ତୃଣମୂଳ କ୍ରିକେଟ୍‌ ବିକାଶରେ ଭାରତ ୧ ନମ୍ବର: ଶେଖର

‘ବାରବାଟୀରେ ଭେଙ୍ଗସରକାରଙ୍କୁ ଆହତ କରିବା ପରେ ପାକିସ୍ତାନ ଗସ୍ତ ସୁଯୋଗ ମିଳିଥିଲା’

କଟକ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ସଦସ୍ୟ ଟି.ଏ. ଶେଖର ସୋମବାର କଟକରେ ପହଞ୍ଚିଥିଲେ। ୟୁନିଅନ୍‌ ସ୍ପୋର୍ଟି˚ କ୍ଲବ୍‌ ପକ୍ଷରୁ ବୋସ୍‌ ପଡ଼ିଆରେ ଆୟୋଜିତ ପିଭିଆର‌୍‌ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାରେ ଶେଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜଣେ ଖେଳାଳି ଭାବେ ଯଦିଓ ତାଙ୍କର ଖ୍ୟାତି ନାହିଁ, କିନ୍ତୁ ଜଣେ ପ୍ରଶିକ୍ଷକ ଭାବେ ଅନେକ ଆନ୍ତର୍ଜାତିକ ଖେଳାଳିଙ୍କୁ ସୃଷ୍ଟି କରିଛନ୍ତି। ତୃଣମୂଳ ସ୍ତରରୁ ଖେଳାଳି ବାହାର କରାଯିବା ଉପରେ ସେ ଏଠାରେ ଏକାଧିକ ଉପଦେଶ ଦେଇଥିଲା ବେଳେ ବିଦ୍ୟାଳୟସ୍ତରୀୟ କ୍ରିକେଟ୍‌ ଆୟୋଜନକୁ ପ୍ରଶ˚ସା କରିଥିଲେ। କଟକକୁ ଆସିଥିବା ବେଳେ ଶେଖରଙ୍କ ସହ ଆଲୋଚନା କରିଥିଲେ ଦୀପ୍ତିର˚ଜନ ସାମଲ।

ପ୍ରଶ୍ନ: ଅନେକ ଯୁବ ପିଢ଼ିଙ୍କ ମାର୍ଗଦର୍ଶନ ସାଜିଛନ୍ତି। ତଥାପି ଏମ୍‌ଆର‌୍‌ଏଫ୍‌ ଫାଉଣ୍ଡେସନ୍‌ ଓ ଆଇପିଏଲ୍‌ ଦଳ ପାଇଁ ଖେଳାଳି ଚୟନ କରୁଥିବା ବେଳେ କ’ଣ ଫରକ ଜଣାପଡ଼ୁଛି?
ଉତ୍ତର: ଏମ୍‌ଆର‌୍‌ଏଫ୍‌ ପେସ୍‌ ଫାଉଣ୍ଡେସନ୍‌ ପାଇଁ ଦକ୍ଷ ଯୁବ ବୋଲରଙ୍କୁ ଚୟନ କରାଯାଇଥାଏ। ଚଳ ଚୟନ ବେଳେ ଡେନିସ୍‌ ଲିଲି ମୋ ସହ ଆଲୋଚନା କରିବା ପରେ ଖେଳାଳିଙ୍କୁ ବଛା ଯାଇଥାଏ। ଯେଉଁ ଖେଳାଳି ମନୋନୀତ ହୋଇଥାନ୍ତି ସେମାନଙ୍କ ପ୍ରତ୍ୟେକ ମ୍ୟାଚ୍‌କୁ ମୁଁ ନିରିଖି ଦେଖେ। ଏଠାରେ ପ୍ରାୟ ୫ ମାସ ରହିବା ପରେ, ଯଦି ତାଙ୍କର କିଛି ବୋଲି˚ରେ ସମସ୍ୟା ଥାଏ, ତାହେଲେ ଏହାକୁ ସୁଧାରିବା ପାଇଁ ଚେଷ୍ଟା କରେ। ଏପରିକି ଖେଳାଳିମାନେ ମୋ ପାଖକୁ ଭିଡିଓ ପଠାଇ ଦେଲେ, ସେଥିରେ ମଧ୍ୟ ମୁଁ ସେମାନଙ୍କୁ ମାର୍ଗଦର୍ଶନ ଦେଇପାରିଥାଏ। କିନ୍ତୁ ଆଇପିଏଲ୍‌ ଢାଞ୍ଚା ଅଲଗା। ଏଠାରେ ଗୋଟିଏ ନିର୍ଦ୍ଧିଷ୍ଟ ସ୍ତରରେ ଖେଳାଳିମାନେ ପହଞ୍ଚିବା ପରେ ଖେଳିବାକୁ ଆସିଥାନ୍ତି। ଆନ୍ତର୍ଜାତିକ ଖେଳାଳିମାନେ ମଧ୍ୟ ଏଥିମଧ୍ୟରେ ଅଛନ୍ତି। ତଥାପି ବର୍ତ୍ତମାନ ସମୟରେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିନଥିବା ଖେଳାଳିଙ୍କ ଉପରେ ଧ୍ୟାନ ଦିଆଯାଉଛି। ଗୋଟିଏ ଦଳରେ ୨୫ ଖେଳାଳି ରହୁଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୧୮ ଜଣ ବହୁତ ଭଲ ଖେଳାଳି ଅଛନ୍ତି। ତେବେ ଅନ୍ୟ ଯୁବ ଖେଳାଳିମାନଙ୍କୁ ପରବର୍ତ୍ତୀ ଦୁଇ, ତିନି ବର୍ଷ ପର ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇଥାଏ।

ପ୍ରଶ୍ନ: ଆଗକୁ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଆସୁଛି। ଆପଣଙ୍କ ନଜରରେ କେଉଁ ଖେଳାଳି ଅଛନ୍ତି, ଯିଏ ବିଶ୍ବକପ୍‌ ଜିତାଇ ପାରିବ?
ଉତ୍ତର: ମୁଁ ୧୯ ବର୍ଷରୁ କମ୍‌ ଖେଳ ଉପରେ ଅଧିକ ଧ୍ୟାନ ଦେଇପାରିନି। ତଥାପି ବିଜୟ ହାଜାରେ, ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦେଖିଛି ଯେ, କିଛି ପ୍ରତିଭାବାନ ଖେଳାଳି ଏଭଳି ବିକଳ୍ପ ମଧ୍ୟରେ ଆସୁଛନ୍ତି। ଯେମିତିକି ୨୦୧୮ରେ ମୁମ୍ବାଇ ଦଳରେ ଅନୁକୁଲ ରଏଙ୍କୁ ନିଆଯାଇଥିଲା। ଯଶସ୍ବୀ ଜୈସଵାଲ ଓ ପ୍ରିୟମ ଧର ଅଧିକ ରନ୍‌ ସ˚ଗ୍ରହ କରୁଥିବାରୁ ବିଜୟ ହଜାରେ ଟ୍ରଫିରେ ଚର୍ଚ୍ଚିତ ହୋଇଯାଇଥିଲେ। ସେମାନେ ଉକ୍ତ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିପାରନ୍ତି। ରାହୁଲ ଦ୍ରାବିଡ଼ ଜାତୀୟ ଏକାଡେମି ନିର୍ଦ୍ଦେଶକ ହେବା ପରେ ପିଲାମାନେ ଭଲ ଦିଗରେ ଗତି କରୁଛନ୍ତି। ତୃଣମୂଳ ସ୍ତରୀୟ କ୍ରିକେଟ୍‌ର ବିକାଶ କ୍ଷେତ୍ରରେ ଭାରତ ବିଶ୍ବରେ ପ୍ରଥମ ସ୍ଥାନରେ ରହିବ। ଶ୍ରେୟସ ଆୟାରଙ୍କ ଭଳି ପିଲା ଏବେ ଭାରତୀୟ ଦଳର ୪ ନମ୍ବର ସ୍ଥାନରେ ଖେଳୁଛନ୍ତି। ଆଇପିଏଲ୍‌ ମଧ୍ୟ କିଛି ନୂଆ ଖେଳାଳିଙ୍କୁ ବାହାର କରିପାରୁଛି। ତେଣୁ ଭାରତର ଭବିଷ୍ୟତ ଉଜ୍ବଳ ରହିଛି।

ପ୍ରଶ୍ନ: ତୃଣମୂଳ ସ୍ତରୀୟ କ୍ରିକେଟ୍‌ରେ ଭାରତ ଶ୍ରେଷ୍ଠ। କିନ୍ତୁ ଓଡ଼ିଶାରୁ ସେଭଳି ପିଲା ବାହାରି ପାରୁନାହାନ୍ତି। କେଉଁଠି ଅଭାବ ରହୁଛି?
ଉତ୍ତର: ତୃଣମୂଳ ସ୍ତରରେ ଭଲ କ୍ରିକେଟ୍‌ ଖେଳାଯିବା ଦରକାର। ସ୍ଥାନୀୟ କ୍ରିକେଟ୍‌ ମଜବୁତ ଥିଲେ ଏବ˚ କ୍ଲବ୍‌, ସ୍କୁଲ୍‌ ସ୍ତରରେ ପ୍ରତିଦ୍ବନ୍ଦ୍ବିତାମୂଳକ ଖେଳ ହେଉଥିଲେ ଖେଳାଳି ବାହାରିପାରିବେ। ସେମାନେ ଯେତେ ଖେଳିବେ, ତାହା ଦ୍ବାରା ପ୍ରଦର୍ଶନରେ ଉନ୍ନତି ଆସିବ। ତଥାପି ଓଡ଼ିଶା ବିଷୟରେ କିଛି ଜାଣିନଥିବାରୁ କିଛି କହିବା ଠିକ୍‌ ହେବନି। କିନ୍ତୁ ପ୍ରତି ରାଜ୍ୟରେ ଏକ ଢାଞ୍ଚା ରହିଛି। ସେହି ଢାଞ୍ଚାକୁ ଅନୁକରଣ କଲେ ତୃଣମୂଳ ସ୍ତରରୁ ଭଲ ଖେଳାଳି ବାହାରିବେ। ପ୍ରତ୍ୟେକ ବୟସ ବର୍ଗରେ ପ୍ରକୃତ ବୟସର ଖେଳାଳିଙ୍କୁ ଖେଳାଇଲେ ଚୟନକର୍ତ୍ତା ମଧ୍ୟ ଉଚିତ ଖେଳାଳିଙ୍କୁ ଚୟନ କରିପାରିବେ। ଏହାବାଦ୍‌ କର୍ପୋରେଟ୍‌ କମ୍ପାନିମାନେ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିବା ଦରକାର। ସୁରକ୍ଷିତ ଚାକିରି ହୋଇପାରିଲେ, ଖେଳାଳିମାନେ ଶୀର୍ଷ ସ୍ତରର କ୍ରିକେଟ୍‌ ଖେଳିପାରିବେ। ହେଲେ ବର୍ତ୍ତମାନର କ୍ରିକେଟର୍‌ଙ୍କ ମଧ୍ୟରେ ଏହି ମୂଳ ଶିକ୍ଷାର ଅଭାବ ରହୁଛି।

ପ୍ରଶ୍ନ: ଓଡ଼ିଶା ସହିତ କ’ଣ ଭଲ ସ୍ମୃତି ରହିଛି କହିପାରିବେ କି?
ଉତ୍ତର: ୧୯୮୩ରେ ପାକିସ୍ତାନ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଥିଲା। ମୁଁ ମିମ୍ବା ଦକ୍ଷିଣାଞ୍ଚଳର କେହି ବି ଦଳରେ ସ୍ଥାନ ପାଇନଥିଲୁ। ଏହି ଗସ୍ତ ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ଦେଓଧର ଟ୍ରଫି ଖେଳାଯାଇଥିଲା। ଆମେ ପଶ୍ଚିମାଞ୍ଚଳ ବିପକ୍ଷରେ ଖେଳିବାକୁ ଆସିଥିଲୁ। ସୁନିଲ ଗାଭାସ୍କର, ଦିଲ୍ଲୀପ ଭେଙ୍କସରକାର, ରବି ଶାସ୍ତ୍ରୀ ଇତ୍ୟାଦି ଖେଳାଳିଙ୍କୁ ମୁଁ ବୋଲି˚ କରିଥିଲି। ବହୁତ କମ୍‌ ବ୍ୟବଧାନରେ ଆମେ ପରାଜିତ ହୋଇଥିଲୁ। କିନ୍ତୁ ପ୍ରତିଯୋଗିତାରେ ମୁଁ ଅଧିକ ଦ୍ରୁତ ଗତିରେ ବଲ୍‌ ପକାଉଥିବାରୁ କପିଲ ଦେବ ମୋତେ ଡାକିକି ପ୍ରଶ˚ସା କରିଥିଲେ। ଏପରିକି ମୋ ବଲ୍‌ ଭେଙ୍କସରକାରଙ୍କ ମୁଣ୍ଡରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ। ବାରବାଟୀରେ ଏହି ଘଟଣା ଯୋଗୁଁ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଥିଲା।

ପ୍ରଶ୍ନ: ଏମ୍‌ଆର‌୍‌ଏଫ୍‌ ଏକାଡେମିରେ ସଚିନ ତେନ୍ଦୁଲକରଙ୍କୁ ବୋଲି˚ ଅପେକ୍ଷା ବ୍ୟାଟି˚ରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା। ଆପଣ ମଧ୍ୟ ସେତେବେଳେ ଉପସ୍ଥିତ ଥିଲେ। କ’ଣ ସେ ଘଟଣା ଥିଲା?
ଉତ୍ତର: ୧୯୮୭ରେ ଆରମ୍ଭ ହୋଇଥିବା ଏମ୍‌ଆର‌୍‌ଏଫ୍‌ ଫାଉଣ୍ଡେସନ୍‌ରେ ଆରମ୍ଭରୁ କିଛି ଢାଞ୍ଚା ନଥିଲା। ଏକାଡେମି ପକ୍ଷରୁ କିଛି ବନ୍ଧୁ, ପ୍ରଶିକ୍ଷକ ଓ ରାଜ୍ୟ ସ˚ଘଙ୍କ ଜରିଆରେ ଖେଳାଳିମାନଙ୍କୁ ଡକାଯାଇ ପ୍ରଶିକ୍ଷଣ ଦିଆଯାଉଥିଲା। ମୁମ୍ବାଇରୁ ସଚିନଙ୍କ ନାମ ଯାଇଥିଲା। କମ୍‌ ଉଚ୍ଚତାର ହୋଇଥିବାରୁ ଡେନିସ୍‌ ଲିଲି ତାଙ୍କୁ ବୋଲି˚ ପ୍ରଶିକ୍ଷଣ ଦେବାରେ ରାଜି ହୋଇନଥିଲେ। ତାଙ୍କୁ ବ୍ୟାଟି˚ରେ ଅଧିକ ଧ୍ୟାନ ଦେବା ପାଇଁ ଲିଲି ପରାମର୍ଶ ଦେଇଥିଲେ। ସଚିନ ଓ କାମ୍ବଲି ସେତେବେଳେ ୬୦୦ ରନ୍‌ର ଭାଗୀଦାରି କରିଥିବାରୁ ତାଙ୍କୁ ବୋଲି˚ କରିବାକୁ ମୋତେ କୁହାଯାଇଥିଲା। ସଚିନ୍‌ଙ୍କୁ ଲିଲି ଓ ମୁଁ ବୋଲି˚ କରିଥିଲୁ। ସେତେବେଳେ ସେ ବହୁତ ଜୋର‌୍‌ରେ ସଟ୍‌ ଖେଳୁଥିବାରୁ ତାଙ୍କୁ ହେଲ୍‌ମେଟ୍‌ ପିନ୍ଧି ବୋଲି˚ କରିବାକୁ ହେବ ବୋଲି ଲିଲି ଗଣମାଧ୍ୟମକୁ ପ୍ରତିକ୍ରିୟା‑ଦେଇଥିଲେ। ଅଭ୍ୟାସ ବେଳେ ବାଉନ୍ସ ବଲ୍‌କୁ ବଡ଼ ସଟ୍‌ ମାରିପାରୁଥିଲେ। ସେତେବେଳେ ଲିଲି ମୋତେ କହିଥିଲେ ଯେ, ମୁଁ ତାଙ୍କୁ ବୋଲି˚ରୁ ନାକଚ କରିଥିବାରୁ ତୁମେ ଖୁସି ହେବା ଦରକାର ଓ ଏଥିଯୋଗୁଁ ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ହୋଇପାରିଥିଲେ।

ସମ୍ବନ୍ଧିତ ଖବର