ଭାରତୀୟ ହକିର ଅଭେଦ୍ୟ ଦୁର୍ଗ ‘ରାଉରକେଲା’; ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଅପରାଜେୟ

ରାଉରକେଲା: ରାଉରକେଲାସ୍ଥ ବିଶ୍ବର ସର୍ବାଧିକ ଆସନ ବିଶିଷ୍ଟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଯେ ଭାରତୀୟ ହକି ଦଳ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଛି; ଏହା ଆଉ କାହାକୁ ଅଛପା ନାହିଁ। ଜାନୁଆରିର ପୁରୁଷ ହକି ବିଶ୍ବକପ୍‌ ହେଉ ଅବା ବୁଧବାର ଶେଷ ହୋଇଥିବା ପ୍ରୋ-ଲିଗ୍‌, ସବୁଥିରେ ଭାରତ ଅପରାଜେୟ ରହିଛି। ବିଶ୍ବ ରୢାଙ୍କିଂ ତାଲିକାର ନିମ୍ନରେ ଥିବା ଦଳ ବିପକ୍ଷରେ ନୁହେଁ, ବରଂ ବହୁ ଶକ୍ତିଶାଳୀ ଦଳ ବିପକ୍ଷରେ ବିଜୟ ହାସଲ କରିଛି। ବିଶ୍ବ ବିଜେତା ଜର୍ମାନୀଠାରୁ ଆରମ୍ଭ କରି ବିଶ୍ବର ଚତୁର୍ଥ ରୢାଙ୍କ୍‌ରେ ଥିବା ଅଷ୍ଟ୍ରେଲିଆ, ସ୍ପେନ୍‌ ଭଳି ଦଳକୁ ଅନାୟାସରେ ପରାସ୍ତ କରିଛି। ଜର୍ମାନୀ ଓ ଅଷ୍ଟ୍ରେଲିଆକୁ ଲଗାତାର ଦୁଇ ଦୁଇ ଥର ପରାସ୍ତ କରିବା ଏହି ଉକ୍ତିକୁ ପ୍ରମାଣିତ କରେ।

ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରାୟ ଶତପ୍ରତିଶତ ବିଜୟ ରେକର୍ଡ ଭାରତ ସପକ୍ଷରେ ରହିଛି। ଭାରତୀୟ ଦଳ ଏଠାରେ ମୋଟ ୯ ମ୍ୟାଚ୍‌ ଖେଳିଥିଲା ବେଳେ ସେଥିରୁ ୮ଟିରେ ବିଜୟୀ ହୋଇଛି। ଅବଶିଷ୍ଟ ମ୍ୟାଚ୍‌ଟି ଅମୀମାଂସିତ ରହିଛି। ଏଠାରେ ଖେଳିବାର ଧାରା ପୁରୁଷ ହକି ବିଶ୍ବକପ୍‌ ସମୟରେ ଜାନୁଆରି ୧୩ ତାରିଖରୁ ଆରମ୍ଭ ହୋଇଥିଲା। ଉକ୍ତ ଦିନ ପୁଲ୍‌ ଡି’ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଶକ୍ତିଶାଳୀ ସ୍ପେନ୍‌କୁ ୨-୦ ଗୋଲ୍‌ରେ ପରାସ୍ତ କରି ବିଜୟରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିଲା। ଜାନୁଆରି ୧୫ ତାରିଖରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌କୁ ଭାରତ ଗୋଲ୍‌ଶୂନ୍ୟ ଭାବେ ଅମୀମାଂସିତ ରଖିଥିଲା। ଏହାପରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଓ କ୍ରସ୍‌ଓଭର ମ୍ୟାଚ୍‌ ଖେଳିଥିଲା। ତେବେ କ୍ରସ୍‌ଓଭର ମ୍ୟାଚ୍‌ରେ ଦୁର୍ଭାଗ୍ୟଜନକ ପରାଜୟ ପରେ ଭାରତୀୟ ଦଳ ପୁଣି ରାଉରକେଲାକୁ ଫେରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଏଠାରେ ପୋଜିସନିଂ ପାଇଁ ଦୁଇଟି ମ୍ୟାଚ୍‌ ଖେଳିଥିଲା। ଜାନୁଆରି ୨୬ ତାରିଖରେ ପ୍ରଥମ ପୋଜିସନିଂ ମ୍ୟାଚ୍‌ରେ ଜାପାନକୁ ୮-୦ ଗୋଲ୍‌ରେ ପରାସ୍ତ କରିଥିଲା। ଏହାଥିଲା ବିଶ୍ବକପ୍‌ ଇତିହାସରେ ଭାରତର ସର୍ବବୃହତ ବିଜୟ। ସେହିଭଳି ଜାନୁଆରି ୨୮ରେ ଦ୍ବିତୀୟ ପୋଜିସନିଂ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫-୨ ଗୋଲ୍‌ରେ ପରାସ୍ତ କରିଥିଲା। ଯଦିଓ ଭାରତ ଗତ ବିଶ୍ବକପ୍‌ରେ ନୈରାଶ୍ୟଜନକ ଭାବେ ବିଦାୟ ନେଇଥିଲା, କିନ୍ତୁ ରାଉରକେଲାରେ ଖେଳାଯାଇଥିବା ସବୁ ମ୍ୟାଚ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲା।

କେବଳ ବରିଷ୍ଠ ଭାରତୀୟ ଦଳ ନୁହେଁ, ବରଂ କନିଷ୍ଠ ଭାରତୀୟ ଦଳ ପାଇଁ ଏହି ଷ୍ଟାଡିୟମ ମଧ୍ୟ ଶୁଭ ସାବ୍ୟସ୍ତ ହୋଇଛି। ବିଶ୍ବକପ୍‌ ଅବ୍ୟବହତି ପୂର୍ବରୁ ଗତ ଡିସେମ୍ବର ଶେଷ ସପ୍ତାହରେ କନିଷ୍ଠ ଭାରତ ଓ କନିଷ୍ଠ କୋରିଆ ଦଳ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ ଖେଳାଯାଇଥିଲା। ଏହାକୁ କନିଷ୍ଠ ଭାରତୀୟ ଦଳ ମୂଳପୋଛ କରିଥିଲା। ଗତ ଡିସେମ୍ବର ୨୪ ତାରିଖରେ କନିଷ୍ଠ ଭାରତ ଓ କୋରିଆ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ଭାରତ ୫-୦ରେ ବିଜୟ ହୋଇଥିଲା। ସେହିଭଳି ଡିସେମ୍ବର ୨୬ ମ୍ୟାଚ୍‌ରେ ୧୧-୨ ଗୋଲ୍‌ ଓ ୨୭ରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ୫-୨ ଗୋଲ୍‌ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର