ରୋନାଲ୍‌ଡୋଙ୍କ ୭୫୦ ଗୋଲ୍‌, ଡାଇନାମୋ କିଭ୍‌କୁ ହରାଇଲା ଜୁଭେଣ୍ଟସ୍

ତୁରିନ : ପର୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ ଚାମ୍ପିଅନ୍‌ସ ଲିଗ୍‌ରେ ୭୫୦ ଗୋଲ୍‌ ମାଇଲଖୁଣ୍ଟ ଛୁଇଁଛନ୍ତି। ଜୁଭେଣ୍ଟସ୍‌ ପକ୍ଷରୁ ଖେଳୁଥିବା ରୋନାଲ୍‌ଡୋ ବୁଧବାର ଡାଇନାମୋ କିଭ୍‌ ବିପକ୍ଷ ଚାମ୍ପିଅନ୍ସ ଲିଗ୍‌ ମ୍ୟାଚ୍‌ର ୫୭ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇ ଫୁଟ୍‌ବଲ୍‌ ଜୀବନରେ ୭୫୦ ଗୋଲ୍‌ ପୂରଣ କରିଥିଲେ। ୩୫ ବର୍ଷୀୟ ରୋନାଲ୍‌ଡୋଙ୍କ ୭୫୦ ଗୋଲ୍‌ ମଧ୍ୟରେ ରହିଛି ରିଅଲ୍‌ ମାଦ୍ରିଦ୍‌ ପାଇଁ ୪୫୦, ମାଞ୍ଚେ‌ଷ୍ଟର ୟୁନାଇଟେଡ୍‌ରୁ ୧୧୮, ପର୍ତ୍ତୁଗାଲରୁ ୧୦୨, ଜୁଭେଣ୍ଟସ୍‌ରୁ ୭୫ ଏବଂ ତାଙ୍କ ପ୍ରଥମ କ୍ଲବ୍‌ ସ୍ପୋର୍ଟିଂ ସିପି ପାଇଁ ୫ ରହିଛି। ‘‘ଆମ ପ୍ରଶଂସକଙ୍କ ମୁହଁରେ ୭୫୦ ଗୋଲ୍‌, ୭୫୦ ଖୁସିର ମୁହୂର୍ତ୍ତ, ୭୫୦ ହସ। ଏହି ସ୍ବତନ୍ତ୍ର ସଂଖ୍ୟାରେ ପହଞ୍ଚିବାରେ ମୋତେ ସହଯୋଗ କରିଥିବା ସମସ୍ତ ଖେଳାଳି ଓ ପ୍ରଶିକ୍ଷକଙ୍କୁ ଧନ୍ୟବାଦ। ମୋତେ ପ୍ରତିଦିନ ଶ୍ରେଷ୍ଠ ପ୍ରଦର୍ଶନ ଦେବା ଲାଗି ଉତ୍ସାହ ଦେଇଥିବା ମୋର ‌ନିଷ୍ଠାପର ବିପକ୍ଷ ଦଳକୁ ମଧ୍ୟ ଧନ୍ୟବାଦ’’ ବୋଲି ରୋନାଲ୍‌ଡୋ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ଏହି ମ୍ୟାଚ୍‌ରେ ମଧ୍ୟ‌ ରୋନାଲ୍‌ଡୋ (୭୧ ଗୋଲ୍‌) ଘ‌ରୋଇ ପଡ଼ିଆରେ ସର୍ବାଧିକ ଗୋଲ୍‌ କରିବାରେ ବାର୍ସିଲୋନାର ଲିଓନେଲ ମେସି (୭୦ ଗୋଲ୍‌)ଙ୍କ କୀର୍ତ୍ତିମାନ ଭାଙ୍ଗିଥିଲେ। ଏହି କୀର୍ତ୍ତିମାନ ଭରା ମ୍ୟାଚ୍‌ରେ ଜୁଭେଣ୍ଟସ୍‌ ୩-୦ ଗୋଲ୍‌ରେ ଡାଇନାମୋ କିଭ୍‌କୁ ହରାଇ ଦେଇଛି। ଜୁଭେଣ୍ଟସ୍‌ ପକ୍ଷରୁ ଅନ୍ୟ ଦୁଇ ଗୋଲ୍‌ ଫେଡ୍‌ରିକୋ ଚିସା (୨୧ ମିନିଟ୍‌) ଓ ଆଲ୍‌ଭାରୋ ମୋରାତା (୬୬ ମିନିଟ୍‌) ଦେଇଥିଲେ। ଏହି ମ୍ୟାଚ୍‌ରେ ଆଉ ଏକ କୀର୍ତ୍ତିମାନ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌କୁ ମହିଳା ରେଫରି ଷ୍ଟିଫାନି ଫ୍ରାପାର୍ଟ ପରିଚାଳନା କରି ଚାମ୍ପିଅନ୍ସ ଲିଗ୍‌ରେ ନୂଆ ଅଧ୍ୟାୟ ଯୋଡ଼ିଥିଲେ। ଚାମ୍ପିଅନ୍ସ ଲିଗ୍‌ ପରିଚାଳନା କରିବାରେ ସେ ପ୍ରଥମ ମହିଳା ହୋଇଥିଲେ। ଗ୍ରୁପ୍‌-ଜିର ଅନ୍ୟ ଏକ ମ୍ୟାଚ୍‌ରେ ବାର୍ସିଲୋନା ୩-୦ ଗୋଲ୍‌ରେ ଫେରେନ୍‌ସଭାରୋସକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଆଣ୍ଟୋନି ଗ୍ରିଜ୍‌ମାନ (୧୪ ମିନିଟ୍‌), ମାର୍ଟିନ ବ୍ରାଥୱେଟ (୨୦ ମିନିଟ୍‌) ଓ ଓସମାନ ଡେମ୍ବଲେ (୨୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।

ନେମାରଙ୍କ ଯୁଗଳରେ ଜିତିଲା ପିଏସ୍‌ଜି
ଗ୍ରୁପ୍‌-ଏଚ୍‌ରେ ବ୍ରାଜିଲୀୟ ତାରକା ନେମାରଙ୍କ ଯୁଗଳ ଗୋଲ୍‌ରେ ପ୍ୟାରିସ ସେଣ୍ଟ୍‌ ଜର୍ମାନି (ପିଏସ୍‌ଜି) ବିଜୟୀ ହୋଇ ୯ ପଏଣ୍ଟ୍‌ ସହ ଟେବୁଲର ଶୀର୍ଷରେ ପହଞ୍ଚିଛି। ଓଲ୍ଡ ଟ୍ରାଫୋର୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପିଏସ୍‌ଜି ୩-୧ ଗୋଲ୍‌ରେ ମାଞ୍ଚେଷ୍ଟର ୟୁନାଇଟେଡ୍‌କୁ ପରାସ୍ତ କରିଥିଲା। ପିଏସ୍‌ଜି ପକ୍ଷରୁ ନେମାର (୬, ୯୦ ମିନିଟ୍‌)‌ ଦୁଇଟି ଏବଂ ମାର୍କିନୋ (୬୯ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲା ‌ବେଳେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ ମାର୍କସ ରାସଫୋର୍ଡ (୩୨ ମିନିଟ୍‌) ଗୋଲ୍‌ ସ୍କୋରର୍‌ ରହିଥିଲେ। ପରାଜୟ ସହ ମାଞ୍ଚେଷ୍ଟର ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଖସିଛି।

ସମ୍ବନ୍ଧିତ ଖବର