ଆଇପିଏଲ୍‌: ହାଇଦ୍ରାବାଦ୍‌କୁ ୬୭ ରନ୍‌ରେ ପରାସ୍ତ କଲା ବାଙ୍ଗାଲୋର, ଓ୍ଵାନିନ୍ଦୁ ହସରଙ୍ଗାଙ୍କୁ ୫ ଓ୍ଵିକେଟ୍‌

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୪ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ଦମଦାର ବୋଲିଂ କରିଛି। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬୭ ରନ୍‌ରେ ପରାସ୍ତ କରିଛି। ହାଇଦ୍ରାବାଦ୍‌ ୧୯.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୫ ରନ୍‌ ସଂଗ୍ରହ କରିପାରିଛି। ଦଳ ପାଇଁ ରାହୁଲ ତ୍ରିପାଠୀ ସର୍ବାଧିକ ୫୮ ରନ୍‌ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ଓ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ଖାତା ଖୋଲିପାରି ନଥିଲେ।

ବାଙ୍ଗାଲୋର ଟିମ୍‌ର ଓ୍ଵାନିନ୍ଦୁ ହସ୍‌ରଙ୍ଗା ୪ ଓଭର ବୋଲିଂ କରି ଗୋଟିଏ ମେଡେନ୍‌ ନେବା ସହିତ ହାଇଦ୍ରାବାଦ୍‌ର ୫ ଜଣ ଖେଳାଳିଙ୍କୁ ଆଉଟ୍‌ କରିଛନ୍ତି। ହସରଙ୍ଗାଙ୍କ ବଲ୍‌ରେ ଆଇଡେନ୍‌ ମାର୍କମ (୨ରନ୍‌), ନିକୋଲାସ ପୂରନ (୧୯ ରନ୍‌), ଜଗଦୀଶା ସଚିଥ୍‌ (୨ ରନ୍‌), ଶଶାଙ୍କ ସିଂହ (୮ ରନ୍‌) ଓ ଉମରାନ୍‌ ମଲ୍ଲିକ (୦ ରନ୍‌) ଆଉଟ୍‌ ହୋଇଥିଲେ। ହସରଙ୍ଗା ୧୮ ରନ୍‌ ଖର୍ଚ୍ଚ କରିଥିଲେ।

ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ରବିବାର ବାଙ୍ଗାଲୋର ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ଡୁ ପ୍ଲେସିସଙ୍କ ଅପରାଜିତ ଅର୍ଦ୍ଧଶତକ (୭୩ ରନ୍‌, ୫୦ ବଲ୍‌, ୪ ଚୌକା, ୨ ଛକା) ବଳରେ ବାଙ୍ଗାଲୋର ୩ ଓ୍ଵିକେଟ୍‌ ହରାଇ ୧୯୨ ରନ୍‌ କରଥିଲା।

ବାଙ୍ଗାଲୋରର ପାଳି ଆରମ୍ଭ କରିଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଫାପ୍‌ ଡୁ ପ୍ଲେସିସ୍‌। ହାଇଦ୍ରାବାଦ୍‌ର ବୋଲର ଜଗଦୀଶା ସୁଚିଥ୍‌ଙ୍କ ପ୍ରଥମ ବଲ୍‌ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କୁ କ୍ୟାଚ୍‌ ଦେଇ ବିରାଟ କୋହଲି ଆଉଟ୍‌ ହୋଇଥିଲେ। ବିରାଟ କୋହଲି ଗୋଟିଏ ବଲ୍‌ ସାମ୍ନା କରି କୌଣସି ରନ୍‌ କରି ପାଭଲ୍‌ିଅନକୁ ଫେରିଯିବା ପରେ ଦଳର ଦାୟିତ୍ୱ ନେଇଥିଲେ ଡୁ ପ୍ଲେସିସ୍‌ ଓ ରଜତ୍‌ ପଟିଦାର୍‌। ଉଭୟ ୨ୟ ଓ୍ଵିକେଟ୍‌ ପାଇଁ ୧୦୫ ରନ୍‌ର ଭାଗିଦାରୀ ହୋଇଥିଲେ। ପାଟିଦାର ୩୮ଟି ବଲ୍‌ ସମ୍ମୁଖୀନ ହୋଇ ୪ଟି ଚୌକା ଓ ୨ଟି ଛକା ମାରି ୪୮ ରନ୍‌ କରିଥିଲେ।

ଅଲ୍‌ରାଉଣ୍ଡର ଗ୍ଲେନ୍‌ ମେକ୍ସେଓ୍ଵଲ୍‌ ୨୪ଟି ବଲ୍‌ ଖେଳି ୩୩ ରନ୍‌ କରିଥିଲେ। ସେ ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଦିନେଶ କାର୍ତ୍ତିକ ୮ଟି ବଲ୍‌ ଖେଳି ଅପରାଜିତ ୩୦ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ୪ଟି ଛକା ସାମିଲ ଥିଲା। ହାଇଦ୍ରାବାଦ୍‌ ଟିମ୍ର ଜଗଦୀଶ ସୁଚିଥ୍‌ଙ୍କୁ ୨ଟି ୱିକେଟ୍‌ ମିଳିଥିବା ବେଳେ କାର୍ତ୍ତିକ ତ୍ୟାଗୀ ଗୋଟିଏ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର