ରୋନାଲ୍‌ଡୋଙ୍କ ୫ ପସନ୍ଦର ଖେଳାଳିଙ୍କ ମଧ୍ୟରେ କ୍ରିଷ୍ଟିଆନୋ ରୋନାଲ୍‌ଡୋ ନାହାନ୍ତି

ମାଦ୍ରିଦ୍‌: ବ୍ରାଜିଲ୍‌ର ମହାନ୍‌ ଫୁଟ୍‌ବଲ୍‌ ତାରକା ରୋନାଲ୍‌ଡୋ ଏବର ସମୟରେ ବିଶ୍ବର ଶ୍ରେଷ୍ଠ ଖେଳାଳି ଭାବେ ଲିଓନେଲ୍‌ ମେସିଙ୍କୁ ଗଣିଛନ୍ତି। ଏବର ସମୟରେ ତାଙ୍କ ପସନ୍ଦର ଶ୍ରେଷ୍ଠ ୫ ଫୁଟ୍‌ବଲ୍‌ ଖେଳାଳି କିଏ ବୋଲି ରୋନାଲ୍‌ଡୋଙ୍କୁ ପଚାରା ଯାଇଥିଲା ବେଳେ ସେ ମେସିଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ପର୍ତୁଗାଲ୍‌ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ନାମ ନେଇନଥିଲେ। ରୋନାଲ୍‌ଡୋ ଯେଉଁ ଶ୍ରେଷ୍ଠ ୫ ଖେଳାଳିଙ୍କ ନାମ କହିଥିଲେ, ସେମାନେ ହେଲେ ମେସିଙ୍କ ବ୍ୟତୀତ ଲିଭରପୁଲ୍‌ ତାରକା ମହମ୍ମଦ ସାଲା, ରିଅଲ୍‌ ମାଦ୍ରିଦ୍‌ର ଇଡେନ୍‌ ହଜାର୍ଡ ଏବଂ ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ୍‌ ଯୋଡ଼ି ‌ନେମାର ଓ ଜୁଲିଏନ୍‌ ଏମ୍‌ବାପେ। ହେଲେ ଜୁଭେଣ୍ଟସ୍‌ ସୁପରଷ୍ଟାର୍‌ ମେସିଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କ୍ରିଷ୍ଟିଆନୋ ରୋନାଲ୍‌ଡୋ ତାଙ୍କ ତାଲିକାରୁ ବାଦ୍‌ ପଡ଼ିଛନ୍ତି।

ମେସି ହେଉଛନ୍ତି ଏକ ନମ୍ବର। ସେ ଜଣେ ଏତେ ଦକ୍ଷ ଖେଳାଳି ଯେ ୨୦/୩୦ ବର୍ଷ ମଧ୍ୟରେ ତାଙ୍କ ସମକକ୍ଷ କାହାରିକୁ ଦେଖିବା ସମ୍ଭବ ହେବନି ବୋଲି ଏଏସ୍‌ ସହ ଏକ ସାକ୍ଷାତକାରରେ ରୋନାଲ୍‌ଡୋ କହିଛନ୍ତି। ଆଉ ସାଲା, ନେମାର ଓ ହଜାର୍ଡଙ୍କ ଖେଳ ଦେଖିବାକୁ ମୁଁ ଖୁବ୍‌ ଭଲପାଏ। ଏମ୍‌ବାପେଙ୍କ ଖେଳ ମଧ୍ୟ ମୋତେ ପ୍ରଭାବିତ କରିଥାଏ। ବିଶେଷକରି ୨୦୧୮ ବିଶ୍ବକପ୍‌ରେ ତାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା। କିନ୍ତୁ ତାଙ୍କ ସହ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ତୁଳନା କରିବାକୁ ମୁଁ ବିଶ୍ବାସ କରେନି ବୋଲି କହିଛନ୍ତି ରୋନାଲ୍‌ଡୋ। ଅଧିକାଂଶ ଲୋକ ଏମ୍‌ବାପେ ମୋ ଭଳି ବୋଲି କହିଥା’ନ୍ତି। ତାଙ୍କ ପାଖରେ ପ୍ରଚୁର ଗତି ରହିଛି। ସେ ଖୁବ୍‌ ଭଲ ଭାବେ ଫିନିସ୍‌ କରିଥାନ୍ତି। ପୁଣି ଉଭୟ ପାଦରେ ସେ ସୁଟ୍‌ କରିବାରେ ମାହିର। ମୋ ମତରେ ସେ ଜଣେ ଅସାଧାରଣ ଖେଳାଳି ବୋଲି କହିଛନ୍ତି ରୋନାଲ୍‌ଡୋ।

ସମ୍ବନ୍ଧିତ ଖବର