କଟକ: ପୂର୍ବତନ ଆନ୍ତର୍ଜାତିକ ମହିଳା କ୍ରିକେଟର୍‌ ତଥା ଅଲ୍‌ରାଉଣ୍ଡର ରୋସ୍‌ନାରା ପରବିନ୍ କ୍ରିକେଟର ସବୁ ଫର୍ମାଟରୁ ଅବସର ଗ୍ରହଣ କରିଛନ୍ତି। ଚଳିତ ମାସ ପହିଲାରେ (ବୁଧବାର) ସେ ଆନୁଷ୍ଠାନିକ ଭାବେ ଏହି ‌ଘୋଷଣା କରିଛନ୍ତି। ଭାରତୀୟ ଜାତୀୟ ଦଳ ସମେତ ଘରୋଇ ଓଡ଼ିଶା ଦଳ ପାଇଁ ଉଭୟ ଏକଦିବସୀୟ ଓ ଟି-୨୦ ଫର୍ମାଟ୍‌ରେ ତାଙ୍କର ବିଶେଷ ଅବଦାନ ରହିଛି। ୧୯୯୨ ମସିହା ମେ’ ୪ ତାରିଖରେ ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିବା ରୋସ୍‌ନାରା ୨୦୧୦ରେ ୧୯ବ‌ର୍ଷରୁ କମ୍ ଓଡ଼ିଶା ଦଳରେ ସ୍ଥାନ ପାଇ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୧ରେ ସେ ଓଡ଼ିଶାର ବରିଷ୍ଠ ମହିଳା ଦଳରେ ସ୍ଥାନ ପାଇଥିଲେ। 

Advertisment

ରୋସ୍‌ନାରା ୧୯ବର୍ଷରୁ କମ୍ ଦଳରେ ସ୍ଥାନ ପାଇ ରାଜ୍ୟ ପାଇଁ ୭ଟି ଏକଦିବସୀୟ ମ୍ୟାଚ୍, ବରିଷ୍ଠ ଓଡ଼ିଶା ମହିଳା ଦଳରେ ୪୪ଟି ଟି-୨୦ ମ୍ୟାଚ୍‌ ସମେତ ୩୪ଟି ଏକଦିବସୀୟ ଖେଳିଛନ୍ତି। ଏହା ବ୍ୟତୀତ ସେ ୩ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ। ୨୦୧୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମହିଳା ବିଶ୍ବକପ୍ (ଏକଦିବସୀୟ ମ୍ୟାଚ୍‌) ଖେଳିଥିବା ବେଳେ ୨୦୧୨ରେ ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ଖେଳି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଅନ୍ତର୍ଜାତୀୟ ଦିନିକିଆରେ ସେ ମାତ୍ର ୪୨ଟି ବଲ୍‌ ବୋଲିଂ କରିବାକୁ ସୁଯୋଗ ପାଇଥିଲା ବେଳେ ୱିକେଟ୍‌ଶୂନ୍ୟ ରହିଥିଲେ। ଟି-୨୦ରେ ୪୮ଟି ବଲ୍‌ ପକାଇ ୪ ୱିକେଟ୍‌ ସଫଳତା ପାଇଛନ୍ତି। ଉଭୟ ପାକିସ୍ତାନ (୨/୧୫) ଓ ଶ୍ରୀଲଙ୍କା (୨/୨୩) ବିପକ୍ଷରେ ୨ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି। ସଂପ୍ରତି ରୋସ୍‌ନାରା ଓଡ଼ିଶା ପୁଲିସରେ ସବ୍‌ଇନିସପେକ୍ଟର ଭାବେ କାର୍ଯ୍ୟରତ। ରୋସ୍‌ନାରାଙ୍କ ଅବସର ଘୋଷଣା ପରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ‌ବେହେରାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।