ଲିଡ୍ସ: ବ୍ୟାଟ୍ସମ୍ୟାନ୍ଙ୍କ ବିଫଳତା ପରେ ଭାରତୀୟ ବୋଲରମାନଙ୍କୁ ମଧ୍ୟ ନୟାନ୍ତ ହେବାକୁ ପଡିଛି। ଅନ୍ୟପକ୍ଷରେ ଅତି ସହଜରେ ରନ୍ ସଂଗ୍ରହ କରି ଲିଡ୍ସ ଟେଷ୍ଟକୁ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେଇଯାଇଛି ଇଂଲଣ୍ଡ। ଲଗାତାର ଦ୍ବିତୀୟ ଦିନ ପାଇଁ ଭାରତୀୟ ଖେଳାଳି ସଂଘର୍ଷ କରିବାରୁ ଏବେ ବିରାଟ କୋହଲିଙ୍କ ଦଳକୁ ମ୍ୟାଚ୍ ବଞ୍ଚାଇବା ସ୍ଥିତି ଫେରିପାଇବା କାଠିକର ପାଠ ହେବାକୁ ଯାଉଛି। ଭାରତର ପ୍ରଥମ ପାଳି ମାତ୍ର ୭୮ ରନ୍ରେ ସୀମିତ ହେବା ପରେ ଗୁରୁବାର ଦ୍ବିତୀୟ ଦିନ ସୁଦ୍ଧା ଜୋ ରୁଟ୍ଙ୍କ ଲଗାତାର ୩ୟ ଶତକ (୧୨୩) ବଳରେ ଇଂଲଣ୍ଡ ୮ ୱିକେଟ୍ ହରାଇ ୪୨୩ ରନ୍ ସଂଗ୍ରହ କରି ନେଇଥିଲା। ଇଂଲଣ୍ଡର ଅଗ୍ରଣୀ ୩୪୫ ରନ୍ ହୋଇ ସାରିଛି।
ଗୁରୁବାର ଇଂଲଣ୍ଡ ପୂର୍ବଦିନର ସ୍କୋର୍ ୧୨୦/୦ରୁ ଖେଳିଥିବା ବେଳେ ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଦେଜା ପ୍ରଥମରୁ ଦୁଇଟି ୱିକେଟ୍ ଦେବାରୁ ଭାରତ ପ୍ରତ୍ୟାବର୍ତନର ସୁଯୋଗ ପାଇଥିଲା। ରୋରି ବର୍ଣ୍ଣସ (୬୧)ଙ୍କୁ ଜନ୍ମଦିନରେ ଶତକ ହାସଲ କରିବାରୁ ସୁଯୋଗ ନ ଦେଇ ବୋଲ୍ଠଡ କରି ଦେଇଥିଲେ ସାମି। ଦୃଢ଼ ଭାବେ ଖେଳୁଥିବା ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହସିବ୍ ହମିଦ୍ (୬୮)ଙ୍କୁ ଜାଦେଜା ପ୍ଲେଡ୍ ଅନ୍ ବୋଲ୍ଡ କରି ଦେଇଥିଲେ। ଭାରତକୁ କିନ୍ତୁ ପ୍ରତ୍ୟାବର୍ତନର ସୁଯୋଗ ଦେଇନଥିଲେ ଜୋ ରୁଟ୍ ଏବଂ ଦାୱିଦ ମଲାନ। ତୃତୀୟ ୱିକେଟ୍ ପାଇଁ ୧୩୯ ରନ୍ ଯୋଡ଼ି ଭାରତୀୟ ବୋଲରଙ୍କୁ ମଝି ଅଧିବେଶନରେ ଏକ ପ୍ରକାର ୱିକେଟଶୂନ୍ୟ ରଖିଥିଲେ। ମଲାନଙ୍କୁ ସିରାଜ ଚା’ପାନ ବିରତି ପୂର୍ବର ଶେଷ ବଲ୍ରେ କଟ୍ ବିହାଇଣ୍ଡ କରାଇଥିଲେ। ତା’ ପୁଣି ସିରାଜ ବ୍ୟକ୍ତିଗତ ଭାବେ କୋହଲିଙ୍କୁ ପ୍ରବର୍ତାଇବା ପରେ ରିଭ୍ୟୁ ଜରିଆରେ ମିଳିଥିଲା।
ବିରତି ପରେ ଜନି ବେୟାରଷ୍ଟୋଙ୍କୁ ସାଥି କରି ରୁଟ୍ ୫୨ ରନ୍ ଯୋଡ଼ିଥିଲେ। ବେୟାରଷ୍ଟୋ ଏବଂ ବଟ୍ଟଲରଙ୍କୁ ନିଜର ଗୋଟିଏ ଓଭର ବ୍ୟବଧାନରେ ସାମି ଆଉଟ୍ କରିଥିଲେ। ଅଧିନାୟକ ରୁଟ୍ କିନ୍ତୁ ନିଜର ୨୩ତମ ଟେଷ୍ଟ ଶତକ ପୂର୍ଣ୍ଣ କରି ଅନନ୍ୟ କୃତିତ୍ବ ଅର୍ଜନ କରିଥିଲେ। ଲଗାତାର ୩ ଟେଷ୍ଟରେ ଶତକ ହାସଲ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଇଂଲଣ୍ଡର ଅଗ୍ରଣୀ ଟେଷ୍ଟ୍ ଶତକ ହାସଲକାରୀ ତାଲିକାରେ କେଭିନ୍ ପିଟରସନ୍ (୨୩ ଶତକ)ଙ୍କ ସମକକ୍ଷ ହୋଇ ଯୁଗ୍ମ ଦ୍ବିତୀୟକୁ ଉଠିଥିଲେ। କେବଳ ଆଲେଷ୍ଟର୍ କୁକ୍ (୩୩ ଶତକ) ତାଙ୍କ ଆଗରେ ରହିଛନ୍ତି। ଗୁରୁବାରର ଶତକୀୟ ପାଳି ଅବସରରେ ସେ ଇଆନ ବେଲ୍, ଜିଓଫ୍ରେ ବୟକଟ୍, କଲିନ୍ କାଉଡ୍ରେ ଏବଂ ୱିଲି ହାମଣ୍ଡ୍ (ପ୍ରତ୍ୟେକ ୨୨ ଟେଷ୍ଟ୍)ଙ୍କୁ ପଛରେ ପକାଇ ଦେଇଥିଲେ।
ସୂଚନାଯୋଗ୍ୟ, ରୁଟ୍ ନଟିଂହାମ୍ରେ ୬୪ ଓ ୧୦୯, ଲର୍ଡସରେ ୧୮୦* ଓ ୩୩ ରନ୍ କରିବା ପରେ ଏବେ ଲିଡ୍ସରେ ମଧ୍ୟ ଆଉ ଏକ ଶତକୀୟ ପାଳି (୧୨୧, ୧୬୫ ବଲ୍, ୧୪ ଚୌକା) ଖେଳିଛନ୍ତି। ଏଥି ସହ ୨୦୨୧ ମସିହାର ଅଗ୍ରଣୀ ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ରୋହିତ ଶର୍ମାଙ୍କୁ ପ୍ରାୟ ୭୦୦ ରନ୍ ପଛରେ ପକାଇ ଦେଇଛନ୍ତି। ରୁଟ୍ଙ୍କ ୱିକେଟ୍କୁ ଶେଷରେ ଯଶପ୍ରୀତ୍ ବୁମରା ନେଇଥିଲେ। ଇଂଲଣ୍ଡର ଅଗ୍ରଣୀ ୩୦୫ ରନ୍ ଦେବା ପରେ ରୁଟ୍ ଷଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ। ମୋଇନ୍ ଅଲୀଙ୍କୁ ରବୀନ୍ଦ୍ର ଜାଦେଜା ନିଜର ଦ୍ବିତୀୟ ଶିକାର କରିଥିଲେ।