ଆଇପିଏଲ୍‌: କୋଲକାତାକୁ ୭ରନ୍‌ରେ ପରାସ୍ତ କଲା ରାଜସ୍ଥାନ୍‌

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୩୦ତମ ମ୍ୟାଚ୍‌ରେ କୋଲକାତାକୁ ୭ରନ୍‌ରେ ପରାସ୍ତ କରିଛି ରାଜସ୍ଥାନ୍‌ । ଦ୍ବିତୀୟ ପାଳିରେ କୋଲକାତା ୨୧୮ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୦ ରନ୍‌ କରି ପରାସ୍ତ ହୋଇଛି । ପ୍ରଥମରୁ କୋଲକାତାର ଲଢୁଆ ବ୍ୟାଟିଂ କରିଥିଲା । ଶ୍ରେୟସ୍ ଆୟର ୫୧ ବଲରେ ୮୫ ରନ୍‌ କରିଥିବା ବେଳେ ଆରୋନ ଫିଞ୍ଚ ୨୮ ବଲରେ ୫୮ ରନ୍‌ କରିଥିଲେ । ‌‌ଶେଷରେ ଉମେଶ ଯାଦବ ୯ ବଲରେ ଦମ୍‌ଦାର ୨୧ ରନ୍‌ କରିଥିଲେ । କିନ୍ତୁ କୋଲକାତାକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ ।

ଅନ୍ୟପଷରେ ରାଜସ୍ଥାନ ପକ୍ଷରୁ ପ୍ରଥମରୁ ଦୁର୍ବଳ ବୋଲିଂ ଦେଖିବାକୁ ମିଳିଥିଲା କିନ୍ତୁ ୟୁଜବେନ୍ଦ୍ର ଚହଲଙ୍କ ଗୋଟେ ଓଭରରେ ୪ ୱିକେଟ ଦଖଲ ଖେଳର ମୋଡ ବଦଲାଇ ‌ଦେଇଥିଲା। ଫଳରେ ରାଜସ୍ଥାନ ଏହି ମ୍ୟାଚକୁ ୭ ରନ୍‌ରେ ଜିତି ନେଇଥିଲା।

ପୂର୍ବରୁ କୋଲକାତାର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ସେ ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ସଂଜୁ ସାମସନ୍‌ଙ୍କ ନେତୃତ୍ୱରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୨୧୭ ରନ୍‌ କରିଥିଲା। ଫଳରେ କୋଲକାତାକୁ ୨୧୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ପାଳି ଆରମ୍ଭରୁ ରାଜସ୍ଥାନ ଭଲ ବ୍ୟାଟିଂ କରିଥିଲା। ଓପନର ଜୋସ୍‌ ବଟ୍‌ଲର ଓ ଦେବଦୂତ୍ତ ପଡ୍ଡିକଲ ପ୍ରଥମ ଓ୍ଵିକେଟ୍‌ ପାଇଁ ୯୭ ରନ୍‌ ସଂଗ୍ରହ କରିଥିଲେ। ବଟ୍‌ଲର ବ୍ୟକ୍ତିଗତ ଭାବେ ୬୧ଟି ବଲ୍‌ ଖେଳି ୧୦୩ ରନ୍‌ କରିଥିଲେ। ଆଇପିଏଲ୍‌ର ଚଳିତ ସଂସ୍କରଣରେ ୨ୟ ଶତକ ମାରିଛନ୍ତି ବଟଲର। ଏଥିରେ ସେ ୯ଟି ଚୌକା ଓ ୫ଟି ଛକା ମାରିଥିଲେ। ଦେବଦୂତ୍ତ ୨୪ ରନ୍‌ କରିଥିଲେ। ସେ ୧୮ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ସଂଜୁ ସାମ୍‌ସନ୍‌ ୧୯ଟି ବଲ୍‌ ଖେଳି ୩ଟି ଚୌକା ଓ ୨ଟି ଛକା ବଳରେ ୩୮ ରନ୍‌ କରିଥିଲେ। ରାଜସ୍ଥାନ ସ୍କୋର ୧୬୪ ରନ୍‌ରେ ସଂଜୁ ସାମ୍‌ସନ୍‌, ୧୮୩ ରନ୍‌ରେ ବଟ୍‌ଲର ଓ ୧୮୯ ରନ୍‌ରେ ରିୟାନ ପରାଗଙ୍କୁ ହରାଇଥିଲା। କୋଲକାତାର ପଞ୍ଚମ ଶିକାର ହୋଇଥିଲେ କରୁନ୍‌ ନାୟର।

ସମ୍ବନ୍ଧିତ ଖବର