ଆଇପିଏଲ୍‌-୧୩ : ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୭ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୨୫ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୭ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ପାଳିରେ ଚେନ୍ନାଇ ୧୭୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୩୨ ରନ୍‌ କରି ପରାଜୟ ବରଣ କରିଛି । ଚେନ୍ନାଇ ପକ୍ଷରୁ ପ୍ରଥମରୁ ଧିମା ବ୍ୟାଟିଂ ଦେଖିବାକୁ ମିଳିଥିଲା । ଓପନର ୱାଟସନ୍‌ ୧୪ ରନ୍‌ କରି ଆଉଟ ହୋଇଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ମାତ୍ର ୮ ରନ୍‌ କରି ପଡ଼ିଆରୁ ବିଦାୟ ନେଇଥିଲେ । ସେହିପରି ଅମ୍ବାତି ରାୟୁଡୁ ସର୍ବାଧିକ ୪୨ ରନ୍‌ କରିଥିବା ବେଳେ ଏନ୍‌ ଜଗଦୀଶନ୍ ୩୩ ରନ୍‌ କରିଥିଲେ । ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ୱାଶିଂଟନ୍ ସୁନ୍ଦର ୨ଟି ୱିକେଟ, କ୍ରିସ୍ ମୋରିସ୍ ୩ଟି ୱିକେଟ, ୟୁଜବେନ୍ଦ୍ର ଚହଲ, ଇସୁରୁ ଉଦାନା ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ବାଙ୍ଗାଲୋର ୮ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୪ର୍ଥ ସ୍ଥାନରେ ରହିଛି ।

ପୂର୍ବରୁ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳ ଆରମ୍ଭରୁ ଆରୋନ ଫିଞ୍ଚଙ୍କ ଓ୍ବିକେଟ ହରାଇଥିବା ବେଳେ ଅନ୍ୟତମ ଓପନର ଦେବଦତ୍ତ ପଡ଼ିକଲ୍ଲ ଓ ଅଧିନାୟକ ବିରାଟ କୋହଲି ଲଢୁଆ ବ୍ୟାଟିଂ କରିଥିଲେ ଓ ଦଳକୁ ବିପଦମୁକ୍ତ କରିଥିଲେ । କିନ୍ତୁ ଦଳୀୟ ସ୍କୋର ୬୬ ହୋଇଥିବା ବେଳେ ଦେବଦତ୍ତ ୩୩ ରନ କରି ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ତାରକା ବ୍ୟାଟ୍ସମ୍ୟାନ ଏବି ଡି’ଭିଲିୟର୍ସ ଶୂନରେ ଆଉଟ ହେବା ଫଳରେ ଦଳ ଉପରେ ଚାପ ବଢିଯାଇଥିଲା । କିନ୍ତୁ ଅନ୍ୟପଟେ ବିରାଟ ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ । ସେ ୫୨ଟି ବଲରୁ ୯୦ ରନ କରି ଅପରାଜିତ ରହିଥିଲେ । ବିରାଟଙ୍କ ଏହି ଇନିଂସ ବଳରେ ବାଙ୍ଗାଲୋର ଦଳ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୬୯ ରନ କରିଥିଲା ।

ସମ୍ବନ୍ଧିତ ଖବର