ଜୟପୁର: ଚଳିତ ଆଇପିଏଲ୍ର ବୁଧବାର ମ୍ୟାଚ୍ରେ ଟେବୁଲ ଶୀର୍ଷରେ ଥିବା ରାଜସ୍ଥାନ ରୟାଲ୍ସ ଜୟପୁର ସାୱାଇ ମାନସିଂହ ଷ୍ଟାଡିୟମ୍ରେ ଦ୍ବିତୀୟରେ ଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। ଏପର୍ଯ୍ୟନ୍ତ କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ଦଳ ୩ ବିଜୟ ଓ ୨ ପରାଜୟ ପାଇଛି। ପ୍ରତିଭାରେ ଭରପୂର ଥିବା ଏହି ୨ଟି ଯାକ ପରାଜୟ ନିଜର ଭୁଲ୍ ପାଇଁ ବରଣ କରିଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ଗତ ମ୍ୟାଚ୍ରେ ଲକ୍ଷ୍ନୌ ଦଳ ମଝି ଓଭରଗୁଡ଼ିକରେ ଅଧିକ ରନ୍ କରିପାରିନଥିଲା। ଫଳରେ ଦଳର ମୋଟ ରନ୍ରେ ୧୦-୧୫ ରନ୍ କମିଯାଇଥିଲା। ଏହି ମ୍ୟାଚ୍ରେ ରାହୁଲ ୫୬ ବଲ୍ରେ ୭୪ ରନ୍ କରି ଫର୍ମକୁ ଫେରିବା ଦଳ ପାଇଁ ଖୁସି ଖବର। ଲକ୍ଷ୍ନୌର ବ୍ୟାଟିଂ ଶକ୍ତିରେ କୌଣସି ଅଭାବ ନାହିଁ। ଓପନର୍ କାଇଲ ମେୟର୍ସ ଏବଂ ମଧ୍ୟଭାଗରେ ନିକୋଲାସ ପୂରନ ଓ ମାର୍କସ ଷ୍ଟୋଇନିସ ବିସ୍ଫୋରକ ଖେଳିବାରେ ମାହିର ଅଛନ୍ତି। ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ରବି ବିଷ୍ଣୋଇଙ୍କୁ ବିଳମ୍ବରେ ବୋଲିଂକୁ ଆଣିବା ଦଳ ପାଇଁ ଭୁଲ୍ ସାବ୍ୟସ୍ତ ହୋଇଥିଲା। ସ୍ପିନ୍ ଅଲ୍ରାଉଣ୍ଡର କୃଷ୍ଣାପ୍ପା ଗୌତମ ଓ କୃନାଲ ପାଣ୍ଡ୍ୟା ସେମାନଙ୍କ କାର୍ଯ୍ୟ ଠିକ୍ରେ ପାଳନ କରୁଛନ୍ତି। ଦ୍ରୁତ ବୋଲର ମାର୍କ ଉଡ୍ ଓ ଆୱେସ ଖାନଙ୍କ ବୋଲିଂ ମଧ୍ୟ ଭଲ ରହିଛି। ପଦାର୍ପଣରେ ଯୁଦ୍ଧବୀର ସିଂହ ୨ ୱିକେଟ୍ ନେଇ ନିଜକୁ ପ୍ରମାଣିତ କରିଛନ୍ତି। ବୁଧବାର ଏହି ଶକ୍ତିକୁ ନେଇ ସୁପର ଜାଏଣ୍ଟସ୍ ହ୍ୟାଟ୍ରିକ ବିଜୟ ପାଇଥିବା ରୟାଲ୍ସକୁ ଅଟକାଇବାକୁ ଚେଷ୍ଟା କରିବ।
ଅନ୍ୟପକ୍ଷରେ ଯଶସ୍ବୀ ଜୟସ୍ବାଲ, ଜୋସ ବଟଲର ଓ ସଂଜୁ ସାମସନଙ୍କୁ ନେଇ ରୟାଲ୍ସ ଆରମ୍ଭରୁ ଦୃଢ଼ ବ୍ୟାଟିଂ ଲାଇନ୍ ରଖିଛି। ଏମାନେ ପାୱାର ପ୍ଲେରେ ବଡ଼ ସ୍କୋର୍ କରି ଭଲ ଆରମ୍ଭ ଦେଉଛନ୍ତି। ବଟଲର ୨୦୪ ରନ୍ ସହ ସର୍ବୋଚ୍ଚ ରନ୍ ହାସଲକାରୀ ଥିଲା ବେଳେ ଜୟସ୍ବାଲ ୧୪୯.୪୫ ଷ୍ଟ୍ରାଇକ୍ରେଟ୍ରେ ୧୩୬ ରନ୍ କରିଛନ୍ତି। ଏହି ଯୋଡ଼ି ଗୁଜରାଟ ଟାଇଟନ୍ସ ବିପକ୍ଷରେ ବିଫଳ ହୋଇଥିଲା ବେଳେ ଅଧିନାୟକ ସାମସନ ୩୨ ବଲ୍ରେ ୬୦ ରନ୍ ଏବଂ ସିମ୍ରନ ହେଟମେୟର ୨୬ ବଲ୍ରେ ୫୬ ରନ୍ କରି ଦଳକୁ ବିଜୟ ଦେଇଥିଲେ। ଅନ୍ୟପକ୍ଷରେ ରୟାଲ୍ସର ଚୂଡ଼ାନ୍ତ ଏକାଦଶରେ ୩ ବିଶ୍ବସ୍ତରୀୟ ସ୍ପିନର ୟୁଝବେନ୍ଦ୍ର ଚହଲ, ଆଦାମ ଜମ୍ପା ଓ ରବିଚନ୍ଦ୍ରନ ଅଶ୍ବିନ ରହିଛନ୍ତି। ଏମାନେ ବିପକ୍ଷ ଦଳକୁ ଅସୁବିଧାରେ ପକାଇବାରେ ସିଦ୍ଧହସ୍ତ। ସ୍ପିନରଙ୍କ ବାଦ୍ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ମଧ୍ୟ ନିଜ କାର୍ଯ୍ୟ ମଧ୍ୟ ଠିକ୍ରେ କରୁଛନ୍ତି। ମଧ୍ୟମଗତି ବୋଲର ସନ୍ଦୀପ ଶର୍ମା ମଧ୍ୟ ନିୟମିତ ନିଜ ସ୍ପେଲ୍ରେ ୱିକେଟ୍ ପାଉଛନ୍ତି।