ଚେନ୍ନାଇ, ୬ା୨: ଚେନ୍ନାଇ ଟେଷ୍ଟ୍ରେ ଇଂଲଣ୍ଡର ରନ୍ ବର୍ଷା ଜାରି ରହିଛି। ଶନିବାର ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୮ ୱିକେଟ୍ ବିନିମୟରେ ୫୫୫ ରନ୍ କରିନେଇ ଦୃଢ ସ୍ଥିତିରେ ରହିଛି ଏହି ଦଳ। ପ୍ରଥମ ଦିନରେ ଭାରତୀୟ ବୋଲରଙ୍କୁ ଘଣେଇ ଘଣେଇ ହାଲିଆ କରି ଦେଇଥିବା ଭ୍ରମଣକାରୀ ଦଳ ଦ୍ବିତୀୟ ଦିନରେ ମଧ୍ୟ ଚମତ୍କାର ବ୍ୟାଟିଂ କରି ଚାରି ଟିକିଆ ଶୃଙ୍ଖଳା ଆରମ୍ଭରୁ ହିଁ ଘରୋଇ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ବିଶେଷ କରି ଅଧିନାୟକ ଜୋ ରୁଟ୍ (୨୧୮) ଏକାଧିକ କୀର୍ତ୍ତିମାନ ସ୍ଥାପନ କରି ଚଳିତ ବର୍ଷର ଦ୍ବିତୀୟ ଏବଂ ଖେଳ ଜୀବନର ପଞ୍ଚମ ଦ୍ବିଶତକ ଅର୍ଜନ କରିବା ପରେ ରନ୍ର ପାହାଡ଼ ସୃଷ୍ଟି କରିଛି ଇଂଲଣ୍ଡ। ଅନ୍ୟପକ୍ଷରେ ଦୁଇ ଦିନର ୧୮୦ ଓଭର (ପ୍ରଥମ ଦିନ ୮୯.୩, ଦ୍ବିତୀୟ ଦିନ ୯୦.୩) ଖେଳରେ ଭାରତୀୟ ବୋଲର ଇଂଲଣ୍ଡର ୧୦ ୱିକେଟ୍ ନେବାକୁ ସକ୍ଷମ ନହେବା ପରେ ଚେନ୍ନାଇ ଟେଷ୍ଟ୍ ଏକପ୍ରକାର ରୁଟ୍ ସେନା କବ୍ଜାକୁ ଚାଲି ଯାଇଛି। ଶତକୀୟ ଟେଷ୍ଟ୍ରେ ଦ୍ବିଶତକ ଅର୍ଜନ କରିବାରେ ୩୦ ବର୍ଷୀୟ ରୁଟ୍ ପ୍ରଥମ ଖେଳାଳି ହୋଇଥିଲା ବେଳେ ଚେପକ ଷ୍ଟାଡିୟମ୍ର ସମତଳ ପିଚ୍ରେ ଡିଆର୍ଏସ୍ ନେବାରେ ବାରମ୍ବାର ତ୍ରୁଟି କରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
ଇଂଲଣ୍ଡ ଶନିବାର ତା’ର ପୂର୍ବଦିନର ସ୍କୋର ୨୬୩/୩ରୁ ଖେଳ ଆରମ୍ଭ କରି ପ୍ରଥମ ଦୁଇ ଅଧିବେଶନରେ ଆଉ ମାତ୍ର ଗୋଟିଏ ୱିକେଟ୍ ବିନିମୟରେ ୧୯୧ ରନ୍ ଯୋଡ଼ି ନେଇଥିଲା। ଅନ୍ତିମ ଅଧିବେଶନରେ ଅବଶ୍ୟ ଭାରତୀୟ ବୋଲର ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ ୪ ୱିକେଟ୍ କରାୟତ୍ତ କରିଥିଲେ। ତଥାପି ରୁଟ୍ଙ୍କ ରାଜୁତି, ବେନ୍ ଷ୍ଟୋକ୍ସ (୮୨)ଙ୍କ ଆକ୍ରମଣ ଏବଂ ଓଲି ପୋପ୍ (୩୪) ଓ ଜୋସ୍ ବଟଲର (୩୦)ଙ୍କ ଉପଯୋଗୀ ପାଳି ପାଇଁ ଦ୍ବିତୀୟ ଦିନର ସବୁ ସମ୍ମାନ ଆପାତତଃ ଇଂଲଣ୍ଡ ଖାତାକୁ ଯାଇଥିଲା। ରୁଟ୍ ପ୍ରଥମେ ଷ୍ଟୋକ୍ସଙ୍କ ସହ ଚତୁର୍ଥ ୱିକେଟ୍ରେ ୧୨୪ ରନ୍ ଯୋଡ଼ିଥିଲେ। ଏହା ପରେ ପୋପ୍ଙ୍କୁ ସାଥୀକରି ୮୬ ରନ୍ର ଆଉ ଏକ ମହତ୍ବପୂର୍ଣ୍ଣ ପାଳି ଖେଳି ଇଂଲଣ୍ଡକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଶ୍ରୀଲଙ୍କାରେ ୨୨୮ ଏବଂ ୧୮୬ ରନ୍ କରି ଭାରତ ଅସିଥିବା ରୁଟ୍ ଆଗକୁ ଆସି ଲଙ୍ଗ୍ ଅନ୍ ଉପରେ ରବିଚନ୍ଦ୍ରନ୍ ଅଶ୍ବିନଙ୍କୁ ଛକା ମାରି ଦ୍ବିଶତକ ପୂରଣ କରିଥିଲେ। ଏହା କରି ସେ ମଧ୍ୟ ନିଜ ୯୮ତମ, ୯୯ତମ ଏବଂ ଶତକୀୟ ଟେଷ୍ଟ୍ରେ ତିନି ଅଙ୍କ ଛୁଇଁବାର ସ୍ମରଣୀୟ ସଫଳତା ଲାଭ କରିଥିଲେ। ଅକ୍ଷର ପଟେଲ ଆହତ ଯୋଗୁଁ ବାଦ୍ ପଡ଼ିବା ପରେ ଶେଷ ମୁହୂର୍ତ୍ତରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ବାମହାତୀ ପାରମ୍ପରିକ ଧୀମା ବୋଲର ଶାହାବାଜ ନଦୀମ ଏଲ୍ବିଡବ୍ଲ୍ୟୁ ଆଉଟ୍ କରି ତାଙ୍କ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ନଦୀମ କିନ୍ତୁ ୩.୮୦ ହାରରେ ରନ୍ ବ୍ୟୟ କରି ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଦ୍ରୁତ ବୋଲର ଈଶାନ୍ତ ଶର୍ମା ଅକ୍ଳାନ୍ତ ପରିଶ୍ରମ କରି ଲଗାତାର ଦୁଇଟି ବଲ୍ରେ ବଟଲର ଏବଂ ଜୋଫ୍ରା ଆର୍ଚର (୦)ଙ୍କୁ ଆଉଟ୍ କରିଥିଲେ। ସେତେବେଳକୁ କିନ୍ତୁ ଇଂଲଣ୍ଡ ୫୦୦ ରନ୍ ଟପି ଯାଇଥିଲା। ଏହି ଟେଷ୍ଟ୍ରେ ଘରୋଇ ପଦାର୍ପଣ କରିଥିବା ଯଶପ୍ରୀତ ବୁମ୍ରା ବହୁଚେଷ୍ଟା ପରେ ବି ଆଜି ୱିକେଟ୍ ଶୂନ୍ୟ ରହିଥିଲେ। ଶନିବାରର ଖେଳ ବନ୍ଦ ବେଳକୁ ଡୋମିନିକ ବେସ୍ ୨୮ ଏବଂ ଜ୍ୟାକ୍ ଲିଚ୍ ୬ ରନ୍ କରି ଅପରାଜିତ ରହିଛନ୍ତି। ଉଭୟ ଅତୁଟ ନବମ ୱିକେଟ୍ରେ ୩୦ ରନ୍ ଯୋଡ଼ିବା ଭାରତ ପାଇଁ ମୁଣ୍ଡବ୍ୟଥାର ଆଉ ଏକ କାରଣ ହୋଇଛି। ସେହିଭଳି ଇଂଲଣ୍ଡ ତା’ ପାଳିରେ ୩ରୁ ଅଧିକ ହାରରେ ରନ୍ କରିବା ଆଉ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏବେ ବିଜୟ ନୁହଁ, ଡ୍ର’ ହିଁ ଭାରତର ଲକ୍ଷ୍ୟ ହେବ ବୋଲି କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟବାଣୀ କଲେଣି।
ବ୍ରାଡ୍ମ୍ୟାନ୍ଙ୍କ କ୍ଲବ୍ରେ ରୁଟ୍
ଲଗାତାର ତିନିଟି ୧୫୦ରୁ ଅଧିକ ରନ୍ ସ୍କୋର କରିବାରେ ଜୋ ରୁଟ୍ ଦ୍ବିତୀୟ ଅଧିନାୟକ ହୋଇଛନ୍ତି। ଏହା କରି ସେ ମଧ୍ୟ ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ଡନ୍ ବ୍ରାଡମ୍ୟାନ୍ଙ୍କ କ୍ଲବ୍ରେ ଯୋଗ ଦେଇଛନ୍ତି। ଚେନ୍ନାଇ ଟେଷ୍ଟ୍ ପୂର୍ବରୁ ଶ୍ରୀଲଙ୍କାରେ ଖେଳିଥିବା ଦୁଇଟି ଟେଷ୍ଟ୍ରେ ସେ ଯଥାକ୍ରମେ ୨୨୮ ଏବଂ ୧୮୬ ରନ୍ କରିଥିଲେ। ରୁଟ୍ ମଧ୍ୟ ଶତକୀୟ ଟେଷ୍ଟ୍ରେ ଦ୍ବିଶତକ ହାସଲ କରିବାରେ ବିଶ୍ବର ପ୍ରଥମ ଖେଳାଳି ହେବାର ବିରଳ କୀର୍ତ୍ତିମାନ କରିଛନ୍ତି। ଲଗାତାର ତିନିଟି ଟେଷ୍ଟ୍ରେ ତିନିଟି ୧୫୦ରୁ ଅଧିକ ରନ୍ର ପାଳି ଖେଳିବାରେ ସେ କ୍ରିକେଟ୍ ଦୁନିଆର ସପ୍ତମ ଖେଳାଳି ହୋଇଥିଲେ। ତାଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡର ଟମ୍ ଲାଥାମ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା (ଲଗାତାର ଚାରିଟି ଟେଷ୍ଟ୍ରେ), ପାକିସ୍ତାନର ମୁଦାସର ନଜର, ଜାହିର ଆବାସ, ଅଷ୍ଟ୍ରେଲିଆର ଡନ୍ ବ୍ରାଡମ୍ୟାନ୍ ଓ ଇଂଲଣ୍ଡର ୱାଲି ହାମଣ୍ଡ ଏଭଳି ସଫଳତା ଲାଭ କରି ସାରିଛନ୍ତି।
ଶତକୀୟ ଟେଷ୍ଟ୍ରେ ଦ୍ବିଶତକରେ ପ୍ରଥମ
ରୁଟ୍ ନିଜ ଦ୍ବିଶତକୀୟ ପାଳିରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ ଉଲ୍ ହକଙ୍କ କୀର୍ତ୍ତିମାନ ମଧ୍ୟ ଭାଙ୍ଗିଛନ୍ତି। ଶତକୀୟ ଟେଷ୍ଟ୍ରେ ଦ୍ବିଶତକ ହାସଲ କରିବାରେ ପ୍ରଥମ ଖେଳାଳି ହେବା ସହ ଶତକୀୟ ଟେଷ୍ଟ୍ରେ ସର୍ବାଧିକ ବ୍ୟକ୍ତିଗତ ରନ୍ ବି କରିଛନ୍ତି। ଇଞ୍ଜମାମ ୨୦୦୫ ମସିହାରେ ବେଙ୍ଗାଲୁରୁଠାରେ ଖେଳିଥିବା ନିଜ ଶତକୀୟ ଟେଷ୍ଟ୍ରେ ୧୮୪ ରନ୍ର ପାଳି ଖେଳିଥିଲେ। ଯାହା ଆଜି ଅପରାହ୍ନ ପର୍ଯ୍ୟନ୍ତ ବିଶ୍ବ କୀର୍ତ୍ତିମାନ ହୋଇ ରହିଥିଲା। ୨୦୧୨ ମସିହାରେ ଭାରତ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିବା ରନ୍ ମେସିନ୍ ରୁଟ୍ ଶତକୀୟ ଟେଷ୍ଟ୍ରେ ଶତକ ହାସଲ କରିବାରେ ନିଜ ଦେଶର କଲିନ୍ କାଉଡ୍ରେ ଏବଂ ଆଲେକ୍ ଷ୍ଟୁଆର୍ଟଙ୍କ ସହ ଯୋଗ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/s456hs4f56h4fs56h4f5s6h4f5s6hfhfh.jpg)