ରୟାଲ୍ସ ଯାତ୍ରାରେ ବ୍ରେକ୍‌: ହାଇଦ୍ରାବାଦ ୧ ରନ୍‌ରେ ଜିତିଲା

ହାଇଦ୍ରାବାଦ: ଚଳିତ ଆଇପିଏଲ୍‌ରେ ଗୁରୁବାର ସବୁଠାରୁ ରୋମାଞ୍ଚଭରା ମ୍ୟାଚ୍‌ ଦେଖିବାକୁ ମିଳିଛି। ଟେବୁଲ୍ ଟପ୍ପର ରାଜସ୍ଥାନ ରୟାଲ୍ସକୁ ୧ ରନ୍‌ରେ ହରାଇ ସନ୍‌ରାଇଜର୍ଜ ହାଇଦ୍ରାବାଦ ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉଠିଛି। ସଂଜୁ ସାମ୍‌ସନ୍‌ଙ୍କ ଦଳ ଦଶମ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରିଥିବାବେଳେ ପ୍ୟାଟ୍ କମିନ୍ସଙ୍କ ଦଳ ସମାନ ଦଶମ ମ୍ୟାଚ୍‌ ଖେଳି ଷଷ୍ଠ ବିଜୟ ପାଇଛି। ହାଇଦ୍ରାବାଦ ଏକମାତ୍ର ରନ୍‌ରେ ଜିତିବା ଚଳିତ ସଂସ୍କରଣରେ ସବୁଠାରୁ ସ୍ବଳ୍ପ ବ୍ୟବଧାନ ବିଜୟ ହୋଇଛି। ୨୦୧ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ପ୍ରଥମ ଓଭରରେ ଯୁଗଳ ଝଟ୍‌କା ଲାଗିଥିଲା। ଜୋସ୍ ବଟଲର୍ ଓ ସଂଜୁ ସାମସନଙ୍କୁ ଭୁବନେଶ୍ବର କୁମାର ଦୁଇଟି ବଲ୍ ବ୍ୟବଧାନରେ ପ୍ୟାଭିଲିଅନ୍ ପଠାଇଦେଇଥିଲେ। କିନ୍ତୁ ଯଶସ୍ବୀ ଜୟସ୍ବାଲ (୪୦ ବଲ୍‌ରୁ ୬୭ ରନ୍, ୭ ଚୌକା, ୨ ଛକା) ଏବଂ ରିୟାନ୍ ପରାଗ (୪୯ ବଲ୍‌ରୁ ୭୭ ରନ, ୯ ଚୌକା, ୪ ଛକା) ୭୬ ବଲ୍‌ରୁ ୧୩୩ ରନ୍‌ର ଭାଗୀଦାରି ଗଢ଼ି ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇ ଦେଇଥିଲେ। ଉଭୟ କିନ୍ତୁ ଶତକ ଦିଗରେ ଅଗ୍ରସର ହେବା ପୂର୍ବରୁ ଆଉଟ୍ ‌ହୋଇଯାଇଥିଲେ। ନଟରାଜନ ଏହି ଭାଗୀଦାରିକୁ ଅଲଗା କରିବା ପରେ ହାଇଦ୍ରାବାଦ ପ୍ରତ୍ୟାବର୍ତନ କରିଥିଲା। ଶେଷ ଦୁଇ ଓଭରରୁ ୨୦ ରନ୍ ଆବଶ୍ୟକ ପଡ଼ିଥିଲା। ପ୍ୟାଟ୍ କମିନ୍ସ ୧୯ତମ ଓଭରରେ ମାତ୍ର ୭ ରନ ଦେଇ ଗୋଟିଏ ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା। ଅନ୍ତିମ ଓଭରରୁ ହାଇଦ୍ରବାଦକୁ ୧୩ ରନ୍ ଆବଶ୍ୟକ ପଡ଼ିଥିଲା। ଆର୍ ଅଶ୍ବିନ ଓ ରୋଭମାନ ପାୱେଲ କିନ୍ତୁ ଭୁବନେଶ୍ବର କୁମାରଙ୍କ ବିପକ୍ଷରେ ଏହା ରନ୍ କରିପାରି ନଥିଲେ। ଏପରିକି ଶେଷ ବଲ୍‌ରୁ ୨ ରନ୍ ଆବଶ୍ୟକ ଥିଲେ ମଧ୍ୟ ପାୱେଲଙ୍କୁ ଭୁବି ଏଲ୍‌ବିଡ୍‌ବଲ୍ୟୁ କରି ଘରୋଇ ଦଳକୁ ରୋମଞ୍ଚକ ବିଜୟ ଦେଇଥିଲେ। ଫଳରେ ଭୁବନେଶ୍ବର ଅପ୍ରତ୍ୟାଶିତ ନାୟକ ପାଲଟିଯାଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା।

ଗୁରୁବାର ଚଳିତ ଆଇପିଏଲ୍‌ର ଅର୍ଦ୍ଧଶତକୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ଆଶା ବିପରୀତ ମାତ୍ର ୩୫ ରନ୍‌ରେ ୨ ୱିକେଟ୍ ହରାଇ ଅଡ଼ୁଆରେ ପଡ଼ିଥିଲା। ଅଭିଷେକ ଶର୍ମା (୧୨) ଓ ଅନମୋଲପ୍ରୀତ ସିଂହ (୫)ଙ୍କୁ ସଅଳ ହରାଇବା ପରେ ପାୱାର ପ୍ଲେରେ କେବଳ ୩୭ ରନ୍ କରିପାରିଥିଲା। ହେଲେ ଏଭଳି ପ୍ରାରମ୍ଭିକ କ୍ଷତିକୁ ଟ୍ରାଭିସ୍ ହେଡ୍ (୫୮ ରନ୍, ୪୪ ବଲ୍), ନୀତୀଶ କୁମାର ରେଡ୍ଡୀ (୭୬* ରନ୍, ୪୨ ବଲ୍) ଓ ହେନରିକ୍ କ୍ଲାସେଁ (୪୨* ରନ୍, ୧୯ ବଲ୍) ବିସ୍ଫୋରକ ବ୍ୟାଟିଂ କରି ସହଜରେ ଭରଣା କରି ନେଇଥିଲେ। ହେଡ୍ ଅର୍ଦ୍ଧଶତକୀୟ ପାଳି ଖେଳି ଦଳର ରନ୍ ସଂଗ୍ରହ ହାର କମିବାକୁ ଦେଇ ନଥିଲେ। ପରେ ରେଡ୍ଡୀ-କ୍ଲା‌ସେଁ ଅବିଭାଜିତ ଚତୁର୍ଥ ୱିକେଟ୍ ଭାଗୀଦାରିରେ ମାତ୍ର ୩୨ ବଲ୍‌ରୁ ୭୦ ରନ୍ ଯୋଡ଼ି ସନ୍‌ରାଇଜର୍ସ ସ୍କୋର୍‌କୁ ଚଳିତ ଋତୁରେ ପଞ୍ଚମ ଥର ପାଇଁ ୨୦୦ ରନ୍ ପାର୍‌ କରାଇ ଦେଇଥିଲେ। ପ୍ରଥମେ ପ୍ରଥମେ ୧୧ ବଲ୍‌ରୁ ୧୧ ରନ୍ କରି ସଂଘର୍ଷ କରୁଥିବା ରେଡ୍ଡୀ ପରବର୍ତ୍ତୀ ୧୮ ବଲ୍‌ରେ ୩୯ ରନ୍ ଅମଳ କରି ୩୦ ବଲ୍‌ରୁ ଅଦ୍ଧର୍ଶତକ ପୂରଣ କରିବା ସନ୍‌ରାଇଜର୍ସ ପାଳିର ପ୍ରମୁଖ ଆକର୍ଷଣ ଥିଲା। ଶେଷରେ କ୍ଲାସେଁଙ୍କ ଧୂଆଁଧାର ବ୍ୟାଟିଂ ପୁଣି ଥରେ ଦର୍ଶକଙ୍କ ମନ ଜିତି ନେଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୦୧/୩ (ନୀତୀଶ କୁମାର ରେଡ୍ଡୀ ୭୬*, ଟ୍ରାଭିସ୍ ହେଡ୍ ୫୮, ହେନରିକ୍ କ୍ଲାସେଁ ୪୨*, ଆୱେସ୍ ଖାନ୍ ୨/୩୯)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୨୦୦/୭ (ରିୟାନ୍ ପରାଗ-୭୭, ଯଶସ୍ବୀ ଜୟସ୍ବାଲ-୬୭, ରୋଭମନ ପାୱେଲ-୨୭, ଭୁବନେଶ୍ବର କୁମାର-୩/୪୧, ପ୍ୟାଟ୍ କମିନ୍ସ-୨/୩୪, ଟି ନଟରାଜନ-୨/୩୫)।

ସମ୍ବନ୍ଧିତ ଖବର