ଲାଲ୍ କାର୍ଡ ପରେ ସାଥୀ ଖେଳାଳିଙ୍କ ପାଇଁ ଆଇମ୍ୟାକ୍ କିଣିଥିଲେ ‌ରୋନାଲ୍‌ଡୋ

ନୂଆଦିଲ୍ଲୀ: ଲିଓନେଲ ମେସିଙ୍କ ପରି କ୍ରିଷ୍ଟିଆନୋ ରୋନାଲ୍ଡୋ ବିଶ୍ବର ‌ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ୍‌ ଖେଳାଳି। ତେବେ ଏକ ମ୍ୟାଚ୍‌ବେଳେ ରେଫରି ଲାଲ୍‌ କାର୍ଡ ଦେଇଥିବାରୁ ସମସ୍ତ ସାଥୀ ଖେଳାଳିଙ୍କ ପାଇଁ ତାଙ୍କୁ ଆପଲ ଆଇମ୍ୟାକ ଉପହାର ଦେବାକୁ ପଡ଼ିଥିଲା। ଜୁଭେଣ୍ଟସ୍‌ର ଗୋଲରକ୍ଷକ ୱଜସେକ୍‌ ଜେସନୀ ଏକ ସାକ୍ଷାତକାରରେ ଏହି ଘଟଣା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ୨୦୧୮ରେ ରୋନାଲ୍ଡୋ ସ୍ପେନ୍‌ର ରିଅଲ ମାଦ୍ରିଦ କ୍ଲବ୍ ଛାଡ଼ି ଜୁଭେଣ୍ଟସ୍‌ରେ ଯୋଗ ଦେଇଥିଲେ। ସେହିବର୍ଷ ସେପ୍ଟେମ୍ବରରେ ଚାମ୍ପିଅନ୍ସ ଲିଗ୍‌ରେ ଜୁଭେଣ୍ଟସ୍‌ର ଭାଲେନ୍ସିଆ ସହ ମ୍ୟାଚ୍‌ ଖେଳାଯାଉଥିଲା। କ୍ଲବ୍ ପକ୍ଷରୁ ପ୍ରଥମ ମ୍ୟାଚ୍‌ ଖେଳୁଥିବା ରୋନାଲ୍ଡୋ ୨୯ତମ ମିନିଟ୍‌ରେ ପ୍ରତିପକ୍ଷ ଗୋଲ୍‌ରକ୍ଷକଙ୍କ ସହ ଧକ୍କା ହେବାରୁ ତାଙ୍କୁ ଲାଲ୍ କାର୍ଡ ମିଳିଥିଲା। ସେତେବେଳର ଜୁଭେଣ୍ଟସ୍‌ ପ୍ରଶିକ୍ଷକ ମ୍ୟାକ୍ସ ଆଲେଗ୍ରି ଏକ ନିୟମ କରିଥିଲେ ଯେ, ଯେଉଁ ଖେଳାଳିଙ୍କୁ ଲାଲ୍ କାର୍ଡ ଦିଆଯିବ, ସେହି ଖେଳାଳି ଅନ୍ୟ ସାଥୀ ଖେଳାଳିଙ୍କ ପାଇଁ କିଛି ଉପହାର ଆଣି‌ବେ। ତଥାପି ଏହି ଲାଲ୍ କାର୍ଡକୁ ରୋନାଲ୍ଡୋ ସହଜରେ ଗ୍ରହଣ କରିନଥିଲେ। ତାଙ୍କର କିଛି ଭୁଲ ନଥିବାବେଳେ ରେଫରି ତାଙ୍କୁ ଦଣ୍ଡିତ କରିଥିଲେ ବୋଲି ସେ ବାରମ୍ବାର କହିଆସୁଥିଲେ। ପାଖାପାଖି ଦୁଇମାସ ପରେ ରୋନାଲ୍ଡୋ ସମସ୍ତଙ୍କୁ ଆଇମ୍ୟାକ୍‌ ଉପହାର ଦେଇଥିଲେ ବୋଲି ୱଜ୍‌ସେକ୍‌ ସାକ୍ଷାତକାରରେ କହିଛନ୍ତି।

ସମ୍ବନ୍ଧିତ ଖବର