ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ଏବେ ଚମତ୍କାର ଫର୍ମ ଦେଇ ଗତି କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ର ଦ୍ବିତୀୟ ପାଳିରେ ସେ ନିଜ ୩୬ତମ ଶତକ ଅର୍ଜନ କରିଛନ୍ତି। ଏହା କରି ରୁଟ୍, ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଟେଷ୍ଟ୍ ରନ୍ ରେକର୍ଡକୁ ଭାଙ୍ଗିବାର ପ୍ରବଳ ଦାବିଦାର ଭାବେ ଉଭା ହୋଇଛନ୍ତି। ରୁଟ୍ ଏବେ ସର୍ବକାଳୀନ ସର୍ବାଧିକ ଟେଷ୍ଟ୍ ରନ୍ ସଂଗ୍ରହକାରୀ ତାଲିକାରେ ସଚିନଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କଠାରୁ ମାତ୍ର ୪୯୨ ରନ୍ ପଛରେ ରହିଛନ୍ତି। ଏବେକାର ଗତିରେ ରନ୍ କଲେ ଯାହାକୁ ସେ ଖୁବ୍ଶୀଘ୍ର ହାସଲ କରିନେବେ ବୋଲି ଆଶା କରାଯାଉଛି। ସଚିନଙ୍କଠାରୁ ମଧ୍ୟ ରୁଟ୍ ଏବେ ମାତ୍ର ୩,୦୩୫ ରନ୍ ପଛରେ ରହିଛନ୍ତି। ଶତକରେ ସଚିନଙ୍କ ୫୧ ଶତକ ବିଶ୍ବ ରେକର୍ଡଠାରୁ ୧୪ଟି ପଛରେ ରହିଛନ୍ତି। ସଚିନ ୨୦୦ ଟେଷ୍ଟ୍ ଖେଳିଥିଲା ବେଳେ ରୁଟ୍ ତାଙ୍କଠାରୁ ୪୯ ଟେଷ୍ଟ୍ କମ୍ ଖେଳିଛନ୍ତି।
ଏଭଳି ସ୍ଥିତିରେ ଇଂଲଣ୍ଡର ଅନ୍ୟତମ ପୂର୍ବତନ ଅଧିନାୟକ ମାଇକେଲ ଭନ୍ କହିଛନ୍ତି ଯେ ସଚିନଙ୍କ ରେକର୍ଡ କେବଳ ରୁଟ୍ ହିଁ ଭାଙ୍ଗି ପାରିବେ। ରୁଟ୍ ଖେଳିଥିବା ୧୫୧ ଟେଷ୍ଟ୍ ଏବଂ ସଚିନଙ୍କ ପ୍ରଥମ ୧୫୧ ଟେଷ୍ଟ୍ର ପ୍ରଦର୍ଶନକୁ ତୁଳନା କଲେ ଏହା ମଧ୍ୟ ସମ୍ଭବ ହେବା ଭଳି ମନେ ହେଉଛି। ରୁଟ୍ ସଂପ୍ରତି ୧୫୧ ଟେଷ୍ଟ୍ ଖେଳି ୧୨,୮୮୬ ରନ୍ରେ ରହିଛନ୍ତି। ଯାହା ତାଙ୍କୁ ସର୍ବକାଳୀନ ସର୍ବାଧିକ ଟେଷ୍ଟ୍ ରନ୍ ସଂଗ୍ରହକାରୀଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ରଖୁଛି। ଗତ ଚାରି ବର୍ଷ ହେବ ତାଙ୍କ ସମସାମୟିକ ବିରାଟ କୋହଲି, କେନ୍ ୱିଲିୟମସନ୍ ଓ ଷ୍ଟିଭେନ୍ ସ୍ମିଥ କେହି ବି ସ୍ଥିର ପ୍ରଦର୍ଶନ ଦେଇ ନଥିଲେ ମଧ୍ୟ ଏହି ସମୟ ଭିତରେ ରୁଟ୍ଙ୍କ ରନ୍ ଅମଳ ଜାରି ରହିଛି। ବରଂ ବଢ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୨୧ ମସିହାଠାରୁ ରୁଟ୍ ୫୪ ଟେଷ୍ଟ୍ ଖେଳି ୫୬.୨୫ ହାରରେ ୧୯ ଶତକ ସହ ୫,୦୬୩ ରନ୍ କରିଛନ୍ତି। ବିଶ୍ବ କ୍ରିକେଟ୍ର ଅନ୍ୟ କୌଣସି ଖେଳାଳି ଏହି ସମୟ ଚକ୍ର ଭିତରେ ଏତେ ରନ୍ କରି ନାହାନ୍ତି।
୧୫୧ ଟେଷ୍ଟ୍ ପରେ ରୁଟ୍ ଓ ସଚିନଙ୍କ ପରିସଂଖ୍ୟାନ ଉପରେ ନଜର ପକାଇଲେ ଜଣାପଡ଼େ ଯେ ସଚିନଙ୍କଠାରୁ ରୁଟ୍ ୩୦ ଅଧିକ ପାଳି ଖେଳିଛନ୍ତି। ସେହିଭଳି ସଚିନ ନିଜ ୧୫୧ତମ ଟେଷ୍ଟ୍ ପରେ କରିଥିବା ୧୧,୯୩୯ ରନ୍ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ରୁଟ୍ଙ୍କ ରନ୍ ସଂଗ୍ରହ ହାର ୫୦.୯୩ଠାରୁ ସଚିନ (୫୪.୦୨) କିନ୍ତୁ ଆଗରେ ରହିଛନ୍ତି। ସଚିନ (୩୬) ମଧ୍ୟ ରୁଟ୍ (୩୩)ଙ୍କଠୁ ଅଧିକ ଶତକ ହାସଲ କରିଛନ୍ତି। ଅର୍ଦ୍ଧଶତକରେ ଅବଶ୍ୟ ରୁଟ୍ ୬୪/୪୯ରେ ଆଗୁଆ ରହିଛନ୍ତି। ୧୫୧ ଟେଷ୍ଟ୍ ପରେ ସଚିନ ବିଦେଶ ମାଟିରେ ୮୭ ଟେଷ୍ଟ୍ ଖେଳି ୫୩.୭୦ ହାର ଏବଂ ୨୩ ଶତକ, ୨୮ ଅର୍ଦ୍ଧଶତକ ବଳରେ ୬,୮୨୧ ରନ୍ କରିଛନ୍ତି। ସମାନ ସଂଖ୍ୟକ କ୍ୟାରିୟର ଟେଷ୍ଟ୍ ମ୍ୟାଚ୍ ପରେ ରୁଟ୍ ବିଦେଶ ମାଟିରେ ୭୩ ଟେଷ୍ଟ୍ ଖେଳି ୪୭.୬୬ ହାର, ୧୫ ଶତକ ଓ ୩୨ ଅର୍ଦ୍ଧଶତକ ସହାୟତାରେ ୬,୧୨୮ ରନ୍ କରିଛନ୍ତି। ଘରୋଇ ପ୍ରଦର୍ଶନକୁ ବିଚାରକୁ ନେଲେ ସଚିନ ୧୫୧ ଟେଷ୍ଟ୍ ପରେ ୬୪ ଘରୋଇ ମ୍ୟାଚ୍ ଖେଳି ୫୪.୪୪ ହାର, ୧୬ ଶତକ ଓ ୨୧ ଅର୍ଦ୍ଧଶତକ ସହ ୫,୧୧୮ ରନ୍ କରିଛନ୍ତି। ରୁଟ୍ ଘରେ ୭୮ ମ୍ୟାଚ୍ ଖେଳି ୫୪.୯୪ ହାର, ୨୧ ଶତକ ଓ ୩୨ ଅର୍ଦ୍ଧଶତକ ବଳରେ ୬୭୫୮ ରନ୍ କରିଛନ୍ତି।
ଅନ୍ୟଏକ ମଜାଦାର କଥା ହେଲା ୧୫୧ ଟେଷ୍ଟ୍ ଖେଳିବା ବେଳକୁ ସଚିନ ପ୍ରତି ୬ ପାଳିରେ ଗୋଟିଏ ଶତକ ଅର୍ଜନ କରୁଥିଲେ। ୨୪୬ ପାଳିରୁ ୩୯ ଶତକର ମାଇଲ୍ଖୁଣ୍ଟ ଛୁଇଁ ସାରିଥିଲେ। ଅନ୍ୟପକ୍ଷରେ ରୁଟ୍ ପ୍ରତି ୮ ପାଳିରେ ଗୋଟିଏ ଶତକ ଅର୍ଜନ କରିଛନ୍ତି। ୨୭୬ ପାଳି ଖେଳି ୩୬ ଶତକ ଅର୍ଜନ କରିଛନ୍ତି। ଏଣୁ ଅର୍ଦ୍ଧଶତକକୁ ଶତକରେ ରୂପାନ୍ତର କରିବାରେ ରୁଟ୍ଙ୍କଠାରୁ ସଚିନ ଢେର ଆଗରେ ରହିଛନ୍ତି। ସ୍ଥିରତା ଦୃଷ୍ଟିରୁ ବି ସଚିନ ଆଗରେ ରହିଛନ୍ତି। ସଚିନ ପାଳି ପିଛା ୪୮ ରନ୍ କରିଥିଲା ବେଳେ ରୁଟ୍ ୪୬ ରନ୍ କରିଛନ୍ତି। ୧୫୧ଟେଷ୍ଟ୍ ପରେ ରୁଟ୍ ହୁଏତ ଅଧିକ ରନ୍ କରିଥାଇ ପାରନ୍ତି, ହେଲେ ଶତକ, ସ୍ଥିରତା ଓ ଦକ୍ଷତା ଦୃଷ୍ଟିରୁ ସଚିନ ଆଗରେ ରହିଛନ୍ତି।