ଆଇପିଏଲ ୨୦୨୦ : ଚେନ୍ନାଇ ଆଗରେ ୨୧୭ ରନର ଲକ୍ଷ୍ୟ ରଖିଲା ରାଜସ୍ଥାନ; ସାମସନ୍, ଆର୍ଚରଙ୍କ ବିସ୍ଫୋରକ ବ୍ୟାଟିଂ

ସାରଜା : ୟୁଏଇର ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଆଇପିଏଲ ୨୦୨୦ର ୪ର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପରକିଙ୍ଗସ ଆଗରେ ୨୧୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳ ଟସ ଜିଣି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଦଳ ପ୍ରଥମରୁ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲଙ୍କୁ ହରାଇଥିଲା । ସେ ମାତ୍ର ୬ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ଷ୍ଟିଭ ସ୍ମିଥ ଓ ସଂଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ମଜବୁତ ସ୍ଥିତିକୁ ଆଣିଥିଲେ । ସାମସନ ଏକ ବିସ୍ଫୋରକ ଇନିଂସ ଖେଳି ମାତ୍ର ୩୨ଟି ବଲ ଖେଳି ୯ ଛକା ଓ ଗୋଟିଏ ଚୌକା ସହ ୭୪ ରନ କରିଥିଲେ । ସ୍ମିଥ ମଧ୍ୟ ୪୭ ବଲ ଖେଳି ୬୯ ରନ ସଂଗ୍ରହ କରିଥିଲେ । ତେବେ ମ୍ୟାଚ ଶେଷ ଓଭରରେ ଜୋଫ୍ରା ଆର୍ଚରଙ୍କ ଆତସବାଜି ଦେଖିବାକୁ ମିଳିଥିଲା । ସେ ମାତ୍ର ୮ ଟି ବଲ ଖେଳି ୪ ଛକା ସହ ୨୭ ରନ କରିଥିଲେ । ଏହାଫଳରେ ରାଜସ୍ଥାନ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୨୧୬ ରନ ସଂଗ୍ରହ କରିପାରିଥିଲା ।

ଜୋଫ୍ରା ଆର୍ଚର

ଚେନ୍ନାଇର ଏହା ୨ୟ ମ୍ୟାଚ ହୋଇଥିବାବେଳେ ରାଜସ୍ଥାନର ଏହା ପ୍ରଥମ ମ୍ୟାଚ । ପ୍ରଥମ ମ୍ୟାଚରେ ଚେନ୍ନାଇ ମୁମ୍ବାଇକୁ ହରାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଥିବେଳେ ରାଜସ୍ଥାନ ଆଜି ମ୍ୟାଚକୁ ଜିତି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଉଦ୍ୟମ କରିବ । ଆଜିର ମ୍ୟାଚ ପାଇଁ ଚେନ୍ନାଇ ଦଳ ଗୋଟିଏ ପରିବର୍ତ୍ତନ କରିଛି । ଆହତ ଥିବା ଅମ୍ବାତି ରାୟଡୁଙ୍କ ସ୍ଥାନରେ ଋତୁରାଜ ଗାଇକଓ୍ୱାଡଙ୍କୁ ଦଳରେ ସାମିଲ କରାଯାଇଛି ।

ଆଇପିଏଲ ଖେଳାଯାଉଥିବା ତିନୋଟି ଗ୍ରାଉଣ୍ଡ ମଧ୍ୟରୁ ଆଜି ଖେଳାଯାଉଥିବା ସାରଜା ଗ୍ରାଉଣ୍ଡ ସବୁଠାରୁ ଛୋଟ । ଏଣୁ ଆଜିର ମ୍ୟାଚରେ ଅଧିକ ଛକାଚୌକା ଦେଖିବାକୁ ମିଳୁଛି ।

ସମ୍ବନ୍ଧିତ ଖବର