ଲଣ୍ଡନ୍: ଇଂଲଣ୍ଡ ଟେଷ୍ଟ୍ ଅଧିନାୟକ ପଦ ତ୍ୟାଗ କରି ଦେଇଛନ୍ତି ସଫଳ ବ୍ୟାଟର୍ ଜୋ ରୁଟ୍। ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଶୁକ୍ରବାର ଏହି ଘୋଷଣା କରିଛି। ସଫଳ ଇଂଲଣ୍ଡ ଅଧିନାୟକ ଭାବେ ରୁଟ୍ଙ୍କ ଅଧିନରେ ଟେଷ୍ଟ୍ ଦଳ ସର୍ବାଧିକ ୬୪ ମ୍ୟାଚ୍ ଖେଳିବା ସହ ସର୍ବାଧିକ ୨୭ ମ୍ୟାଚ୍ ଜିତିବାର କୀର୍ତ୍ତିମାନ କରିଥିଲା। ୨୦୧୮ରେ ଘରୋଇ ମାଟିରେ ଭାରତକୁ ୪-୧ରେ, ୨୦୨୦ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ୩-୧ରେ ଜିତିଥିବା ରୁଟଙ୍କ ଦଳ ମଧ୍ୟ ଗତବର୍ଷ ଶ୍ରୀଲଙ୍କାରେ ୨-୦ ବିଜୟ ସହ ୨୦ ବର୍ଷ ପରେ ସେଠାରେ ଶୃଙ୍ଖଳା ସଫଳତା ପାଇଥିଲା। ବିଗତ ୧୪ ମାସ କିନ୍ତୁ ରୁଟଙ୍କ ପାଇଁ ଭଲ ବିତିନଥିଲା। ଭାରତ ନିକଟରୁ ଘରୋଇ ମାଟିରେ ଲଗାତାର ଟେଷ୍ଟ୍ ପରାଜୟ, ଅସେସ୍ରେ ୦-୪ ଲଜ୍ଜା ଏବଂ ୱେଷ୍ଟଇଣ୍ଡିଜ୍ରେ ୦-୧ ପରାଜୟ ତାଙ୍କୁ ନେତୃତ୍ବ ଛାଡ଼ିବା ନିଷ୍ପତ୍ତି ନେବାଲାଗି ବାଧ୍ୟ କରିଥିବା ବିଶ୍ବାସ କରାଯାଉଛି। ‘ୱେଷ୍ଟଇଣ୍ଡିଜ୍ ଗସ୍ତରୁ ଫେରିବା ପରେ ମୁଁ ଇଂଲଣ୍ଡ ପୁରୁଷ ଦଳ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି।
ଏହି ଗସ୍ତ ଆହ୍ବାନଭରା ଥିଲା, ପରିବାର ଓ ଅନ୍ତରଙ୍ଗଙ୍କ ସହ ଅଲୋଚନା କରିବା ପରେ ପଦ ତ୍ୟାଗ ଲାଗି ଏହା ସଠିକ ସମୟ’ ବୋଲି ରୁଟ୍ କହିଛନ୍ତି। ମୁଁ ଗର୍ବର ସହ କହିବି ଦେଶକୁ ୫ ବର୍ଷ ଧରି ନେତୃତ୍ବ ଦେଇଥିବାରୁ ଖୁସି। ଇଂଲଣ୍ଡ କ୍ରିକେଟ୍ର ଶିଖରକୁ ସୁରକ୍ଷିତ ରଖିବାର କାର୍ଯ୍ୟ କରି ମୁଁ ନିଜକୁ ଗର୍ବିତ ମନେ କରିଛି। ଏହି ଅବସରରେ ମୁଁ ସମସ୍ତ ସମ୍ପୃକ୍ତ ବ୍ୟକ୍ତି, ପରିବାର, ଅନୁଷ୍ଠାନକୁ କୃତଜ୍ଞତା ଜଣାଉଛି। ରୁଟ୍ ଏବେ ଇଂଲଣ୍ଡର ସର୍ବକାଳୀ ଅଗ୍ରଣୀ ଟେଷ୍ଟ୍ ବ୍ୟାଟରଙ୍କ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। କେବଳ ଆଲେଷ୍ଟର୍ କୁକ୍ ଆଗରେ ରହିଛନ୍ତି। ଅଧିନାୟକତ୍ବ ସମୟରେ ସେ ୧୪ ଶତକ ହାସଲ କରିଛନ୍ତି। ଏହି ସମୟରେ ସେ ସଂଗ୍ରହ କରିଥିବା ୫୨୯୫ ରନ୍ ମଧ୍ୟ କୌଣସି ଇଂଲଣ୍ଡ ଅଧିନାୟକଙ୍କ ମଧ୍ୟରେ ସର୍ବାଧିକ। ସର୍ବକାଳୀନ ତାଲିକାରେ ଗ୍ରେମ୍ ସ୍ମିଥ୍, ଆଲାନ ବର୍ଡର, ରିକି ପଣ୍ଟିଂ ଓ ବିରାଟ କୋହଲିଙ୍କ ପରେ ପଞ୍ଚମ ସ୍ଥାନରେ ରହିଛନ୍ତି। ରୁଟ ଜଣେ ସଙ୍କଳ୍ପବଦ୍ଧ ଓ ବ୍ୟତିକ୍ରମ ଅଧିନାୟକ ଥିଲେ ବୋଲି ଉଚ୍ଚ ପ୍ରଶଂସା କରି ପ୍ରକାଶ କରିଛନ୍ତି ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟମ୍ ହାରିସନ୍। ବେନ୍ ଷ୍ଟୋକ୍ସ ଇଂଲଣ୍ଡର ପରବର୍ତୀ ଅଧିନାୟକ ହେବା ସମ୍ଭାବନା ରହିଛି। ଅଦ୍ୟାବଧି ରୁଟ୍ ୧୧୭ ଟେଷ୍ଟ୍ ଖେଳି ୯୮୮୯ ରନ୍ ସଂଗ୍ରହ କରିଛନ୍ତି। ୨୫ ଶତକ, ୫୩ ଅର୍ଦ୍ଧଶତକ ସହ ୪୯.୧୯ ହାରରେ ରନ୍ ସଂଗ୍ରହ କରିଛନ୍ତି। ସର୍ବୋଚ୍ଚ ବ୍ୟକ୍ତିଗତ ଟେଷ୍ଟ୍ ରନ୍ ହେଉଛି ୨୫୪।