ବାଙ୍ଗାଲୋର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୬ତମ ସଂସ୍କରଣର ୩୨ତମ ମ୍ୟାଚ୍ରେ ରବିବାର ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ରନ୍ରେ ପରାସ୍ତ କରିଛି। ୧୯୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ପାଳି ଖେଳିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୮୨ ରନ୍ରେ ଅଟକି ଯାଇଛି।
ରାଜସ୍ଥାନ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର କରିଥିଲେ ଦେବଦୂତ ପଡ୍ଡୀକଲ। ସେ ୩୪ଟି ବଲ୍ ଖେଳି ୫୨ ରନ୍ ସଂଗ୍ରହ କରିଥିଲେ। ଏଥିରେ ୭ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଯଶସ୍ବୀ ଜୟସ୍ବାଲ ୩୭ଟି ବଲ୍ ଖେଳି ୫ଟି ଚୌକା ଓ ୨ଟି ଛକା ବଳରେ ୪୭ ରନ୍ କରିଥିଲେ। ଧ୍ରୁବ ଜୁର୍ଲେ ୩୪ ରନ୍, ରବିଚନ୍ଦ୍ରନ ଅଶ୍ବିନ ୧୨ ରନ୍ କରିଥିଲେ। ଅନ୍ୟମାନଙ୍କର ପ୍ରଦର୍ଶନ ରାଜସ୍ଥାନକୁ ନିରାଶ କରିଥିଲା। ବାଙ୍ଗାଲୋର ପାଇଁ ହର୍ଷଲ ପଟେଲ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ମହମ୍ମଦ ସିରାଜ ଓ ଡେଭିଡ ୱେଲିଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
/sambad/media/post_attachments/wp-content/uploads/2023/04/FuZM8aZaYAQZ1Ps.jpg)
ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରାଜସ୍ଥାନ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ବିରାଟ କୋହଲିଙ୍କ ବାଙ୍ଗାଲୋର ଟିମ୍ ଗ୍ଲେନ ମେକ୍ସୱେଲ ଓ ଫାପ୍ ଡୁ ପ୍ଲେସିସଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା।
ବାଙ୍ଗାଲୋର ପାଇଁ ଅଧିନାୟକ ବିରାଟ କୋହଲି ଓ ଡୁପ୍ଲେସିସ ପାଳି ଆରମ୍ଭ କରିଥିଲେ। ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା। ପ୍ରଥମ ବଲ୍ରେ ବିରାଟ କୋହଲି ଆଉଟ୍ ହୋଇ ପାଭଲିଅନକୁ ଫେରି ଯାଇଥିଲେ। ସେହିପରି ମାତ୍ର ୧୨ ରନ୍ରେ ଦଳକୁ ଦ୍ବିତୀୟ ଝଟକା ଲାଗିଥିଲା। ସହବାଜ ଅହମଦ ୪ଟି ବଲ୍ ସାମ୍ନା କରି ମାତ୍ର ୨ ରନ୍ ସଂଗ୍ରହ ପରେ ଆଉଟ୍ ହୋଇଥିଲେ।
ବାଙ୍ଗାଲୁରୁ ଟିମ୍ର ବିସ୍ଫୋରକ ୨ ବ୍ୟାଟର ଡୁପ୍ଲେସିସି ଓ ମେକ୍ସୱେଲ ୩ୟ ୱିକେଟ ପାଇଁ ୧୨୭ ରନ୍ ସଂଗ୍ରହ କରିଥିଲେ। ଡୁପ୍ଲେସିସି ୪୪ଟି ବଲ୍ ଖେଳି ୬ଟି ଚୌକା ଓ ୪ଟି ଛକା ସହାୟତାରେ ୭୭ ରନ୍ ସଂଗ୍ରହ କରିଥିଲେ। ସେହିପରି ମେକ୍ସୱେଲ ୩୯ଟି ବଲ୍ରୁ ୮ଟି ଚୌକା ଓ ୨ଟି ଛକା ବଳରେ ୬୨ ରନ୍ ଯୋଡ଼ିଥିଲେ। ରାଜସ୍ଥାନର ୩ୟ ଶିକାର ହୋଇଥିଲେ ଡୁପ୍ଲେସିସ ଓ ୧୫୬ ରନ୍ ବେଳକୁ ମେକ୍ସୱେଲ ପାଭଲିଅନକୁ ଫେରିଆସିଥିଲେ। ଦିନେଶ କାର୍ତ୍ତିକ ୨ଟି ଚୌକା ସହାୟତାରେ ୧୬ ରନ୍ କରିଥିଲେ। ବାଙ୍ଗାଲୋରର ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ଉତ୍ସାହଜନକ ନଥିଲା। ରାଜସ୍ଥାନ ପାଇଁ ଟ୍ରେଣ୍ଟ ବୋଲ୍ଟ ଓ ସନ୍ଦୀପ ଶର୍ମା ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ରବିଚନ୍ଦ୍ରନ ଅଶ୍ବିନ ଓ ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।