ଲଣ୍ଡନ: କ୍ରିଷ୍ଟିଆନୋ ରୋନାଲ୍‌ଡୋ ବିଶ୍ବର ସର୍ବାଧିକ ଆୟକାରୀ ଆଥ୍‌ଲେଟ୍‌ ହୋଇଯାଇଛନ୍ତି। ସାଉଦି ଆରବୀୟ ଦଳ ଅଲ୍‌ ନାସର ସହ ଯୋଗଦେବା ପରେ ଖେଳରୁ ତାଙ୍କ ବାର୍ଷିକ ଆୟ ପାଖାପା‌ଖି ଦ୍ବିଗୁଣା ହୋଇଯାଇଛି। ଏବେ ତାଙ୍କ ବାର୍ଷିକ ଆୟ ୨୦୦ ମିଲିୟନ ୟୁରୋ (୨୧୯.୯୮ ମିଲିୟନ ଡଲାର)ରୁ ଅଧିକ ବୋଲି ଗଣମାଧ୍ୟମ ଆକଳନରୁ ସ୍ପଷ୍ଟ ହୋଇଛି। ଫଳରେ ଫୋର୍ବସ୍‌ର ସର୍ବାଧିକ ଆୟକାରୀ ଆଥ୍‌ଲେଟ୍‌ଙ୍କ ତାଲିକାରେ ରୋନାଲ୍‌ଡୋ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି। ତାଙ୍କ ପଛକୁ ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ୍‌ର ଦୁଇ ତାରକା ଲିଓନେଲ ମେସି ଏବଂ କିଲିଆନ୍‌ ଏମ୍‌ବାପେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହି ଶୀର୍ଷ-୩ ସ୍ଥାନ ମଣ୍ଡନ କରିଛନ୍ତି। ଗତବର୍ଷ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଛାଡ଼ି ସାଉଦି ସକ୍କର କ୍ଲବ୍‌ରେ ଯୋଗଦେଇଥିବା‌ ରୋନାଲ୍‌ଡୋ ୨୦୨୫ ପର୍ଯ୍ୟନ୍ତ ଚୁକ୍ତିବଦ୍ଧ ହୋଇଛନ୍ତି। ଫୋର୍ବସ୍‌ ଅନୁଯାୟୀ ଗତବର୍ଷ ସୁଦ୍ଧା ରୋନାଲ୍‌ଡୋଙ୍କ ବାର୍ଷିକ ଖେଳ ଆୟ ୧୩୬ ମିଲିୟନ ଡଲାର ରହିଥିଲା ବେଳେ ଏବେ ୭୫ ମିଲିୟନ ଡଲାର ବୃଦ୍ଧି ପାଇଛି।

Advertisment

ଫଳରେ ଫୋର୍ବସର ଆକଳନ ଅନୁଯାୟୀ ଏହା ପାଖାପାଖି ୨୨୦ ମିଲିୟନ୍‌ ଡଲାରରେ ପହଞ୍ଚିଛି। ତାଙ୍କ ପଛକୁ ମେସିଙ୍କ ୧୩୦ ଏବଂ ଏମ୍‌ବାପେଙ୍କର ୧୨୦ ମିଲିୟନ୍‌ ଡଲାର ଆୟ ଆକଳନ କରାଯାଇଛି। ଫୋର୍ବସର ୨୪ ଜଣିଆ ସର୍ବାଧିକ ଆୟକାରୀ ତାଲିକାରେ ମଧ୍ୟ ଏମ୍‌ବାପେ ସର୍ବକନିଷ୍ଠ ଆଥ୍‌ଲେଟ୍‌ ରହିଛନ୍ତି। ଏହି ତିନିଜଣଙ୍କ ବ୍ୟତୀତ ଲସ୍‌ ଏଞ୍ଜେଲ୍‌ସ ଲାକେର୍‌ସ ଖେଳାଳି ତଥା ଏନ୍‌ବିଏ ମହାନ୍‌ ଲିବ୍ରନ୍‌ ଜେମ୍‌ସ (୧୧୯.୫ ମିଲିୟନ ଡଲାର) ଏବଂ ମେକ୍ସିକୋ ମୁଷ୍ଟିଯୋଦ୍ଧା କାନେଲୋ ଅଲ୍‌ଭାରେଜ୍‌ (୧୧୦ ମିଲିୟନ ଡଲାର) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ସହ ଶୀର୍ଷ-୫ ମଧ୍ୟରେ ରହିଛନ୍ତି। ଦୁଇ ଗଲ୍‌ଫର ଡଷ୍ଟିନ୍‌ ଜନ୍‌ସନ୍‌ (୧୦୭ ମିଲିୟନ୍‌ ଡଲାର) ଏବଂ ଫିଲ୍‌ ମକେଲସନ୍‌ (୧୦୬ ମିଲିୟନ ଡଲାର) ଷଷ୍ଠ ଓ ସପ୍ତମରେ ରହିଥିଲା ବେଳେ ଦୁଇ ବାସ୍କେଟ୍‌ବଲ୍‌ ତାରକା ୪ ଥର ଏନ୍‌ବିଏ ବିଜେତା ଷ୍ଟିଫେନ କରି (୧୦୦.୪ ମିଲିୟନ ଡଲାର) ଏବଂ କେଭିନ୍‌ ଡୁରାଣ୍ଟ (୮୯.୧ ମିଲିୟନ ଡଲାର) ଏହି ତାଲିକାରେ ଅଷ୍ଟମ ଓ ନବମ ସ୍ଥାନ ଅକ୍ତିଆର କରିଛନ୍ତି। ସେହିପରି ଏକମାତ୍ର ଅବସରପ୍ରାପ୍ତ ଟେନିସ୍‌ ତାରକା ରୋଜର ଫେଡେରର୍‌ (୯୫.୧ ମିଲିୟନ ଡଲାର) ଦଶମରେ ରହିଛନ୍ତି।