ଅବସର ପରେ ରୋନାଲ୍‌ଡୋଙ୍କ ବିଳାସପୂର୍ଣ୍ଣ ଘର ଯୋଜନା

ଲିସବନ: ପାଞ୍ଚ ଥରର ବାଲନ ଡି’ଓର୍‌ ବିଜେତା କ୍ରିଷ୍ଟିଆନୋ ରୋନାଲ୍‌ଡୋ ଅବସର ପରେ ନିଜ ଦେଶରେ ଏକ ବିଳାସପୂର୍ଣ୍ଣ ଘ‌ର କିଣିବା ଲାଗି ଯୋଜନା କରିଛନ୍ତି। ଏହି ଘରର ମୂଲ୍ୟ ଭାରତୀୟ ମୂଦ୍ରାରେ ପ୍ରାୟ ୧୭୧ କୋଟି ଟଙ୍କା ଅଥବା ୨୧ ନିୟୁତ ୟୁରୋ ରହିବ। ଏହି ପର୍ତ୍ତୁଗାଲ ତାରକା ଏବଂ ତାଙ୍କ ପରିବାର ପାଇଁ ରାଜଧାନୀ ଲିସବନ୍‌ଠୁ ମାତ୍ର ୨୦ କି‌ଲୋମିଟର ଦୂର କାସକାଇସସ୍ଥିତ କ୍ବିଣ୍ଟା ଡା’ମାରିନାରେ ଏହି ଘର ନିର୍ମାଣ ଚାଲିଛି। ପୂର୍ବରୁ ଏହାର ଦର ୧୨ ନିୟୁତ ୟୁରୋ (୯୮ କୋଟି ଟଙ୍କା) ରହିଥିଲା। ହେଲେ ମହାମାରୀ କରୋନା ଏବଂ ୟୁକ୍ରେନ ଯୁଦ୍ଧ ଲାଗି ଏହାର ମୂଲ୍ୟ ଦୁଇ ଗୁଣ ବଢ଼ିଯାଇଛି। ଗୋଟିଏ ହେକ୍ଟର ଜାଗାରେ ନିର୍ମିତ ଏହି ଘରର ଚଟାଣ ୩୦୦୦ ସ୍କୋୟର ମିଟର ରହିଛି। ଏହାର ଗ୍ୟାରେଜ୍‌ରେ ୨୦ରୁ ଅଧିକ କାର୍‌ ରଖିବାର ବ୍ୟବସ୍ଥା କରାଯାଇଛି। ଏଥିସହ ୨ଟି ସନ୍ତରଣାଗାର, ଗୋଟିଏ ଲେଖାଏଁ ଇନ୍‌ଡୋର ଓ ଆଉଟ୍‌ଡୋର ଜିମ୍‌, ଗୋଟିଏ ଟେନିସ କୋର୍ଟ ଏବଂ ଏକାଧିକ ଉଜ୍ଜ୍ବଳ କୋଠରୀ ରହିବ। ଏହା ୨୦୨୩ ଗ୍ରୀଷ୍ମ ମଧ୍ୟରେ ସରିବାର ଯୋଜନା ରହିଥିଲେ ମଧ୍ୟ ବିଳମ୍ବ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର