ରିୟାଧ (ସାଉଦି ଆରବ): ପର୍ତୁଗାଲ୍ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସାଉଦି ଆରବର ଫୁଟ୍ବଲ୍ କ୍ଲବ୍ ଅଲ୍ ନାସର ସହିତ ସାମିଲ ହୋଇଛନ୍ତି। ଏହି କ୍ଲବ୍ ସହିତ ସେ ଅଢେଇ ବର୍ଷ ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଗତ ମାସରେ ଏକ ଟେଲିଭିଜନ ସାକ୍ଷାତକାରରେ ମାଞ୍ଚେଷ୍ଟର ୟୁନାଇଟେଡ୍ ମାଲିକ ଓ ଏହାର ପରିଚାଳନା ବିଷୟରେ ରୋନାଲ୍ଡୋ ବିସ୍ଫୋରକ ବୟାନ ଦେଇଥିଲେ। ଯେଉଁଥିପାଇଁ ୟୁନାଇଟେଡ୍ ପକ୍ଷରୁ ରୋନାଲ୍ଡୋଙ୍କୁ କ୍ଲବ୍ରୁ ବହିଷ୍କାର କରାଯାଇଥିଲା। ବିଶ୍ବକପ୍ର ଠିକ୍ ପୂର୍ବରୁ ଏଭଳି ଘଟଣା ଘଟିଥିଲା ବେଳେ ରୋନାଲ୍ଡୋଙ୍କୁ ନେବା ପାଇଁ ପାଖାପାଖି ୬ କ୍ଲବ୍ କସରତ୍ ଆରମ୍ଭ କରିଦେଇଥିଲେ। କିନ୍ତୁ ଅଲ୍ ନାସର ଏହି ଦୌଡ଼ରେ ସମସ୍ତଙ୍କୁ ପଛରେ ପକାଇ ରୋନାଲ୍ଡୋଙ୍କ ସହ ଚୁକ୍ତି କରିଥିବା କ୍ଲବ୍ ପକ୍ଷରୁ ଘୋଷଣା କରାଯାଇଛି।
ଏହି ଘୋଷଣାରେ ଆର୍ଥିକ କାରବାର ଉପରେ କିଛି ଦର୍ଶାଯାଇନାହିଁ। ତଥାପି ମିଡିଆ ଆକଳନ ଅନୁସାରେ ଫୁଟ୍ବଲ୍ ଇତିହାସରେ ରୋନାଲ୍ଡୋ ସବୁଠୁ ଅଧିକ ଦରରେ କିଣାଯାଇଥିବା ଚର୍ଚ୍ଚା ହେଉଛି। ପାଖାପାଖି ୨୧୪.୦୪ ମିଲିଅନ୍ ଡଲାରର ଚୁକ୍ତି ହୋଇଥାଇପାରେ ବୋଲି କୁହାଯାଉଛି। ଏହି ଚୁକ୍ତି ପରେ ରୋନାଲ୍ଡୋ ମଧ୍ୟ ଅଧିକ ଉତ୍ସାହିତ ଅଛନ୍ତି। ୟୁରୋପିଆନ୍ ଫୁଟବଲ୍ରୁ ସବୁକିଛି ପାଇଛି। ଏବେ ଏସିଆରେ ମୋର ଅଭିଜ୍ଞତା ବାଣ୍ଟିବା ପାଇଁ ପ୍ରକୃଷ୍ଟ ସମୟ ଆସିଛି। ସାଥି ଖେଳାଳିଙ୍କ ସହ ଖୁବ୍ଶୀଘ୍ର ମିଶିବାକୁ ସେ ବ୍ୟାକୁଳ ଅଛନ୍ତି ଏବଂ କ୍ଲବ୍କୁ ସଫଳତା ମାର୍ଗରେ ନେଇଯିବାକୁ ସବୁପ୍ରକାରର ଉଦ୍ୟମ କରିବେ ବୋଲି ରୋନାଲ୍ଡୋ ପ୍ରତିଶ୍ରୁତି ଦେଇଛନ୍ତି।
ସାଉଦିକୁ ଆସିବା ପୂର୍ବରୁ ରୋନାଲ୍ଡୋ ଅନେକ କ୍ଲବ୍ ସମ୍ମାନର ଅଧିକାରୀ ହୋଇଛନ୍ତି। ସ୍ପେନ୍ର ରିଅଲ୍ ମାଦ୍ରିଦ୍ ସହିତ ୨୦୦୯ରୁ ୨୦୧୮ ପର୍ଯ୍ୟନ୍ତ ଯୋଡ଼ି ହୋଇଥିଲେ। ଏହି ସମୟ ମଧ୍ୟରେ ଦୁଇଟି ଲା ଲିଗା ଟ୍ରଫି, ଦୁଇଟି ସ୍ପାନିସ୍ କପ୍, ୪ ଚାମ୍ପିଅନ୍ସ ଲିଗ୍ ଓ ତିନି କ୍ଲବ୍ ବିଶ୍ବକପ୍ ବିଜେତା ହୋଇଥିଲେ। ମାଦ୍ରିଦ୍ ପକ୍ଷରୁ ଖେଳୁଥିଲା ବେଳେ ୪୫୧ ଗୋଲ୍ ଦେଇ କ୍ଲବ୍ କୀର୍ତ୍ତିମାନ ରଚିଥିଲା ବେଳେ କ୍ଲବ୍ ଓ ପର୍ତୁଗାଲ୍ ପାଇଁ ୮୦୦ରୁ ଅଧିକ ଗୋଲ୍ ସ୍କୋର କରିଛନ୍ତି। ମାଞ୍ଚେଷ୍ଟର ୟୁନାଇଟେଡ୍ ସହିତ ଯୋଗଦେବା ପୂର୍ବରୁ ଜୁଭେଣ୍ଟସ୍ ପାଇଁ ଦୁଇଟି ସିରିଜ ଏ ଟ୍ରଫି ଓ ଥରେ କୋପା ଇଟାଲିଆ ଟ୍ରଫି ଜିତିଥିଲେ। ପରେ ୟୁନାଇଟେଡ୍ ପାଇଁ ଖେଳିବା ବେଳେ ରୋନାଲ୍ଡୋ ତିନି ପ୍ରିମିୟର ଲିଗ୍, ଏଫ୍ଏ କପ୍, ଦୁଇଟି ଲିଗ୍ କପ୍, ଚାମ୍ପିଅନ୍ସ ଲିଗ୍ ଓ କ୍ଲବ୍ ବିଶ୍ବକପ୍ ଟାଇଟଲ୍ର ଅଧିକାରୀ ହୋଇଛନ୍ତି। କାତାରରେ ପର୍ତୁଗାଲ୍ ପାଇଁ ଖେଳୁଥିଲା ବେଳେ ୫ ବିଶ୍ବକପ୍ରେ ଗୋଲ୍ କରିବାରେ ସେ ପ୍ରଥମ ଖେଳାଳି ହୋଇଥିଲେ। ତେବେ କ୍ବାର୍ଟରଫାଇନାଲ୍ରେ ମରକ୍କୋଠୁ ପରାସ୍ତ ହୋଇ ପର୍ତୁଗାଲ୍ ବିଶ୍ବକପ୍ରୁ ବିଦାୟ ନେଇଥିଲା।
ତେବେ ରୋନାଲ୍ଡୋଙ୍କୁ ସ୍ବାକ୍ଷର କରିବା ଦ୍ବାରା ଏହା ଏକ ଐତିହାସିକ ଘଟଣାଠୁ ବି ଆହୁରି ଅଧିକ ବୋଲି ଅଲ୍ ନାସର ଫୁଟବଲ୍ କ୍ଲବ୍ ସଭାପତି ମୁସାଲି ଅଲ୍ମୁଆମର କହିଛନ୍ତି। ଏହି ସ୍ବାକ୍ଷର ଦ୍ବାରା କ୍ଲବ୍ ବଡ଼ ସଫଳତା ପାଇବାକୁ କେବଳ ପ୍ରେରିତ ହେବ ନାହିଁ ବରଂ ଆମର ଲିଗ୍, ଦେଶ ଓ ଭବିଷ୍ୟତ ପିଢିଙ୍କୁ ବି ପ୍ରେରଣା ଯୋଗାଇବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ଏହି ସାଉଦି ଆରବୀୟ କ୍ଲବ୍ ୯ଟି ସାଉଦି ପ୍ରୋ ପ୍ରିମିୟର ଲିଗ୍ ଟ୍ରଫି ବିଜେତା ହୋଇଛି। ଏବେ ରୋନାଲ୍ଡୋଙ୍କୁ ନେବା ପରେ ଏହି କ୍ଲବ୍ ଆଉ ଏକ ଘରୋଇ ଲିଗ୍ ଟାଇଟଲ୍ ବିଜୟୀ ହେବାକୁ ଓ ଏଏଫ୍ସି ଏସିଆନ୍ ଚାମ୍ପିଅନ୍ସ ଲିଗ୍ ବିଜେତା ହେବାକୁ ଆଶା ରଖିଛି। କିନ୍ତୁ ରୋନାଲ୍ଡୋ କ୍ଲବ୍ର ପ୍ରଥମ ଦୁଇ ମ୍ୟାଚ୍ରେ ଖେଳିପାରିବେନି। କାରଣ ଏପ୍ରିଲ୍ରେ ଏଭରଟନ୍ ବିପକ୍ଷରେ ମାଞ୍ଚେଷ୍ଟରର ପରାଜୟ ପରେ ରୋନାଲ୍ଡୋ ଜଣେ ପ୍ରଶଂସକଙ୍କ ହାତରୁ ମୋବାଇଲ୍ ଫୋନ୍ ଛଡ଼ାଇ ଫୋପାଡି ଦେଇଥିଲେ। ଏଥିପାଇଁ ଫିଫା ପକ୍ଷରୁ ତାଙ୍କୁ ପରବର୍ତ୍ତୀ ଦୁଇଟି କ୍ଲବ୍ ମ୍ୟାଚ୍ରୁ ବାସନ୍ଦ କରିଛି।