ରୋନାଲ୍‌ଡୋଙ୍କ କୀର୍ତ୍ତିମାନ: ସର୍ବକାଳୀନ ଅଗ୍ରଣୀ ‌ଗୋଲ୍‌ ସ୍କୋରର୍‌

ମାଞ୍ଚେଷ୍ଟର: ମାଞ୍ଚେଷ୍ଟର ୟୁନାଇଟେଡ୍‌ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ ଶନିବାର ପାରମ୍ପରିକ ପ୍ରିମିୟର ଲିଗ୍‌ ପ୍ରତିଦ୍ବନ୍ଦ୍ବୀ ଟଟେନ୍‌ହାମ୍‌ ହଟ୍‌ସପର ବିପକ୍ଷ ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ଗୋଲ୍‌ କରିଥିଲେ। ତାଙ୍କ ହ୍ୟାଟ୍ରିକ୍‌ ବଳରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ମଧ୍ୟ ୩-୨ ଗୋଲ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ଏଥି ସହିତ ସେ ତାଙ୍କ ମୋଟ ଗୋଲ୍‌ ସଂଖ୍ୟାକୁ ୮୦୭ରେ ପହଞ୍ଚାଇ ଦେଇଥିଲେ। ଏଥିସହିତ ରୋନାଲ୍‌ଡୋ ନିଜ ନାମରେ ଏକ କୀର୍ତ୍ତିମାନ ଯୋଡ଼ି ଦେଇଥିଲେ। ଜଣେ ପେସାଦାର ଫୁଟ୍‌ବଲ୍‌ ଖେଳାଳି ଭାବେ ସେ ସର୍ବକାଳୀନ ଅଗ୍ରଣୀ ଗୋଲ୍‌ ସ୍କୋରର୍‌ ରେକର୍ଡ ଭଙ୍ଗ କରିଥିଲେ। ଏହି ରେକର୍ଡ ପୂର୍ବରୁ ଅଷ୍ଟ୍ରେଲିଆ-ଚେକ୍‌ ଗଣରାଜ୍ୟ ଖେଳାଳି ଜୋସେଫ୍‌ ବିକାନଙ୍କ ନାମରେ ରହିଥିଲା ବୋଲି ଫିଫା ପରିସଂଖ୍ୟାନରୁ ଜଣାପଡ଼ିଛି। ଜୋସେଫ୍‌ ୧୯୩୧ରୁ ୧୯୫୫ ମଧ୍ୟରେ ତାଙ୍କ ଖେଳ ଜୀବନକାଳରେ ମୋଟ ୮୦୫ ଗୋଲ୍‌ କରିଥିବା ଫିଫା କହିଛି। କିନ୍ତୁ ଶନିବାର ପ୍ରିମିୟର ଲିଗ୍‌ ଅବସରରେ ହ୍ୟାଟ୍ରିକ୍‌ ଗୋଲ୍‌ କରିବା ପରେ ପର୍ତୁଗାଲର ମହାନ୍‌ ତାରକା ରୋନାଲ୍‌ଡୋ ଏହି କୀର୍ତ୍ତିମାନକୁ ଭାଙ୍ଗି ଦେଇ ସର୍ବକାଳୀନ ଅଗ୍ରଣୀ ସ୍କୋରର୍‌ ହୋଇଯାଇଛନ୍ତି।

ଏହା ମଧ୍ୟ ରୋନାଲ୍‌ଡୋଙ୍କର ୫୯ତମ କ୍ୟାରିୟର ହ୍ୟାଟ୍ରିକ୍‌ ଥିଲା ବେଳେ ୨୦୦୮ ପରେ ଏବଂ ଓଲ୍‌ଡ ଟ୍ରାଫୋର୍ଡକୁ ପ୍ରତ୍ୟାବର୍ତନ କରିବା ପରେ ପ୍ରଥମ। ରୋନାଲ୍‌ଡୋ ଗୋଲ୍‌ ସବୁ ସ୍ପୋର୍ଟିଂ, ୟୁନାଇଟେଡ୍‌, ରିଅଲ ମାଦ୍ରିଦ୍‌, ଜୁଭେଣ୍ଟସ୍‌ ଏବଂ ପର୍ତୁଗାଲ ଜାତୀୟ ଦଳ ପାଇଁ କରିଛନ୍ତି। କିନ୍ତୁ ଚେକ୍‌ ଗଣରାଜ୍ୟ ଫୁଟ୍‌ବଲ ସଂଘ ରୋନାଲ୍‌ଡୋଙ୍କ କୀର୍ତ୍ତିମାନକୁ ସହଜରେ ଗ୍ରହଣ କରିପାରିନି। ଚେକ୍‌ ସଂଘର କହିବା କଥା ପ୍ରକୃତରେ ବିକାନଙ୍କ ମୋଟ ଗୋଲ୍‌ ସଂଖ୍ୟା ୮୨୧ ଥିଲା। ପୂର୍ବ ପରିସଂଖ୍ୟାନକୁ ସମୀକ୍ଷା କରିବା ପରେ ସଂଘ ଏହି ତଥ୍ୟ ପ୍ରଦାନ କରିଛି। ସେହିପରି ବ୍ରାଜିଲ ତାରକା ପେଲେ ଏବଂ ରୋମାରିଓ ପ୍ରତ୍ୟେକ ନିଜ ନିଜ କ୍ୟାରିୟରରେ ୧୦୦୦ରୁ ଅଧିକ ଗୋଲ୍‌ କରିଥିବା ପରିସଂଖ୍ୟାନରୁ ଜଣାପଡ଼ିଛି। ମାତ୍ର ସେହିସବୁ ଗୋଲ୍‌ ପେସାଦାର ଭାବେ ନୁହେଁ, ବରଂ ସୌଖୀନ, ଅଣସ୍ବୀକୃତ ଏବଂ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଥିଲା ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର