ହକି ବିଶ୍ବକପ୍ ପାଇଁ ରାଉରକେଲା ଭିତ୍ତିଭୂମିର ସମୀକ୍ଷା

ଷ୍ଟାଡିୟମର ନବୀକରଣ ନିର୍ଦ୍ଧାରିତ ସମୟରେ ସରିବ
ସିଟ୍‌ସଂଖ୍ୟା ୨୦ ହଜାର ହେବ
ବିମାନ ବନ୍ଦର, ରହଣି ବ୍ୟବସ୍ଥା ଉପରେ ଆଲୋଚନା

ରାଉରକେଲା : ରାଉରକେଲାରେ ୨୦୨୩ ହକି ବିଶ୍ବକପ୍‌ ଆୟୋଜନ ପାଇଁ ଶୁକ୍ରବାର ମୂଳଦୁଆ ପଡ଼ିଛି। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ, ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସମେତ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା, ସିଇଓ ଏଲିନା ନର୍ମନ, ଯୁଗ୍ମ ନିର୍ଦ୍ଦେଶକ ବିଏନ ଭୂଷଣ, ପ୍ରବନ୍ଧକ ସଂଯୋଜକ ଆହାଦ ଆଜମ୍‌, ବରିଷ୍ଠ ପ୍ରବନ୍ଧକ (କମ୍ପିଟିସନ) ବିକ୍ରମ ପାଲ ସିଂହ ପ୍ରମୁଖ ଆଜି ପ୍ରସ୍ତାବିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଏଠାକାର ସ୍ଥିତି, ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ଉପଲବ୍ଧ ସୁବିଧାସୁଯୋଗ ଆଦି ବୁଲି ଦେଖିଥିଲେ। ଏହାସହ ରାଉରକେଲା ସ୍ମାର୍ଟସିଟି ଅଧିନରେ ନିର୍ମାଣାଧୀନ ଅତ୍ୟାଧୁନିକ ବୀର୍ସା ମୁଣ୍ଡା ଷ୍ଟାଡିୟମ ବି ପରିଦର୍ଶନ କରିଥିଲେ।

କ୍ରୀଡ଼ା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଉରକେଲା ହାଉସ୍‌ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ସମସ୍ତ ଅଧିକାରୀ, ଅନ୍ତର୍ଜାତୀୟ ହକି ମହାସଂଘ କର୍ମକର୍ତା ଯୋଗଦେଇଥିଲେ। ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ, ସହରରେ ଖେଳାଳି ଓ ଅଫିସିଆଲମାନଙ୍କ ରହିବା ପାଇଁ ଆବଶ୍ୟକ ହୋଟେଲ ରୁମ୍‌ ସହ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ସଂପର୍କରେ ଆଲୋଚନା କରାଯାଇଥିଲା। ରାଉରକେଲା ସ୍ମାର୍ଟ ସିଟି ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ, ଯଥା-ବୀର୍ସା ମୁଣ୍ଡା ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ ଆଦିକୁ ତ୍ୱରାନ୍ୱିତ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଯୋଗେ ବୈଠକରେ ସାମିଲ ହୋଇ ବିଭିନ୍ନ ଉପାଦେୟ ପ୍ରସ୍ତାବ ରଖିଥିଲେ।

ସମୀକ୍ଷା ବୈଠକ ନେଇ କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା କହିଲେ, ଭୁବନେଶ୍ୱରରେ ୨୦୧୮ରେ ଆୟୋଜିତ ହକି ବିଶ୍ୱକପ ଅନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପାଇଁ ଗୌରବ ଆଣିଦେଇଥିଲା। ଆଗାମୀ ୨୦୨୩ ବିଶ୍ବକପ୍‌କୁ ଆୟୋଜନ କରି ଓଡ଼ିଶା ଏହି ଗୌରବକୁ ବଜାୟ ରଖିବ। ଏଥର କେବଳ ଭୁବନେଶ୍ବର ନୁହେଁ, ରାଉରକେଲାରେ ମଧ୍ୟ ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ ହେବ। ଏଥିପାଇଁ ବିଜୁ ପଟ୍ଟନାୟକ ଷ୍ଟାଡିୟମ ବିକଶିତ ହେବ। ଏଠାରେ ୨୦ ହଜାର ସିଟ୍‌ ବିଶିଷ୍ଟ ଗ୍ୟାଲେରି ସମେତ ଅନ୍ୟାନ୍ୟ ଭିତ୍ତିଭୂମିକୁ ବିକଶିତ କରାଯିବ। ନିର୍ଦ୍ଧାରିତ ସମୟରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶେଷ ହେବ। ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା, ଯଥା-ବିମାନ ସେବା, ପର୍ଯ୍ୟଟନ, ରାଜରାସ୍ତା, ହୋଟେଲ୍‌ ଆଦିର ମଧ୍ୟ ବିକାଶ ହେବ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି।

ରାଉରକେଲାରେ ନିର୍ଦ୍ଦିଷ୍ଟ କେତୋଟି ମ୍ୟାଚ୍‌ ଖେଳାଯିବା ନେଇ ପ୍ରଶ୍ନ ହେବାରୁ କହିଲେ, ରାଉରକେଲାରେ ବିଶ୍ବକପ୍‌ ମ୍ୟାଚ୍‌ ହେବା ସୁନିଶ୍ଚିତ। ତେବେ ଏଠାରେ ନିର୍ଦ୍ଦିଷ୍ଟ କେତୋଟି ମ୍ୟାଚ୍‌ ଖେଳାଯିବ, ତାହା ଚୂଡ଼ାନ୍ତ ହୋଇନି। ଏନେଇ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ। ଏହି ସମୀକ୍ଷା ବୈଠକରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍, ଆର୍‌ଏସ୍‌ପି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କାର୍ମିକ) ପିକେ ଦାଶ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବସମ୍ବଳ) ରାଜବୀର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର