୧୦୦ତମ ଟେଷ୍ଟ୍‌ରେ ରୁଟ୍‌ଙ୍କ ଶତକ

ଚେନ୍ନାଇ : ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ନିଜର ୧୦୦ତମ ଟେଷ୍ଟ୍‌ରେ ଶତକ ହାସଲ କରିଛନ୍ତି। ଶୁକ୍ରବାର ସ୍ଥାନୀୟ ଏମ୍‌ଏ ଚିଦମ୍ବରମ୍‌ ଷ୍ଟାଡିୟମ୍‌ରେ ଭାରତ ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ର ପ୍ରଥମ ଦିବସରେ ହିଁ ରୁଟ୍‌ ଅପରାଜିତ ଶତକୀୟ ପାଳି ଖେଳି ୧୦୦ତମ ଟେଷ୍ଟ୍‌କୁ ସ୍ମରଣୀୟ କରିଛନ୍ତି। ଇଂଲଣ୍ଡ ପ୍ରଥମ ପାଳିରେ ଅଫ୍‌ ସ୍ପିନର ୱାସିଂଟନ୍‌ ସୁନ୍ଦରଙ୍କ ବଲ୍‌ରେ ସିଙ୍ଗଲ୍‌ ରନ୍‌ ନେଇ ରୁଟ୍‌ ତାଙ୍କ ଟେଷ୍ଟ୍‌ ଜୀବନର ୨୦ତମ ଶତକ ପୂରଣ କରିଥିଲେ। ଚେନ୍ନାଇରେ ଶତକ ଜମାଇବା ପରେ ଉତ୍ସାହିତ ଇଂଲଣ୍ଡ ଡ୍ରେସିଂ ରୁମ୍‌ ଆଡ଼କୁ ସେ ବ୍ୟାଟ୍‌ ଦେଖାଇ ଅଭିନନ୍ଦନ ସାଉଁଟିଥିଲେ। ସ୍ମରଣୀୟ ୧୦୦ତମ ଟେଷ୍ଟ୍‌ରେ ଶତକ ହାସଲ କରିଥିବାରୁ ନିଜେ ରୁଟ୍‌ ଓ ତାଙ୍କ ପରିବାର ଗର୍ବ ଅନୁଭବ କରିଛନ୍ତି। ରୁଟ୍‌ କ୍ରିକେଟ୍‌ର ଜଣେ ମହାନ୍‌ ଛାତ୍ର। ସେ ନିଜ ଖେଳର ସ୍ତର ବଢ଼ାଇବା ସାଙ୍ଗକୁ ଅଧିକରୁ ଅଧିକ ରନ୍‌ ସଂଗ୍ରହ କରିବା ଉପରେ ନଜର ଦେଇଥା’ନ୍ତି ବୋଲି କହିଛନ୍ତି ଇଂଲଣ୍ଡ ଦଳର ସହକାରୀ ପ୍ରଶିକ୍ଷକ ଗ୍ରାହାମ୍‌ ଥର୍ପ।

୨୦୧୨ରେ ଭାରତରେ ହିଁ ପଦାର୍ପଣ କରିଥିବା ଡାହାଣହାତୀ ବ୍ୟାଟ୍‌ସମ୍ୟାନ୍‌ ରୁଟ୍‌ ଗତ ଶ୍ରୀଲଙ୍କା ଶୃଙ୍ଖଳାର ଫର୍ମକୁ ବଜାୟ ରଖିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ସେ ୨୨୮ ଓ ୧୮୬ ରନ୍‌ର ପାଳି ଖେଳିଥିଲେ। ସେହି ୨-୦ର ମୂଳପୋଛ ଶୃଙ୍ଖଳାରେ ସେ ମଧ୍ୟ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ।

ଏବେ ଭାରତକୁ ମଧ୍ୟ ଆରମ୍ଭରୁ ଚେତାବନୀ ଛାଡ଼ିଛନ୍ତି। ଭାରତୀୟ ସ୍ପିନରଙ୍କୁ ଷ୍ଟାଡିୟମ୍‌ର ଚାରିଆଡ଼କୁ ସର୍ଟମାନ ମାରି ସେ ୧୬୪ ବଲ୍‌ରୁ ମାଇଲଖୁଣ୍ଟ ୧୦୦ତମ ମ୍ୟାଚ୍‌ରେ ଶତକ ପୂରଣ କରିନେଇଥିଲେ। ଏଥି ସହିତ ସେ ଏଭଳି କୀର୍ତ୍ତିମାନ ହାସଲ କରିବାରେ କଲିନ୍‌ କାଉଡ୍ରି ଓ ଆଲେକ୍‌ ଷ୍ଟିୱାର୍ଟଙ୍କ ପରେ ତୃତୀୟ ଇଂଲିସ୍‌ ଏବଂ ମୋଟ ଉପରେ ନବମ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। କେବଳ ସେତିକି ନୁହେଁ ରୁଟ୍‌ ମଧ୍ୟ ନିଜର କ୍ରମାଗତ ତିନି (୯୮ତମ, ୯୯ତମ ଓ ୧୦୦ତମ) ଟେଷ୍ଟ୍‌ରେ ଶତକ ଜମାଇବାରେ ପ୍ରଥମ ଖେଳାଳି ହୋଇଛନ୍ତି।

 

୧୦୦ ମ୍ୟାଚ୍‌ ଖେଳିବାରେ ରୁଟ୍‌ ପଞ୍ଚଦଶ ଇଂଲଣ୍ଡ ଖେଳାଳି
ହାରାହାରି ୪୯ରେ ୮୦୦୦ରୁ ଅଧିକ ରନ୍‌ କରିସାରିଥିବା ୩୦ ବର୍ଷ ବୟସ୍କ ରୁଟ୍‌ ଟେଷ୍ଟ୍‌ କ୍ରିକେଟ୍‌ର ୧୪୪ ବର୍ଷ ଇତିହାସରେ ୧୦୦ ମ୍ୟାଚ୍‌ ଖେଳିବାରେ ପଞ୍ଚଦଶ ଇଂଲଣ୍ଡ ଖେଳାଳି ହୋଇଛନ୍ତି। ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟ୍‌ର ଶୁକ୍ରବାର ପ୍ରଥମ ଦିବସ ଖେଳ ଆରମ୍ଭ ପୂର୍ବରୁ ରୁଟ୍‌ଙ୍କୁ ସାଥୀ ଖେଳାଳି ତଥା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ୧୦୦ତମ କ୍ୟାପ୍‌ (ଟୋପି) ପ୍ରଦାନ କରିଥିଲେ। ରୁଟ୍‌ ଇତିମଧ୍ୟରେ ୨୦ ଶତକ ଓ ୪୯ ଅର୍ଦ୍ଧଶତକ ସହାୟତାରେ ୮୩୭୭* ରନ୍‌ କରିସାରିଲେଣି। ଏକ୍ଷେତ୍ରରେ ରୁଟ୍‌ ମଧ୍ୟ ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍‌ (୧୨,୪୭୨), ଗ୍ରାହାମ୍‌ ଗୁଚ୍‌ (୮୯୦୦) ଓ ଆଲେକ୍‌ ଷ୍ଟିୱାର୍ଟ (୮୪୬୩)ଙ୍କ ପରେ ଇଂଲଣ୍ଡ ପକ୍ଷରୁ ଚତୁର୍ଥ ସର୍ବୋଚ୍ଚ ଟେଷ୍ଟ୍‌ ସ୍କୋରର୍‌ ରହିଛନ୍ତି।

ସମ୍ବନ୍ଧିତ ଖବର