ପୁଅର ସଫଳତା ଦେଖିବା ପୂର୍ବରୁ ଚାଲି ଯାଇଥିଲେ ରୋନାଲଡୋଙ୍କ ପିତା

ପ୍ରବଳ ମଦ ପିଉଥିଲେ, ସୈନିକ ଭାବେ ଆଫ୍ରିକାରେ ଲଢ଼ିଥିଲେ

ପ୍ୟାରିସ୍: ଫୁଟବଲ୍ ଜଗତର ମହାନତମ ଖେଳାଳିଙ୍କ ମଧ୍ୟରୁ ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲଡୋ ହେଉଛନ୍ତି ଅନ୍ୟତମ। ତେବେ ଫୁଟବଲ୍ ପଡ଼ିଆରେ ଅମାପ ସଫଳତା ପାଇଥିବା ରୋନାଲଡୋଙ୍କ ପିଲା ବେଳ କିନ୍ତୁ ଆଦୌ ଭଲରେ କଟି ନଥିଲା। ପିତା ‌ଜୋସ୍ ଡିନିସ୍ ଆଭେଇରୋ ଜଣେ ସୈନିକ ଭାବେ ଆଫ୍ରିକାରେ ଯୁଦ୍ଧ ଲଢ଼ିଥିଲେ। ସେ ମଧ୍ୟ ପରିବାରଠାରୁ ଦୂରରେ ରହି ମଦୁଆ ପାଲଟି ଯାଇଥିଲେ। ଶେଷରେ ତାଙ୍କ କଲିଜା ଆଉ କାମ କରି ନଥିଲା। ଫଳରେ ପୁଅର ସଫଳତା ଦେଖିବାକୁ ସେ ବଞ୍ଚି ପାରି ନଥିଲେ। ୨୦୦୫ ମସିହାରେ ୫୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇ ଯାଇଥିଲା। ପିତାଙ୍କୁ ମନେ ପକାଇ ରୋନାଲଡୋ ଏକ ସାକ୍ଷାତକାର ଅବସରରେ ଭୋଭୋ ହୋଇ କାନ୍ଦି ଥିଲେ।

ଏହା ପରେ ହିଁ ତାଙ୍କ ପିତାଙ୍କ ସଂଘର୍ଷର କରୁଣ କାହାଣୀ ପଦାକୁ ଆସିଥିଲା। ଆଫ୍ରିକା ମହାଦେଶର ଦୁଇ କ୍ଷୁଦ୍ର ରାଷ୍ଟ୍ର ଆଙ୍ଗୋଲା ଓ ମୋଜାମ୍ବିକ ୟୁରୋପୀୟ ଦେଶ ପର୍ତ୍ତୁଗାଲର ଉପନିବେଶ ଥିଲା। ‌ହେଲେ ଉଭୟ ଦେଶ ନିଜ ସ୍ବାଧୀନତା ପାଇଁ ସଶସ୍ତ୍ର ଲଢ଼େଇ କରିଥିଲେ। ସେଥିପାଇଁ ଜୋସ୍ ଡିନିସଙ୍କୁ ପର୍ତ୍ତୁଗାଲ ସରକାର ଜୋର ଜବରଦସ୍ତି ସେଠାରେ ଲଢ଼ିବାକୁ ପଠାଇ ଦେଇଥିଲେ। ଏହି ଯୁଦ୍ଧରେ ପର୍ତ୍ତୁଗାଲ ହାରି ଯାଇଥିଲା। ଜୋସ୍ ଡିନିସଙ୍କ ସହ ଆଫ୍ରିକାରେ ଥିବା ଅନ୍ୟ ପର୍ତ୍ତୁଗିଜ୍ ସୈନିକ ନାନା ଅକଥନୀୟ ଯାତନାର ଶିକାର ହୋଇଥିଲେ। ଏହା ମଧ୍ୟ ତାଙ୍କୁ ମାନସିକ ଅବସାଦ ଭିତରକୁ ଠେଲି ଦେଇଥିଲା। ଅନେକ ଦିନ ସେମାନଙ୍କୁ ଭୋକ ଉପାସରେ ରହିବାକୁ ପଡ଼ୁଥିଲା। ଅଧିକାଂଶ ମ୍ୟାଲେରିଆ ରୋଗରେ ପ୍ରାଣ ହରାଇଥିଲେ। ପାଖରେ ଥିବା ନଦୀର ପାଣି ପିଇବା ଯୋଗ୍ୟ ନଥିବାରୁ, ସେମାନେ ଆଙ୍ଗୋଲାର ଏକ ପ୍ରକାର ସ୍ଥାନୀୟ ମଦକୁ ପିଇ ଶୋଷ ମେଣ୍ଟାଉଥିଲେ। ସେନାରେ କାର୍ଯ୍ୟକାଳ ଶେଷ କରି ଘରକୁ ଫେରିଲା ବେଳକୁ ଜୋସ୍ ଡିନିସଙ୍କ ମନୋବଳ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା ଏବଂ ସେ ଘୋଡ଼ା ମଦୁଆ ହୋଇ ଯାଇଥିଲେ। ଏହା ପରେ ଜୋସ୍ ଡିନିସ୍ ମାଳି କାମ କରିଥିଲେ। ତା’ ସହ ରୋନାଲଡୋ ଖେଳୁଥିବା ଆଣ୍ଡୋରିନା ନାମକ ଏକ କ୍ଲବର ଖେଳାଳିଙ୍କ ପୋଷାକ ରକ୍ଷଣାବେକ୍ଷଣ ମଧ୍ୟ କରୁଥିଲେ। ଏଥିପାଇଁ ରୋନାଲଡୋଙ୍କୁ ସାଥୀ ଖେଳାଳିମାନେ ଟାହି ଟାପରା କରୁଥିଲେ। ଏହା କିନ୍ତୁ ରୋନାଲଡୋଙ୍କ ସଫଳତା ଭୋକକୁ ବହୁ ଗୁଣ ବଢ଼ାଇ ଦେଇଥିଲା। ଧୀରେଧୀରେ ସେ ବିଶ୍ବର ଆଗଧାଡ଼ିର ଫୁଟବଲର ଭାବେ ପରିଗଣିତ ହେବା ସହ ହଜାର ହଜାର କୋଟି ଟଙ୍କା ରୋଜଗାର କରିଥିଲେ। ଏହା ଦେଖିବାକୁ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଜୋସ୍ ଡିନିସ୍ ଜୀବିତ ନଥିଲେ।

ସମ୍ବନ୍ଧିତ ଖବର