ରୁଟ୍‌ଙ୍କ ୩ ମାଇଲଖୁଣ୍ଟ: ଗାଭାସ୍କର, ପଣ୍ଟିଂ ଓ କୋହଲିଙ୍କୁ ପଛରେ ପକାଇଲେ

ପୂର୍ବତନ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଭାରତ ବିପକ୍ଷ ଚଳିତ ପଞ୍ଚମ ଟେଷ୍ଟ୍‌ରେ ଅପରାଜିତ ଶତକ ଜମାଇ କେବଳ ଦଳକୁ ବହୁମୂଲ୍ୟ ବିଜୟ ଭେଟି ଦେଇନଥିଲେ। ତିନିଟି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। କ୍ରିକେଟ୍‌ର ଲମ୍ବା ଫର୍ମାଟ୍‌ରେ ଭାରତ-ଇଂଲଣ୍ଡ ପରସ୍ପର ମୁହାଁମୁହିଁରେ ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋରର୍‌ ହେବାରେ ସେ କିଂବଦନ୍ତି ଭାରତୀୟ ସୁନିଲ ଗାଭାସ୍କରଙ୍କୁ ଟପି ଯାଇଥିଲା ବେଳେ ଭାରତ ବିପକ୍ଷରେ ସର୍ବାଧିକ ଟେଷ୍ଟ୍‌ ଶତକ ଜମାଇବାରେ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ରିକି ପଣ୍ଟିଂଙ୍କୁ ଅତିକ୍ରମ କରିଯାଇଛନ୍ତି। ଭାରତ-ଇଂଲଣ୍ଡ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ସ୍କୋର୍‌ କରିବାରେ ଆଧୁନିକ ଯୁଗର ମହାନ୍‌ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଭାରତ ଓ ଇଂଲଣ୍ଡ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ୬୫୫ ରନ୍‌ କୋହଲିଙ୍କ ନାମରେ ଥିଲା। ଯାହା ସେ ୨୦୧୬ ଶୃଙ୍ଖଳାରେ କରିଥିଲେ। ସେଥର ୨ ଲେଖାଏଁ ଶତକ ଓ ଅର୍ଦ୍ଧଶତକ ହାସଲ କରିଥିଲେ। ବର୍ମିଙ୍ଗ୍‌ହାମ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ଅପରାଜିତ ୧୪୨ ରନ୍‌ କରିଥିବା ରୁଟ୍‌ ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ମୋଟ ୭୩୮ ରନ୍‌ କରିଛନ୍ତି। ଯେଉଁଥିରେ ୪ ଶତକ ସାମିଲ ରହିଛି। କୋଭିଡ୍‌ ପାଇଁ ପଞ୍ଚମ ଟେଷ୍ଟ୍‌ ଘୁଞ୍ଚିଯିବା ପୂର୍ବର ୪ ଟେଷ୍ଟ୍‌ରେ ରୁଟ୍‌ ୩ ଶତକ ସହାୟତାରେ ୫୬୪ ରନ୍‌ କରିସାରିଥିଲେ। ପଞ୍ଚମ ଟେଷ୍ଟ୍‌ର ପ୍ରଥମ ପାଳିରେ ୩୧ ରନ୍‌ କରିଥିବା ରୁଟ୍‌ ଦ୍ବିତୀୟ ପାଳିରେ ୧୪୨* ରନ୍‌ କରିଥିଲେ।

ଏଜ୍‌ବାଷ୍ଟନ‌ ଟେ‌ଷ୍ଟ୍‌ର ପଞ୍ଚମ ଦିବସରେ ଅପରାଜିତ ପାଳି ଅବସରରେ ରୁଟ୍‌ ଚଳିତ କ୍ୟାଲେଣ୍ଡର ବର୍ଷରେ ନିଜର ଶତକ ସଂଖ୍ୟାକୁ ୫ରେ ପହଞ୍ଚାଇଥିଲେ। ଏହି ପାଳି ଖେଳି ରୁଟ୍‌ ମଧ୍ୟ ଭାରତ-ଇଂଲଣ୍ଡ ଟେ‌ଷ୍ଟ୍‌ ମୁହାଁମୁହିରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ହେବାରେ ଗାଭାସ୍କରଙ୍କୁ ଟପି ଯାଇଥିଲେ। ଏଥି ସହିତ ରୁଟ୍‌ ଉଭୟ ଦଳ ମଧ୍ୟରେ ସର୍ବାଧିକ ରନ୍‌ ସଂଗ୍ରହ କରିବାରେ ଦ୍ବିତୀୟ ବ୍ୟାଟର୍‌ ହୋଇଥିଲେ। ୨୦୧୨ରୁ ଭାରତ ବିପକ୍ଷରେ ଟେଷ୍ଟ୍‌ ଖେଳିଥିବା ରୁଟ୍‌ ୨୫ ମ୍ୟାଚ୍‌ରୁ ୬୨.୭୨ ହାରରେ ୨୫୦୯ ରନ୍‌ କରିଛନ୍ତି। ତୁଳନାତ୍ମକ ଭାବେ ଗାଭାସ୍କର ଇଂଲଣ୍ଡ ବିପକ୍ଷରେ ୩୮ ମ୍ୟାଚ୍‌ରୁ ୨୪୮୩ ରନ୍‌ କରିଥିଲେ। ଏବେ ରୁଟ୍‌ କେବଳ ମହାନ୍‌ ଭାରତୀୟ ବ୍ୟାଟର୍‌ ସଚିନ ତେନ୍ଦୁଲକର (୨୫୩୫ ରନ୍‌)ଙ୍କ ପଛକୁ ରହିଛନ୍ତି।

ଦ୍ବିତୀୟ ପାଳି ଶତକ ରୁଟ୍‌ଙ୍କର ଭାରତ ବିପକ୍ଷରେ ନବମ ଥିଲା। ଯାହାକି ଭାରତ ବିପକ୍ଷରେ ବିଶ୍ବର କୌଣସି ବ୍ୟାଟର୍‌ଙ୍କ ତୁଳନାରେ ସର୍ବ‌ାଧିକ। ଏକ୍ଷେତ୍ରରେ ରୁଟ୍‌ ମଧ୍ୟ ରିକି ପଣ୍ଟିଂଙ୍କୁ ପଛରେ ପକାଇ ଦେଇଛନ୍ତି। ପଣ୍ଟିଂ ଭାରତ ବିପକ୍ଷରେ ସର୍ବାଧିକ ୮ ଶତକ (୨୯ ଟେଷ୍ଟ୍‌) ଜମାଇଥିଲେ। ମୋଟ ଉପରେ ଭାରତ ବିପକ୍ଷରେ ସବୁଠୁ ଅଧିକ ରନ୍‌ ସ୍କୋର୍‌ କରିବା ବ୍ୟାଟର୍‌ଙ୍କ ମଧ୍ୟରେ ରୁଟ୍‌ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ପଣ୍ଟିଂ (୨୫୫୫ ରନ୍‌) ଏକ୍ଷେତ୍ରରେ ପ୍ରଥମରେ ଅଛନ୍ତି। ୨୮ତମ ଶତକ ହାସଲ କରି ରୁଟ୍‌ ନିଜ ଜାଜୁଲ୍ୟମୟ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ସେ ଫାବ୍‌ ଫୋର୍‌ ବ୍ୟାଟର୍‌ଙ୍କ ତାଲିକାରେ ସର୍ବାଗ୍ରେ ରହିଛନ୍ତି। ସର୍ବାଧିକ ଟେଷ୍ଟ୍‌ ଶତକର ସର୍ବକାଳୀନ ତାଲିକାରେ ସେ ବିରାଟ କୋହଲି ଏବଂ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଟପି ଯାଇଛନ୍ତି। ରୁଟ୍‌ ମୋଟାମୋଟି ଭାବେ ଏହି ତାଲିକାରେ ପଞ୍ଚଦଶ ସ୍ଥାନରେ ରହିଥିଲା ବେଳେ ସକ୍ରିୟ କ୍ରିକେଟର୍‌ଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧିତ ଖବର