ଫାରୋ: ପର୍ତୁଗାଲ୍‌ ତାରକା କ୍ରିଷ୍ଟିଆନ୍‌ ରୋନାଲ୍‌ଡୋ ବୁଧବାର ଆନ୍ତର୍ଜାତିକ ପୁରୁଷ ଫୁଟ୍‌ବଲ୍‌ରେ ସର୍ବାଧିକ ଗୋଲ୍‌ ସ୍କୋରର୍‌ ହେବାର ବିଶ୍ବ କୀର୍ତ୍ତିମାନ ରଚିଛନ୍ତି। ଏକ୍ଷେତ୍ରରେ ସେ ଅଲି ଦେଶାଇଙ୍କ ନାମରେ ଥିବା ସର୍ବକାଳୀନ କୀର୍ତ୍ତିମାନକୁ ଟପି ଯାଇଛନ୍ତି। ଇରାନି ଫୁଟ୍‌ବଲ୍‌ ତାରକା ଦେଶାଇଙ୍କ ନାମରେ ସର୍ବାଧିକ ୧୦୯ ଆନ୍ତର୍ଜାତିକ ଗୋଲ୍‌ ରହିଥିଲା ବେଳେ ରୋନାଲ୍‌ଡୋ ୨୦୨୦ ୟୁରୋ ଅବସରରେ ତାଙ୍କ ସମକକ୍ଷ ହୋଇଥିଲେ। ହେଲେ ବୁଧବାର ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟର ଆୟର୍ଲାଣ୍ଡ୍‌ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ଦୁଇଟି ଗୋଲ୍‌ କରି ରୋନାଲ୍‌ଡୋ ୧୧୧ ଗୋଲ୍‌ ସହ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିବା ସହିତ ପର୍ତୁଗାଲ୍‌କୁ ୨-୧ର ବିଜୟ ଭେଟି ଦେଇଥିଲେ। ରୋନାଲ୍‌ଡୋ ମ୍ୟାଚ୍‌ର ଇଞ୍ଜୁରି ଟାଇମ୍‌ରେ ଦ୍ବିତୀୟ ଗୋଲ୍‌ଟି କରି ପର୍ତୁଗାଲ୍‌କୁ ନାଟକୀୟ ବିଜୟ ଦେଇଥିଲେ। ମୁଁ ବିଶ୍ବ କୀର୍ତ୍ତିମାନ ରଚିଥିବାରୁ ଖୁବ୍‌ ଖୁସୀ। ହେଲେ ପୂର୍ବ କୀର୍ତ୍ତିମାନକୁ ଭାଙ୍ଗି ଦେଇଥିବା‌ରୁ ନୁାହଁ, ବରଂ ଏଭଳି ସ୍ବତନ୍ତ୍ର ବିଜୟ ମୁହୁର୍ତ୍ତ ପାଇଁ ବୋଲି କହିଥିଲେ ମଙ୍ଗଳବାର ଜୁଭେଣ୍ଟସ୍‌ରୁ ମାଞ୍ଚେଷ୍ଟର ୟୁନାଇଟେଡ୍‌କୁ ଫେରିଥିବା ୩୬ ବର୍ଷ ବୟସ୍କ ରୋନାଲ୍‌ଡୋ। ଅନ୍ୟପକ୍ଷରେ ଆୟର୍ଲାଣ୍ଡ୍‌ ବିପକ୍ଷ ବିଜୟ ସହ ପର୍ତୁଗାଲ ମଧ୍ୟ ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟରେ ୪ ମ୍ୟାଚ୍‌ରୁ ୧୦ ପଏଣ୍ଟ୍‌ ପାଇ ଗ୍ରୁପ୍‌-ଏ ଶୀର୍ଷରେ ରହିଛି। ଏହା ପଛକୁ ୭ ପଏଣ୍ଟ ସହ ସର୍ବିଆ ଦ୍ବିତୀୟରେ ରହିଛି। ପ୍ରତି ଗ୍ରୁପ୍‌ର ବିଜେତା ଦଳ ହିଁ କାତାରରେ ଆୟୋଜିତ ଫାଇନାଲ୍‌ସକୁ ସିଧାସଳଖ ଯୋଗ୍ୟତା ହାସଲ କରିବାକୁ ଥିଲା ବେଳେ ଗ୍ରୁପ୍‌ ଉପବିଜେତା ପ୍ଲେଅଫ୍‌କୁ ଯିବ।

Advertisment

publive-image