ରୁଟ୍‌ଙ୍କ ଶତକ: ଇଂଲଣ୍ଡ ୧୮୫ ରନ୍‌ରେ ଆଗୁଆ

ଗଲ୍‌ ଟେଷ୍ଟ୍‌ ଦ୍ବିତୀୟ ଦିନ ବର୍ଷା ବାଧକ

ଗଲ୍ : ଡେନ୍ ବେସ ଓ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଘାତକ ବୋଲିଂ ପରେ ଅଧିନାୟକ ଜୋ ରୁଟ୍‌ଙ୍କ ଅପରାଜିତ ଶତକ ଏବଂ ପଦାର୍ପଣକାରୀ ଡାନିଏଲ୍‌ ଲରେନ୍ସଙ୍କ ସହ ଚତୁର୍ଥ ୱିକେଟ୍‌ରେ କୀର୍ତ୍ତିମାନଭରା ୧୭୩ ରନ୍‌ ଭାଗୀଦାରି ବଳରେ ଭ୍ରମଣକାରୀ ଇଂଲଣ୍ଡ ଏଠାରେ ଚାଲିଥିବା ଗଲ୍‌ ଟେଷ୍ଟ୍‌ର ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ଦିବସରେ ୪ ୱିକେଟ୍‌ ବିନିମୟରେ ୩୨୦ ରନ୍‌ କରିନେଇଛି। ଏଥି ସହିତ ହାତରେ ୬ ୱିକେଟ୍‌ ଥାଇ ଘରୋଇ ଶ୍ରୀଲଙ୍କା ପ୍ରଥମ ପାଳି ସ୍କୋର୍‌ଠାରୁ ୧୮୫ ରନ୍‌ ଅଗ୍ରଣୀ ପାଇସାରିଛି।

ବର୍ଷା ଯୋଗୁଁ ଦ୍ବିତୀୟ ଦିବସ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା ବେଳେ ଚା’ପାନ ବିରତି ପରେ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଦ୍ବିତୀୟ ଦିବସରେ ମୋଟ ୫୩ ଓଭର ଖେଳ ସମ୍ଭବ ହୋଇଥିଲା। ଏଥିରେ ଇଂଲଣ୍ଡ ପୂର୍ବଦିନ ସ୍କୋର୍‌ (୧୨୭/୨)ରେ ଆଉ ୧୯୩ ରନ୍ ଯୋଡ଼ି ୨ ୱିକେଟ୍‌ ହରାଇଛି। ଜନି ବେୟାରଷ୍ଟୋ (୪୭) ପୂର୍ବଦିନ ସ୍କୋର୍‌ରେ ହିଁ ଲସିଥ୍‌ ଏମ୍ବୁଲଦେନିୟାଙ୍କ ତୃତୀୟ ଶିକାର ହୋଇଥିଲେ। ହେଲେ ପୂର୍ବଦିନ ୬୬ ରନ୍‌ରେ ଅପରାଜିତ ରହିଥିବା ରୁଟ୍‌ କ୍ରିଜ୍‌ରେ ଜମିରହି ନିଜର ଅଷ୍ଟାଦଶ ଟେ‌ଷ୍ଟ୍‌ ଶତକ ପୂରଣ କରିଥିଲେ। ୨୦୨୦ରେ ଗୋଟିଏ ହେଲେ ଶତକ ହାସଲ କରିପାରିନଥିବା ରୁଟ୍‌ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୧୬୮ ରନ୍‌ରେ ଅପରାଜିତ ରହିଛନ୍ତି। ଏଥି ସହିତ ରୁଟ୍‌ ମଧ୍ୟ ଶ୍ରୀଲଙ୍କା ମାଟିରେ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ ଭାବେ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର୍‌ କରିବାର ଗୌରବ ବହନ କରିଛନ୍ତି। ସେ ୧୫୨ ରନ୍‌ କରିଥିଲା ବେଳେ କେଭିନ୍‌ ପିଟରସନ୍‌ (୧୫୧ ରନ୍‌, କଲମ୍ବୋ, ୨୦୧୨)ଙ୍କ କୀର୍ତ୍ତିମାନକୁ ଟପି ଯାଇଥିଲେ। ସେ ମଧ୍ୟ ଅଷ୍ଟମ ଥର ପାଇଁ ୧୫୦ରୁ ଅଧିକ ସ୍କୋର୍‌ କରିଛନ୍ତି। ପୁଣି ଲରେନ୍ସ (୭୩)ଙ୍କ ସହ ଚତୁର୍ଥ ୱିକେଟ୍‌ରେ ୧୭୩ ରନ୍ ଯୋଡ଼ି ଦଳର ସ୍ଥିତି ମଜବୁତ୍‌ କରିଥିଲେ। ଅବଶ୍ୟ ଲରେନ୍ସ ୬୩ ଓ ୭୦ ରନ୍‌ ବେଳେ ଦୁଇ ଥର ଜୀବନଦାନ ପାଇଥିଲେ। ତେବେ ସେମାନଙ୍କ ୧୭୩ ରନ୍‌ ଶ୍ରୀଲଙ୍କାରେ ଇଂଲଣ୍ଡର ସର୍ବୋଚ୍ଚ ଚତୁର୍ଥ ୱିକେଟ୍‌ କୀର୍ତ୍ତିମାନ ରହିଛି।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୪୬.୧ ଓଭରରେ ୧୩୫ (ଦୀନେଶ ଚାନ୍ଦିମାଳ-୨୮, ଆଞ୍ଜେଲୋ ମ୍ୟାଥୁସ୍-୨୭, ଡୋମିନିକ୍ ବେସ୍-୫/୩୦, ଷ୍ଟୁଆର୍ଟ ବ୍ରଡ୍-୩/୨୦, ଜ୍ୟାକ୍‌ ଲିଚ୍‌-୧/୫୫)। ଇଂଲଣ୍ଡ‌ ପ୍ରଥମ ପାଳି: ୯୪ ଓଭରରେ ୩୨୦/୪ (ଜୋ ରୁଟ୍‌-୧୬୮*, ଡାନିଏଲ୍‌ ଲରେନ୍ସ-୭୩, ଜନି ବେୟାରଷ୍ଟୋ-୪୭, ଲସିଥ୍‌ ଏମ୍ବୁଲଦେନିୟା-୩/୧୩୧, ଦିଲ୍‌ରୁୱାନ୍‌ ପେରେରା-୧/୮୨)

ସମ୍ବନ୍ଧିତ ଖବର