ବାଙ୍ଗାଲୋର ବୋଲିଂରେ ମାଟି କାମୁଡିଲା କୋଲକାତା, ୮୨ ରନ୍‌ରେ ବିଜୟୀ ହେଲା ରୟାଲ ଚ୍ୟାଲେଞ୍ଜର୍ସ

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲ୍‌ର ୨୮ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮୨ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ପାଳିରେ କୋଲକାତା ୧୯୫ ରନ୍‌ ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୧୨ ରନ୍ କରି ପରାଜୟ ବରଣ କରିଛି । କୋଲକାତା ପକ୍ଷରୁ ଶୁବମାନ ଗିଲ ସର୍ବାଧିକ ୩୪ ରନ୍‌ କରିଥିବା ବେଳେ ଆଣ୍ଡ୍ରେ ରସେଲ ୧୬ ରନ୍‌ ଓ ରାହୁଲ ତ୍ରିପାଠୀ ୧୬ ରନ୍‌ କରିଥିଲେ । ଅନ୍ୟ କେହି ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ।  ବାଙ୍ଗାଲୋର ପକ୍ଷରୁ ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଥିଲା । ୱାଶିଂଟନ୍ ସୁନ୍ଦର, କ୍ରିସ୍ ମୋରିସ୍ ୨-୨ଟି ୱିକେଟ, ୟୁଜବେନ୍ଦ୍ର ଚହଲ, ନଭଦୀପ ସାଇନି ୧-୧ ୱିକେଟ ନେଇଥିବା ବେଳେ ଇସୁରୁ ଉଦାନା ମହମ୍ମଦ ସିରାଜ ମଧ୍ୟ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ବାଙ୍ଗାଲୋର ୧୦ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୩ୟରେ ରହିଛି ।

ପୂର୍ବରୁ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୁଇ ଓପନର ଆରୋନ ଫିଞ୍ଚ୍ ଓ ଦେବଦତ୍ତ ପଡିକଲ୍ଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୬୭ ରନର ପାର୍ଟନରସିପ କରିଥିଲେ । ପିଞ୍ଚ୍ ୪୭ ରନ କରିଥିବାବେଳେ ପଡିକଲ୍ଲ ୩୨ ରନ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବାପରେ ପଡ଼ିଆ ଆସିଥିବା ଅଧିନାୟକ ବିରାଟ କୋହଲି ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏ.ବି. ଡି’ଭିଲିୟର୍ସ ଦଳର ସ୍କୋରକୁ ଆଗେଇ ନେଇଥିଲେ । ଡି’ଭିଲିୟର୍ସ ବିସ୍ଫୋରକ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ମାତ୍ର ୩୩ଟି ବଲ ଖେଳି ୬ ଛକା, ୫ ଚୌକା ସହ ୭୩ ରନ କରିଥିଲେ । କୋହଲି ୨୮ ବଲ ଖେଳି ୩୩ ରନ କରିଥିଲେ । ବାଙ୍ଗାଲୋର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୯୪ ରନ କରିଥିଲା ।

ଚଳିତ ଆଇପିଏଲରେ ଏହି ଦୁଇ ଦଳ ଏ ପର୍ଯ୍ୟନ୍ତ ୬ଟି ଲେଖାଏଁ ମ୍ୟାଚ ଖେଳିଥିବାବେଳେ ଉଭୟ ୪ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି ଓ ୨ଟି ଲେଖାଏଁ ମ୍ୟାଚରେ ପରାଜୟ ବରଣ କରିଛନ୍ତି । ଫଳରେ ଉଭୟ ଦଳର ୮ ପଏଣ୍ଟ ଲେଖାଏଁ ପାଇଛନ୍ତି । କିନ୍ତୁ ନେଟ ରନରେଟ୍ ଭିତ୍ତିରେ କୋଲକାତା ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ଥିବାବେଳେ ବାଙ୍ଗାଲୋର ୪ର୍ଥ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର