟିଓଙ୍କ ତୃତୀୟ ଜନ୍ମଦିନକୁ ଧୂମଧାମରେ ପାଳନ କରିଛନ୍ତି। ୩୫ ବର୍ଷୀୟ ରୋନାଲଡୋ ନିଜେ ଚର୍ଚିତ ଲୋକକଥା ଚରିତ୍ର ‘ଆଲାଦିନ୍‌’ ପୋଷାକ ପରିଧାନ କରିଥିଲେ। ୨୬ ବର୍ଷୀୟା ପତ୍ନୀ ଜର୍ଜିନା ରଡ୍ରିଗ୍ବେଜ୍‌ ମଧ୍ୟ ପାୱାର ରେଞ୍ଜର୍‌ ପୋଷାକ ପରିଧାନ କରିଥିଲେ। ଜର୍ଜିନାଙ୍କ ୨ ବର୍ଷୀୟ ଜନ୍ମିତ ପୁତ୍ର ଆଲାନାଙ୍କ ସହ ବଡ଼ ପୁଅ କ୍ରିଷ୍ଟିଆନୋ ଜୁନିୟର୍ (୯ ବ‌ର୍ଷ) ମଧ୍ୟ ଏହ‌ି ଜନ୍ମଦିନ ଧୂମଧାମ ବେଳେ ଫ୍ୟାନସୀ ପୋଷାକ ପରିଧାନ କରିଥିଲେ। ବାର୍ଥଡେ ବୟ ମାଟିଓ ସ୍ପାଇଡର୍‌ମ୍ୟାନ୍‌ ପୋଷାକ ପିନ୍ଧିଥିଲେ। ବିବିଧ ରଙ୍ଗର ବେଲୁନମାଳା ପରିବେଶରେ ରୋନାଲଡୋ ଏହି ଜନ୍ମଦିନକୁ ସ୍ବତନ୍ତ୍ର କରିଥିଲେ। ଏସବୁ ମୁହୂର୍ତର ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ି ରୋନାଲ୍‌ଡୋ ଲେଖିଛନ୍ତି, ‘ଗର୍ବିତ ପିତା: ଜନ୍ମଦିନର ମଧୁର ଶୁଭକାମନା ଇଭା ଓ ମାଟିଓ। ବିଶ୍ବର ଶେଷ ପର୍ଯ୍ୟନ୍ତ ଆମେ ତୁମକୁ ଭଲ ପାଇବୁ’।

ସୂଚନାଯୋଗ୍ୟ, ୯ ବର୍ଷୀୟ ବଡ଼ ପୁଅ କ୍ରିଷ୍ଟିଆନୋ ଜୁନି୍ୟର୍‌ର ମା’କୁ‌ ନେଇ ରହସ୍ୟ ରହିଥିବା ବେଳେ ଯାଆଁଳା ସନ୍ତାନ ଇଭା ଓ ମାଟିଓ ସରୋଗେଟ୍‌ (ଭଡ଼ା ଗର୍ଭ) ମାଧ୍ୟମରେ ଜନ୍ମ ନେଇଥିଲେ। ଜର୍ଜିନାଙ୍କ ଔରସରୁ କେବଳ ୨ ବର୍ଷୀୟ ଆଲାନା ଜନ୍ମ ନେଇଛି। ୨୦୧୬ ମସିହାରେ ଜର୍ଜିନା ଓ ରୋନାଲଡୋଙ୍କ ପ୍ରଥମ ଦେଖା ହୋଇଥିଲା। ଉଭୟ ଗୋପନ ଭାବେ ବିବାହ କରିଥିବା ଗୁଜବ ହେଉଥିଲେ ମଧ୍ୟ ଏହି ଦମ୍ପତ୍ତି କେବେ କିଛି ଖୁଲାସା କରିନାହାନ୍ତି।

ସମ୍ବନ୍ଧିତ ଖବର