ରୋନାଲ୍‌ଡୋଙ୍କ କୋକ୍‌ ବିବାଦରୁ ଉତ୍ତମ ସ୍ବାସ୍ଥ୍ୟ ବାର୍ତ୍ତା

ବୁଦାବେଷ୍ଟ୍‌: ଚଳିତ ୟୁରୋ କପ୍‌ରୁ ପର୍ତ୍ତୁଗାଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ କୋକ୍‌ ବିବାଦ ଏବେ ସମଗ୍ର ବିଶ୍ବବାସୀଙ୍କ ପାଇଁ ଏକ ଚମତ୍କାର ସ୍ବାସ୍ଥ୍ୟ ବାର୍ତ୍ତା ଦେଇଛି। ମୃଦ୍ୟୁ ପାନୀୟ ଯେ ମାନବ ସମାଜ ପାଇଁ କେତେ କ୍ଷତିକାରକ ତାହା ରୋନାଲ୍‌ଡୋଙ୍କ ଛୋଟ ପ୍ରତିକ୍ରିୟାରୁ ବଡ଼ ପ୍ରଭାବ ପକାଇବା ଭଳି ସଚେତନତା ବାର୍ତ୍ତା ଦେଇଛି। ଗୋଟିଏ ବୋତଲ କୋକ୍‌ରେ ପାଖାପାଖି ୧୦ ଚାମଚ ଚିନି ରହୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) କିନ୍ତୁ ଜଣେ ବ୍ୟକ୍ତି ପାଇଁ ଦୈନିକ ସର୍ବାଧିକ ୬ ଚାମଚ ଚିନିକୁ ପରାମର୍ଶ ଦେଇଛି। କିଛି ମଧୁମେହ ରୋଗୀ ମଧ୍ୟ ମୃଦ୍ୟୁ ପାନୀୟ ସେବନର ୨୦ ମିନିଟ୍‌ ଭିତରେ ତାଙ୍କ ରକ୍ତସୁଗାର ସ୍ତର ବଢ଼ିଯାଉଥିବାର ଅଭିଯୋଗ କରି ସାରିଛନ୍ତି। ୪୦ରୁ ଅଧିକ ସ୍ବାସ୍ଥ୍ୟ ସଂଘ କିନ୍ତୁ ରୋନାଲଡୋଙ୍କ ପ୍ରତିକ୍ରିୟା ‘ଏକ ଟର୍ଣ୍ଣିଂ ପଏଣ୍ଟ ହେବ’ ବୋଲି ମତ ଦେଇଛନ୍ତି। ଖେଳାଳିମାନେ ମଧ୍ୟ ଏବେ ଜଙ୍କ୍ ଫୁଡ୍‌ ଓ ଅନ୍ୟ ଅସ୍ବାସ୍ଥ୍ୟକର ସାମଗ୍ରୀର ବିଜ୍ଞାପନଠୁ ଦୂରେଇ ରହିବାକୁ ସେମାନେ ବାଦି କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ୟୁରୋ କପ୍‌ରେ ହ‌ଙ୍ଗେରି ବିପକ୍ଷ ମ୍ୟାଚ୍‌ ପରେ ରୋନାଲ୍‌ଡୋ ସାମ୍ବାଦିକ ସମ୍ମିଳନୀକୁ ଯିବାବେଳେ ଦୁଇଟି କୋକ୍‌ ବୋତଲ ବିଜ୍ଞପିତ ଉଦ୍ଦେଶ୍ୟରେ ରଖାଯାଇଥିଲା। ସେ ପହଞ୍ଚିବା ମାତ୍ରେ ଏହାକୁ କାଢ଼ିନେଇ ପାଣି ବୋତଲ ରଖି ଦେଇଥିଲେ। ତା’ ପରେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଥିଲା। ସେହିଭଳି ଜର୍ମାନି ବିପକ୍ଷ ମ୍ୟାଚ୍‌ ପରେ ଫ୍ରାନ୍ସର ପଲ୍ ପଗ୍‌ବା ମଧ୍ୟ ଆଲକୋହଲ୍ ମୁକ୍ତ ହେନକେନ୍‌‌ ବୋତଲକ ଏଡ଼ାଇ ଦେଇଥିଲେ। ହେନକେନ୍‌ ଆଲକୋହଲ୍ ମୁକ୍ତ ଥିଲେ ବି ମୁସଲମାନ ସମ୍ପ୍ରଦାୟର ପଗ୍‌ବାଙ୍କର ଏ ସମ୍ପର୍କରେ କମ୍‌ ଧାରଣା ଥିବାରୁ ସେ ଏଭଳି କରିବସିଥିଲେ। ଏହି ଦୁଇ ଘଟଣା କିନ୍ତୁ ୟୁରୋ କପ୍‌ର ବ୍ୟାବସାୟିକ ତ୍ରୁଟିର ଏକ ଦିଗ ବୋଲି କୁହାଯାଉଛି। କିନ୍ତୁ ରୋନାଲଡୋଙ୍କ ସେହି ଛୋଟିଆ ପ୍ରତିକ୍ରିୟାଟି କୋକ୍‌ କମ୍ପାନିର ବଜାର ମୂଲ୍ୟରେ ୧.୬ ପ୍ରତିଶତ ହ୍ରାସ କରାଇଛି। କୋକ୍‌ କି ହେନକେନ୍‌ ସହିତ ଦୁଇ ଖେଳାଳିଙ୍କ କୌଣସି ବ୍ୟକ୍ତିଗତ ବିରେଧାଭାସ ନାହିଁ। କେବଳ ୟୁଫା ଏହାର ସୁପରିଚାଳନା କରିପାରିନଥିବାରୁ ଏବେ ପ୍ରାୟୋଜକଙ୍କ ବିରୋଧ କିମ୍ବା ଚୁକ୍ତିଖିଲାପ ମାମଲା ଆଶଙ୍କାରେ ପଡ଼ିପାରନ୍ତି।

ପୂର୍ବରୁ କ୍ରିକେଟ୍‌ ଦୁନିଆର ମଧ୍ୟ ଏଭଳି ନଜର ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ହାସିମ୍ ଆମଲା ନିଜ ଧର୍ମୀୟ ବିଚାରଧାରା କାରଣରୁ ଏକ ବିୟର କମ୍ପାନି ଲୋଗୋକୁ ନିଜ ଜର୍ସିରେ ଲଗାଇବାକୁ ମନା କରି ଦେଇଥିଲେ। କିଛି ପାକିସ୍ତାନୀ ଖେଳାଳି ମଧ୍ୟ ଅନୁରୂପ ବିଚାରଧାରା ରଖିଥାନ୍ତି। ଇଂଲିସ୍ ଫୁଟବଲ୍‌ ତାରକା ଡେଭିଡ୍‌ ବେକହାମ୍‌ ଏକ ଚୁଟି ଉତ୍ପାଦର ସହ ଚୁକ୍ତି କରିଥିଲେ। ଚୁକ୍ତି ଅଧାରେ କିନ୍ତୁ ଲଣ୍ଡା ହେବା ପରେ ସମ୍ପୃକ୍ତ କମ୍ପାନିର ୨୫ ପ୍ରତିଶତ କ୍ଷତି ଘଟିଥିଲା।

ସମ୍ବନ୍ଧିତ ଖବର