ରୁଟ୍‌ଙ୍କ ଶତକ; ଇଂଲଣ୍ଡ ୨୭୮ ରନ୍‌ରେ ଆଗୁଆ

କାଣ୍ଡି: ପ୍ରଥମ ପାଳିରେ ୨୯୦ ରନ୍‌ କରିପାରିଥିବା ଭ୍ରମଣକାରୀ ଇଂଲଣ୍ଡ ଦଳ ଚଳିତ କାଣ୍ଡି ଟେଷ୍ଟ୍‌ରେ ଦ୍ବିତୀୟ ପାଳି‌ରେ ଉନ୍ନତ ବ୍ୟାଟିଂ କରିଛି। ଅଧିନାୟକ ଜୋ ରୁଟ୍‌ ଶତକ ହାସଲ କରିବା ସାଙ୍ଗକୁ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋରି ବର୍ନସ୍‌ ଓ ବେନ୍‌ ଫୋକେସ୍‌ ଅର୍ଧଶତକ ହାସଲ କରି ଘରୋଇ ସିଂହଳୀ ବୋଲରଙ୍କ ବିପକ୍ଷରେ ବେଶ୍‌ କିଛି ସମୟ ଲଢ଼ିଥିଲେ। ଫଳରେ ପ୍ରଥମ ପାଳିରେ ୪୩ ରନ୍‌ ପଛୁଆ ରହିଥିବା ଇଂଲଣ୍ଡ ଦ୍ବିତୀୟ ପାଳିରେ ୯ ୱିକେଟ୍‌ ବିନିମୟରେ ୩୨୪ ରନ୍‌ କରିନେଇଛି। ରୁଟ୍‌ ୧୪୬ ବଲ୍‌ରୁ ୧୦ ଚୌକା ଓ ୨ ଛକା ସହାୟତାରେ ୧୨୪ ରନ୍‌ କରିଥିଲେ। ରୁଟ୍‌ଙ୍କର ଏହା ଥିଲା ପଞ୍ଚଦଶ ଟେଷ୍ଟ ଶତକ ଏବଂ ବିଦେଶ ମାଟିରେ ଚତୁର୍ଥ। ହେଲେ ଅକିଲ ଧନଞ୍ଜୟ ତାଙ୍କୁ ଏଲ୍‌ବିଡବ୍ଲୁ କରି ରୁଟ୍‌ଙ୍କ ଶତକୀୟ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ତଥାପି ଆଉଟ୍‌ ହେବା ପୂର୍ବରୁ ରୁଟ୍‌ ଦଳୀୟ ସ୍କୋର୍‌ ୩୦୦ ଟପାଇ ଦେଇଥିଲେ। ତାଙ୍କ ଶତକୀୟ ପାଳି ବ୍ୟତୀତ ବର୍ନସ୍‌ (୫୯) ଅର୍ଧଶତକ ଜମାଇଥିଲା ବେଳେ ଫୋକେସ୍‌ (୫୧*) ଅର୍ଧଶତକ ପୂରଣ କରି ଅପରାଜିତ ରହିଛନ୍ତି। ଶୁକ୍ରବାର ତୃ୍ତୀୟ ଦିବସରେ ଶେଷ ଆଡ଼କୁ ଆଲୋକ ଅଭାବ ଯୋଗୁଁ ପ୍ରାୟ ଗୋଟିଏ ଘଣ୍ଟାର ଖେଳ ନଷ୍ଟ ହୋଇଥିଲା। ତେବେ ୭୬ ଓଭର ଖେଳିଥିବା ଇଂଲଣ୍ଡର ୯ ୱିକେଟ ଅକ୍ତିଆର କରି ସିଂହଳୀ ବୋଲରମାନେ ଦଳକୁ ବିଜୟ ସୁଯୋଗ ଦେଇଛନ୍ତି। ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଫୋକେସ୍‌ (୫୧*)ଙ୍କ ସାଙ୍ଗକୁ ଶେଷ ବ୍ୟାଟ୍‌ସମ୍ୟାନ୍‌ ଜେମ୍‌ସ ଆଣ୍ଡରସନ୍‌ (୪) କ୍ରିଜ୍‌ରେ ରହିଛନ୍ତି। ବିଶେଷକରି ସ୍ପିନର ଅକିଲ ଧନଞ୍ଜୟ ଦ୍ବିତୀୟ ପାଳିରେ ଇଂଲଣ୍ଡର ସର୍ବାଧିକ କ୍ଷତି ଘଟାଇଛନ୍ତି। ଭ୍ରମଣକାରୀ ଦଳର ୯ ୱିକେଟ୍‌ ମଧ୍ୟରୁ ସେ ଏକାକି ୬ ୱିକେଟ୍‌ ଦଖଲ କରିଛନ୍ତି। ଦିଲ୍‌ରୁୱାନ ପେରେରା ୨ ୱିକେଟ୍‌ ନେଇଛନ୍ତି। ଆଉ ଦୁଇ ଦିନ ମ୍ୟାଚ୍‌ ବାକିଥିଲା ବେଳେ ଭ୍ରମଣକାରୀ ଦଳ ହାତରେ ଗୋଟିଏ ୱିକେଟ୍‌ ଥାଇ ୨୭୮ ରନ୍‌ରେ ଆଗୁଆ ରହିଛି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୨୯୦। ଶ୍ରୀଲଙ୍କା ପ୍ରଥମ ପାଳି: ୩୩୬। ଇଂଲଣ୍ଡ ଦ୍ବିତୀୟ ପାଳି: ୩୨୪/୯ (ଜୋ ରୁଟ୍‌-୧୨୪, ରୋରି ବର୍ନସ୍‌-୫୯, ବେନ୍‌ ଫୋକେସ୍‌-୫୧*, ଜୋସ୍‌ ବଟ୍ଟଲର୍‌-୩୪, ଅକିଲ ଧନଞ୍ଜୟ-୬/୧୦୬, ଦିଲ୍‌ରୁୱାନ୍‌ ପେ‌ରେରା-୨/୮୭)।

ସମ୍ବନ୍ଧିତ ଖବର