ରୁଟ୍‌ଙ୍କ କ୍ରମାଗତ ଶତକ: ଇଂଲଣ୍ଡ ୩୩୯/୯

ଏମ୍ବୁଲଡେନିୟାଙ୍କ ୭ ୱିକେଟ୍‌ ବଳରେ ଶ୍ରୀଲଙ୍କାର ଅଗ୍ରଣୀ ସୁଯୋଗ

ଗଲ୍‌ : ଲସିଥ୍‌ ଏମ୍ବୁଲଡେନିୟାଙ୍କ ଚମତ୍କାର ବୋଲିଂ ବଳରେ ଘରୋଇ ଶ୍ରୀଲଙ୍କା ଏଠା‌ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ତୃତୀୟ ଦିବସରେ ଅଗ୍ରଣୀ ସୁଯୋଗ ପାଇଛି। ପ୍ରଥମ ପା‌ଳିରେ ୩୮୧ ରନ୍‌ କରିଥିବା ଶ୍ରୀଲଙ୍କା ପକ୍ଷରୁ ଏମ୍ବୁଲଡେନିୟା ୧୩୨ ରନ୍‌ରେ ୭ ୱିକେଟ୍‌ ଦଖଲ କରି ଇଂଲଣ୍ଡକୁ ରୋକିଛନ୍ତି। ଅଧିନାୟକ ଜୋ ରୁଟ୍‌ଙ୍କ ଦମ୍‌ଦାର ଶତକ (୧୮୬) ସତ୍ତ୍ବେ ଦିବସର ଶେଷ ଆଡ଼କୁ ୬ ରନ୍‌ ଭିତରେ ୩ ୱିକେଟ୍‌ ହରାଇ ଇଂଲଣ୍ଡ ପାଳି ଅଗ୍ରଣୀ ସୁଯୋଗ ହାତଛଡ଼ା କରିଛି। ଫଳରେ ଏକ ସମୟରେ ୩୩୩ ରନ୍‌ରେ ୬ ୱିକେଟ୍‌ ହରାଇଥିବା ଇଂଲଣ୍ଡ ୩୩୯ ରନ୍‌‌ରେ ୯ ୱିକେଟ୍‌ ହରାଇବସିଛି। ରୁଟ୍‌ ନବମ ବ୍ୟାଟ୍‌ସମ୍ୟାନ୍‌ ଭାବେ ରନ୍‌ ଆଉଟ୍‌ ହେବା ପରେ ପରେ ତୃତୀୟ ଦିବସର ଷ୍ଟମ୍ପ୍‌ସ ପ୍ରତ୍ୟାହାର ହୋଇଥିଲା। ସେତେବେଳକୁ ହାତରେ ଗୋଟିଏ ୱିକେଟ୍‌ ଥାଇ ଇଂଲଣ୍ଡ ଏବେ ବି ଶ୍ରୀଲଙ୍କା ପ୍ରଥମ ପାଳି ସ୍କୋର୍‌ଠାରୁ ୪୨ ରନ୍ ଦୂରରେ ରହିଛି। ରୁଟ୍‌ଙ୍କ ବ୍ୟତୀତ ୱିକେଟ୍‌ରକ୍ଷକ ଜୋସ୍‌ ବଟ୍ଟଲର (୫୫) ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ଡୋମିନିକ୍‌ ବେସ୍‌ ୩୨, ଜନି ବେୟା‌ରଷ୍ଟୋ ୨୮ ଓ ସାମ୍‌ କରନ ୧୩ ରନ୍‌ କରିଥିଲେ। ଶନିବାର ସ୍କୋର୍‌ ୯୮/୨ରୁ ଖେଳିଥିବା ଇଂଲଣ୍ଡ ରବିବାର ୮୪.୨ ଓଭର ଖେଳି ୨୪୧ ରନ୍ ଯୋଡ଼ିଥିଲା ବେଳେ ୭ ୱିକେଟ୍‌ ହରାଇଛି।

ରୁଟ୍‌ଙ୍କ ୧୯ତମ ଶତକ
ରୁଟ୍‌ ରବିବାର ନିଜ ଟେଷ୍ଟ୍‌ ଜୀବନର ୧୯ତମ ଶତକ ହାସଲ କରିଥିଲେ। ଅଧିନାୟକ ଭାବେ ଏହା ମଧ୍ୟ ରୁଟ୍‌ଙ୍କ ଅଷ୍ଟମ ଶତକ। ସେ ୩୦୯ ବଲ୍‌ ଖେଳି ୧୮ ଚୌକା ସହାୟତାରେ ୧୮୬ ରନ୍‌ କରିଥିଲା ବେଳେ ଓସାଦା ଫର୍ନାଣ୍ଡୋଙ୍କ ଦ୍ବାରା ରନ୍‌ ଆଉଟ୍‌ ହୋଇଥିଲେ। ହେଲେ ରୁଟ୍‌ ଚଳିତ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ କ୍ରମାଗତ ଶତକ ଜମାଇଛନ୍ତି। ଏହା ପୂର୍ବରୁ ଇଂଲଣ୍ଡ ଜିତିଥିବା ପ୍ରଥମ ଟେଷ୍ଟ୍‌ରେ ସେ ୨୨୮ ରନ୍‌ କରିଥିଲେ। ଯାହାକି ଅଧିନାୟକ ଭାବେ ତାଙ୍କର ସପ୍ତମ ଶତକ ଥିଲା। ରବିବାର ୧୮୬ ରନ୍‌ରେ ରୁଟ୍‌ ଆଉଟ୍‌ ହେବା ପୂର୍ବରୁ ବେୟାରଷ୍ଟୋଙ୍କ ସହ ତୃତୀୟ ୱିକେଟ୍‌ରେ ୧୧୧ ଏବଂ ବଟ୍ଟଲର୍‌ଙ୍କ ସହ ପଞ୍ଚମ ୱିକେଟ୍‌ରେ ୯୭ ରନ୍ ଯୋଡ଼ି ଇଂଲଣ୍ଡକୁ ବଡ଼ ସ୍କୋର୍‌ର ଆଶା ଦେଇଥିଲେ। ତେବେ ଦିବସର ଶେଷ ୪ ଓଭରରେ ୩ ୱିକେଟ୍‌ ହରାଇ ଇଂଲଣ୍ଡ ପାଳି ଅଗ୍ରଣୀ ଆଶା ହରାଇଛି।

ବୟକଟ୍‌, ପିଟରସନ୍‌ ଓ ଗାୱାରଙ୍କୁ ଟପିଲେ ରୁଟ୍‌
ଗଲ୍‌ରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ଶନିବାର ଦ୍ବିତୀୟ ଦିବସରେ ଇଂଲଣ୍ଡର ମହାନ୍‌ ବ୍ୟାଟ୍‌ସମ୍ୟାନ୍‌ ଜିଓଫ୍ ବୟକଟ୍‌ଙ୍କ ମୋଟ ଟେଷ୍ଟ୍‌ ରନ୍‌ (୮୧୧୪, ୧୦୮ ଟେଷ୍ଟ୍‌, ୧୯୩ ପାଳି)କୁ ଟପି ଯାଇଥିବା ଅଧିନାୟକ ଜୋ ରୁଟ୍‌ ରବିବାର ତୃତୀୟ ଦିବସରେ ସର୍ବାଧିକ ଟେଷ୍ଟ୍‌ ରନ୍‌ରେ କେଭିନ୍‌ ପିଟରସନ୍‌ ଏବଂ ଡେଭିଡ୍‌ ଗାୱାରଙ୍କୁ ଟପି ଯାଇଛନ୍ତି। ସେ କେବଳ ମୋଟ ରନ୍‌ରେ ନୁହେଁ, କମ୍‌ ପାଳି ଭିତ୍ତିରେ ମଧ୍ୟ ବୟକଟ୍‌, ପିଟରସନ୍‌ ଓ ଗାୱାରଙ୍କଠୁ ଆଗରେ ରହିଛନ୍ତି। ରବିବାର ଗଲ୍‌ ଟେଷ୍ଟ୍‌ର ତୃତୀୟ ଦିବସରେ ବ୍ୟକ୍ତିଗତ ୧୮୬ ରନ୍‌ରେ ରନ୍‌ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଯିବା ପୂର୍ବରୁ ରୁଟ୍‌ ସର୍ବାଧିକ ଟେଷ୍ଟ୍‌ ସ୍କୋର୍‌ରେ ଚତୁର୍ଥ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ଏହି ପାଳି ବଳରେ ରୁଟ୍‌ ତାଙ୍କ ମୋଟ ରନ୍‌ ସଂଖ୍ୟାକୁ ୮୨୩୫ରେ ପହଞ୍ଚାଇ ଦେଇଛନ୍ତି। ଏହି ପାଳି ଅବସରରେ ସେ ରବିବାର ପ୍ରଥମେ ପିଟରସନ୍‌ (୮୧୮୧ ରନ୍‌, ୧୦୪ ଟେଷ୍ଟ୍‌, ୧୮୧ ପାଳି) ଏବଂ ପରେ ଗାୱାର (୮୨୩୧ ରନ୍, ୧୧୭ ଟେଷ୍ଟ୍‌, ୨୦୪ ପାଳି)ଙ୍କୁ ପଛରେ ପକାଇ ଦେଇଛନ୍ତି। ଏବେ ରୁଟ୍‌ଙ୍କ ଉପରକୁ ଆଲିଷ୍ଟର କୁକ୍‌ (୧୨୪୭୨ ରନ୍‌, ୧୬୧ ଟେଷ୍ଟ୍‌, ୨୯୧ ପାଳି), ଗ୍ରାହାମ ଗୁଚ୍‌ (୮୯୦୦ ରନ୍‌, ୧୧୮ ଟେଷ୍ଟ୍‌, ୨୧୫ ପାଳି) ଏବଂ ଆଲେକ୍‌ ଷ୍ଟିୱାର୍ଟ (୮୪୬୩ ରନ୍‌, ୧୩୩ ଟେଷ୍ଟ୍‌, ୨୩୫ ପାଳି) ରହିଛନ୍ତି। ୨୦୧୨ରେ ଭାରତ ବିପକ୍ଷ ନାଗପୁରରେ ପଦାର୍ପଣ କରିଥିବା ରୁଟ୍‌ ୯୯ତମ ଟେଷ୍ଟ୍‌ (୧୮୦ ପାଳି) ଖେଳୁଥିଲା ବେଳେ ନିଜର ୧୯ତମ ଶତକ ହାସଲ କରିନେଇଛନ୍ତି। ଏଥି ସହିତ ସେ ମଧ୍ୟ ଟେଷ୍ଟ୍‌ ହାରାହାରି (୪୯.୯୦)କୁ ୫୦ ପାଖାପାଖି ପହଞ୍ଚାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର