ସ୍ୱର୍ଣ୍ଣ ପଦକ ବିଜୟିନୀ ସ୍ୱପ୍ନାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ପରେ ପୁରସ୍କାର ରାଶି ବଢ଼ାଇବାକୁ ବିଭିନ୍ନ ମହଲରେ ଦାବି

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଅନୁଷ୍ଠିତ ଅଷ୍ଟାଦଶ ଏସୀୟ କ୍ରୀଡ଼ାର ହେପ୍ଟାଥଲନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜୟୀନଙ୍କୁ ପଶ୍ଚିମବଙ୍ଗ ସରକାର ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିବା ପରେ ବିଭିନ୍ନ ମହଲରେ ପୁରସ୍କାର ରାଶି ବୃଦ୍ଧି କରିବାକୁ ଦାବି ହୋଇଛି। ଅଲମ୍ପିକ୍‌ ପଦକ ବିଜେତା ବକ୍ସର ବିଜେନ୍ଦ୍ର ସଂହ ଦାବି କରିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପୁରସ୍କାର ରାଶି ଆଜିର ଦିନରେ ସାମାନ୍ୟ। ତେଣୁ ସ୍ୱପ୍ନାଙ୍କ ପାଇଁ ପୁରସ୍କାର ରାଶି ବୃଦ୍ଧି କରାଯିବା ଦରକାର। ପୁରସ୍କାର ରାଶି ବୃଦ୍ଧି ନେଇ ସ୍ୱପ୍ନା ବର୍ମନଙ୍କ ମୁଖ୍ୟ ଆଥଲେଟିକ୍‌ କୋଚ ବାହାଦୂର ସିଂହ ମଙ୍ଗଳବାର ସ୍ୱର ଉଠାଇଥିଲେ।

ବାହାଦୂର କହିଛନ୍ତି, ହେପ୍ଟାଥଲନରେ ଭାରତ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଆଣିଥିବା ସ୍ୱପ୍ନାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ବହୁତ ନୁହେଁ। ମମତା ନଗଦ ୧୦ ଲକ୍ଷ ଟଙ୍କା ଓ ଏକ ସରକାରୀ ଚାକିରୀ ଦେବାକୁ ଘୋଷଣା କରିଛନ୍ତି। ମୁଁ କହୁନାହିଁ ଯେ, ଟଙ୍କା ସବୁକିଛି, ଆଜିର ଦିନରେ ୧୦ ରୁ ୧୫ ଲକ୍ଷ ଟଙ୍କା ବଡ଼ କଥା ନୁହେଁ କିନ୍ତୁ ଏହା ଖେଳାଳିଙ୍କ ମନୋବଳକୁ ଦୃଢ଼ କରିଥାଏ। ଜାକର୍ତ୍ତାରେ ସ୍ୱପ୍ନା ଯାହା କରିଛନ୍ତି, ତାକୁ ୧୦ ଲକ୍ଷ ଟଙ୍କା ସହିତ ତୁଳନା କରାଯାଇ ପାରିବ ନାହିଁ ବୋଲି ବାହାଦୂର କହିଛନ୍ତି।

ଏକ ଉଦାହରଣ ଛଳରେ ବାହାଦୂର କହିଛନ୍ତି ପଡ଼ୋଶୀ ଓଡ଼ିଶା ସରକାର ଧାବିକା ଦୂତି ଚାନ୍ଦଙ୍କୁ ୨ଟି ରୌପ୍ୟ ପଦକ ପାଇଁ ୩ କୋଟି ଟଙ୍କା ପୁରସ୍କାର ରାଶି ଦେଇଛନ୍ତି।

ସମ୍ବନ୍ଧିତ ଖବର