ମାଞ୍ଚେଷ୍ଟର୍: ମାଞ୍ଚେଷ୍ଟର୍ ଟେଷ୍ଟ୍ ସହିତ ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାକୁ ନିଜ ନିୟନ୍ତ୍ରଣରେ ରଖିଛି ଇଂଲଣ୍ଡ। ଜୋ ରୁଟ୍ ଭାରତୀୟ ବୋଲରଙ୍କୁ ରଗଡ଼ିବା ସହିତ ଭାରତର ସମ୍ଭାବନାର ମୂଳ ଓପାଡ଼ି ଦେଇଛନ୍ତି। ଭାରତ ବିପକ୍ଷରେ ରେକର୍ଡ ଦ୍ବାଦଶ ଶତକ ସହିତ ରୁଟ୍ (୧୫୦ ରନ୍) ଇଂଲଣ୍ଡକୁ ପ୍ରଥମ ପାଳିରେ ବିଶାଳ ଅଗ୍ରଣୀ ଦେଇଛନ୍ତି। ଭାରତର ୩୫୮ ରନ୍ ଜବାବରେ ଘରୋଇ ଦଳ ତୃତୀୟ ଦିନ ଷ୍ଟମ୍ପ୍ସ ସୁଦ୍ଧା ୭ ୱିକେଟ୍ରେ ୫୪୪ ରନ୍ ସଂଗ୍ରହ କରି ୧୮୬ ରନ୍ର ନିର୍ଣ୍ଣାୟକ ଅଗ୍ରଣୀ ନେଇଛି। ରିଟାୟାର୍ଡ ହର୍ଟରୁ ଫେରି ବେନ୍ ଷ୍ଟୋକ୍ସ ୭୭* ରନ୍ରେ ଅପରାଜିତ ରହିଛନ୍ତି।
ଶୁକ୍ରବାର ଇଂଲଣ୍ଡ ତୃ୍ତୀୟ ଦିନର ଖେଳକୁ ୨୨୫/୨ରୁ ଆରମ୍ଭ କରିଥିଲା। ଭାରତୀୟ ବୋଲରମାନେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଗୋଟିଏ ବି ୱିକେଟ୍ ଦଖଲରେ ସକ୍ଷମ ହୋଇ ନଥିଲେ। ରନ୍ ଆଉଟ୍ ସୁଯୋଗ ଛାଡ଼ିବା ଏବଂ କ୍ୟାଚ୍ ହାତଛଡ଼ା କରିବା ଭଳି କିଛି ଦୁର୍ଭାଗ୍ୟ ବି ଭାରତ ସାଥିରେ ରହିଥିଲା। ଓଲି ପୋପ୍ (୭୧) ଏବଂ ରୁଟ୍ ତୃତୀୟ ୱିକେଟ୍ ପାଇଁ ୧୪୪ ରନ୍ ଯୋଡ଼ିଥିଲେ। ଭୋଜନ ବିରତି ପରେ ଭାରତ ଦ୍ବିତୀୟ ନୂଆ ବଲ୍ ନେବା ସତ୍ତ୍ବେ କୌଣସି ଦ୍ରୁତ ବୋଲର ପ୍ରଭାବୀ ରହି ନଥିଲେ। ବୁମ୍ରା ଓ ସିରାଜ ପ୍ରଥମରୁ ୱିକେଟ୍ ନପାଇବା ଇଂଲଣ୍ଡକୁ ଆଧିପତ୍ୟ ବିସ୍ତାର ସୁଯୋଗ ଦେଇଥିଲା। ଚା’ପାନ ବିରତି ପୂର୍ବରୁ ଓ ପରେ ଭାରତୀୟ ବୋଲର ଅବଶ୍ୟ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରି ଟିକିଏ ସାନ୍ତ୍ବନା ଆଣିଥିଲେ। କିନ୍ତୁ ଇଂଲଣ୍ଡ ଅଗ୍ରଣୀ ସେତେବେଳକୁ ୧୫୦ ଅତିକ୍ରମ କରିସାରିଥିଲା। ଇଂଲଣ୍ଡର ପ୍ରଥମ ୩ ଜଣ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ରୁଟ୍ଙ୍କ ରୁଟ୍ ଅତି ଗଭୀରକୁ ଚାଲିଯାଇଥିଲା। ଅଧିନାୟକ ବେନ୍ ଷ୍ଟୋକ୍ସ ରିଟାୟର୍ଡ ହର୍ଟ ହେବା ପୂର୍ବରୁ ରୁଟ୍ଙ୍କ ସହ ଆଉ ଏକ ଶତକୀୟ (୧୪୨) ଭାଗୀଦାରି କରିଥିଲେ। ଶେଷରେ ରୁଟ୍ଙ୍କୁ ବଦଳ ୱିକେଟରକ୍ଷକ ଧ୍ରୁବ ଜୁରେଲଙ୍କ ଗ୍ଲୋଭ୍ସରେ ଧରାଇ ସାର୍ ଜାଡ଼େଜା କିଛିଟା ଆଙ୍କୁଶ ଲଗାଇଥିଲେ। ଜାମି ସ୍ମିଥ୍ଙ୍କୁ ନିଜ ଏକମାତ୍ର ଶିକାର କରିଥିଲେ ବୁମ୍ରା।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୩୫୮ (ସାଇ ସୁଦର୍ଶନ-୬୧, ଯଶସ୍ବୀ ଜୟସ୍ବାଲ-୫୮, ଋଷଭ ପନ୍ତ୍-୫୪, ବେନ୍ ଷ୍ଟୋକ୍ସ-୫/୭୨, ଜୋର୍ଫା ଆର୍ଚର-୩/୭୩)। ଇଂଲଣ୍ଡ ପ୍ରଥମ ପାଳି: ୧୩୫ ଓଭରରେ ୫୪୪/୭ (ଜୋ ରୁଟ୍-୧୫୦, ବେନ୍ ଡକେଟ୍-୯୪, ଜ୍ୟାକ୍ କ୍ରଲି-୮୪, ବେନ୍ ଷ୍ଟୋକ୍ସ-୭୭*, ଓଲି ପୋପ୍-୭୧, ଲିଆମ୍ ଡ’ସନ-୨୧*, ୱାସିଂଟନ୍ ସୁନ୍ଦର-୨/୫୭, ରବୀନ୍ଦ୍ର ଜାଡ଼େଜା-୨/୧୧୭, ଅଂଶୁଲ କମ୍ବୋଜ-୧/୮୯, ଯଶପ୍ରୀତ୍ ବୁମ୍ରା-୧/୯୫, ମହମ୍ମଦ ସିରାଜ-୧/୧୧୩)।
ସଚିନଙ୍କ ପଛରେ ପହଞ୍ଚିଲେ
ଯୋସେଫ୍ ଏଡୱାର୍ଡ ରୁଟ୍ ଅର୍ଥାତ୍ ଜୋ ରୁଟ୍ ଏବେ ଅଗ୍ରଣୀ ଟେଷ୍ଟ୍ ରନ୍ ସଂଗ୍ରହକାରୀ ତାଲିକାରେ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ତଳେ ପହଞ୍ଚି ଯାଇଛନ୍ତି। ସଚିନ ତାଙ୍କ ୨୦୦ ଟେଷ୍ଟ୍ ଜୀବନରେ ୧୫,୯୨୧ ରନ୍ ସହ ଶୀର୍ଷରେ ରହିଥିବାବେଳେ ରୁଟ୍ ମାଞ୍ଚେଷ୍ଟର୍ ଟେଷ୍ଟ୍ରେ ଶତକୀୟ ପାଳି ସହ ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛନ୍ତି। ରୁଟ୍ ୧୫୭* ଟେଷ୍ଟ୍ରୁ ୧୩,୪୦୯* ରନ୍ ସଂଗ୍ରହ କରିସାରିଛନ୍ତି। ରୁଟ୍ ଶୁକ୍ରବାର ତାଙ୍କ ପାଳି ଅବସରରେ ୩ ମହାନ ବ୍ୟାଟର୍ ରାହୁଲ ଦ୍ରାବିଡ଼ (୧୬୪ ଟେଷ୍ଟ୍, ୧୩,୨୮୮ ରନ୍), ଜ୍ୟାକ୍ କାଲିସ୍ (୧୬୬ ଟେଷ୍ଟ୍, ୧୩,୨୮୯ ରନ୍) ଏବଂ ରିକି ପଣ୍ଟିଂ (୧୬୮ ଟେଷ୍ଟ୍, ୧୩,୩୭୮ ରନ୍)ଙ୍କୁ ପଛରେ ପକାଇଛନ୍ତି। ପ୍ରଥମ ପଦାର୍ପଣ କରିଥିବା ଅଂଶୁଲ କମ୍ବୋଜଙ୍କୁ ଚୌକା ମାରି ଶତକ ପୂର୍ଣ୍ଣ କରିଥିଲେ। ଯାହାକି ରୁଟ୍ଙ୍କ ଟେଷ୍ଟ୍ ଜୀବନର ୩୮ତମ ଏବଂ ଭାରତ ବିପକ୍ଷରେ ୧୨ତମ ଶତକ ହୋଇଥିଲା। ଭାରତ ବିପକ୍ଷରେ ଏତେ ଶତକ ବି ଅନ୍ୟ କୌଣସି ବ୍ୟାଟର୍ ହାସଲ କରିନାହାନ୍ତି। ସେ ଷ୍ଟିଭେନ୍ ସ୍ମିଥ୍ (୧୧)ଙ୍କୁ ପଛରେ ପକାଇ ଏହି ରେକର୍ଡ କରିଛନ୍ତି। ସର୍ବାଧିକ ଟେଷ୍ଟ୍ ଶତକ ତାଲିକାରେ ରୁଟ୍ ମଧ୍ୟ ଶୁକ୍ରବାର ଚତୁର୍ଥ ସ୍ଥାନକୁ ଉଠି କୁମାର ସାଙ୍ଗାକାରାଙ୍କ ସହ ଯୁଗ୍ମ ଭାବେ ରହିଛନ୍ତି। ଉଭୟ ୩୮ ଶତକ ମାରିଥିବା ବେଳେ ତାଙ୍କଠାରୁ ଆଗରେ ରହିଛନ୍ତି ସଚିନ ତେନ୍ଦୁଲକର (୫୧), ଜ୍ୟାକ୍ କାଲିସ୍ (୪୫) ଓ ରିକି ପଣ୍ଟିଂ (୪୧)। କେବଳ ଇଂଲଣ୍ଡରେ ରୁଟ୍ ୨୩ ଶତକ ହାସଲ କରି ଘରୋଇ ମାଟିରେ ଯୁଗ୍ମ ସର୍ବାଧିକ ଭାବେ ରିକି ପଣ୍ଟିଂ, ଜ୍ୟାକ୍ କାଲିସ ଓ ମାହେଲା ଜୟବର୍ଦ୍ଧନେଙ୍କ ସହ ମିଳିତ ଶୀର୍ଷରେ ରହିଛନ୍ତି।