ଇତିହାସ ରଚିଲେ ରୋନାଲ୍‌ଡୋ: ତିନିଟି କ୍ଲବ୍‌ ଓ ଜାତୀୟ ଦଳ ପାଇଁ ୧୦୦ ଲେଖାଏଁ ଗୋଲ୍‌ କରିବାରେ ପ୍ରଥମ ଖେଳାଳି

ସାସୁଓଲୋ: ବୁଧବାର ସିରି-ଏ’ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ଜୁଭେଣ୍ଟସ୍‌ ପକ୍ଷରୁ ଖେଳୁଥିବା କ୍ରିଷ୍ଟିଆନ୍‌ ରୋନାଲ୍‌ଡୋ ବ୍ୟକ୍ତିଗତ ଭାବେ ଏହି କ୍ଲବ୍‌ ପକ୍ଷରୁ ୧୦୦ତମ ଗୋଲ୍‌ କରିଛନ୍ତି। ଏହି କ୍ଲବ୍‌ ପକ୍ଷରୁ ସେ ସମସ୍ତ ପ୍ରତିଯୋଗିତାରେ ୧୩୧ ମ୍ୟାଚ୍‌ ଖେଳି ନିଜ ଗୋଲ୍‌ ସଂଖ୍ୟାକୁ ତିନି ଅଙ୍କ ଅତିକ୍ରମ କରାଇବା ସହିତ ସାସୁଓଲୋ ବିପକ୍ଷରେ ଜୁଭେଣ୍ଟସ୍‌କୁ ୩-୧ର ବିଜୟ ଭେଟି ଦେଇଥିଲେ। ସେ ମଧ୍ୟ ଏକ୍ଷେତ୍ରରେ ଦ୍ରୁତତମ ଖେଳାଳି ବିବେଚିତ ହୋଇଛନ୍ତି। ରୋନାଲଡୋଙ୍କ ବ୍ୟତୀତ ଆଡ୍ରିଆନ୍‌ ରାବିଅଟ୍‌ ଓ ପାଓଲୋ ଦିବଲୋ ଅବଶିଷ୍ଟ ୨ଟି ଗୋଲ୍‌ କରିଥିଲେ। ଆଉ ଏହି ବିଜୟ ଯୋଗୁଁ ଜୁଭେଣ୍ଟସ୍‌ ମଧ୍ୟ ସିରି-ଏ ପ୍ରତିଯୋଗିତାରେ ଶ୍ରେଷ୍ଠ ୪ ଦଳ ମଧ୍ୟରେ ସ୍ଥାନ ସୁରକ୍ଷିତ କରିବାର ଆଶା ଉଜ୍ଜୀବୀତ ରଖିଛି। ଜୁଭେଣ୍ଟସ୍‌ ଏବେ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଥିଲା ବେଳେ ଚାମ୍ପିଅନ୍‌ସ ଲିଗ୍‌ ଯୋଗ୍ୟତାଠାରୁ ୨ ପଏଣ୍ଟ୍‌ ଦୂରରେ ରହିଛି।

ତେବେ ଜୁଭେଣ୍ଟସ୍‌ ବିପକ୍ଷ ଗୋଟିଏ ଗୋଲ୍‌ ବଳରେ ଶତକ ପୂରଣ କରିଥିବା ୩୬ ବର୍ଷ ବୟସ୍କ ରୋନାଲ୍‌ଡୋ ନୂଆ ଇତିହାସ ରଚିଛନ୍ତି। ସେ ୩ଟି କ୍ଲବ୍‌ ସାଙ୍ଗକୁ ନିଜ ଜାତୀୟ ଦଳ ପର୍ତୁଗାଲ ପାଇଁ ୧୦୦ରୁ ଅଧିକ ଲେଖାଏଁ ଗୋଲ୍‌ କରିବାରେ ପ୍ରଥମ ଖେଳାଳି ବନିଯାଇଛନ୍ତି। ଯାହାକି କୌଣସି ବି ଖେଳାଳି ଏହି ମାଇଲଖୁଣ୍ଟରେ ଏପର୍ଯ୍ୟନ୍ତ ପହଞ୍ଚିପାରିନାହାନ୍ତି। ରୋନାଲ୍‌ଡୋ ନିଜ ଜାତୀୟ ଦଳ ପର୍ତୁଗାଲ ପକ୍ଷରୁ ୧୦୩ ଗୋଲ୍‌ (୧୭୩ ମ୍ୟାଚ୍‌) କରିଥିଲା ବେଳେ ଜୁଭେଣ୍ଟସ୍‌ ପୂର୍ବରୁ ମାଞ୍ଚେଷ୍ଟର ୟୁନାଇଟେଡ୍‌ (୧୧୮ ଗୋଲ୍‌, ୨୯୨ ମ୍ୟାଚ୍‌, ୨୦୦୩ରୁ ୨୦୦୯ ମଧ୍ୟରେ) ଓ ରିଅଲ ମାଦ୍ରିଦ୍‌ (୪୫୦ ଗୋଲ୍‌, ୪୩୮ ମ୍ୟାଚ୍‌, ୨୦୦୯ରୁ ୨୦୧୮ ମଧ୍ୟରେ) ପକ୍ଷରୁ ମଧ୍ୟ ୧୦୦ରୁ ଅଧିକ ଲେଖାଏଁ ଗୋଲ୍‌ର ମାଇଲଖୁଣ୍ଟ ଅତିକ୍ରମ କରିସାରିଛନ୍ତି। ମୋଟ ଉପରେ ବୁଧବାର ସାସୁଓଲୋ ବିପକ୍ଷ ଗୋଲ୍‌ ସହିତ ରୋନାଲ୍‌ଡୋଙ୍କ କ୍ୟାରିୟର ଗୋଲ୍‌ ସଂଖ୍ୟା ୭୭୬ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର