ମୁମ୍ବାଇ : ୨୦୦୮ ମସିହାରେ ଯେତେବେଳେ ଆଇପିଏଲ୍‌ ଆରମ୍ଭ ହୋଇଥିଲା, ସେତେବେଳେ ଏହା କେବଳ କ୍ରିକେଟ୍‌ର ରୂପରେଖ ବଦଳାଇନଥିଲା, ବରଂ ପୁରସ୍କାର ରାଶିରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣିଥିଲା। ପ୍ରଥମ ସଂସ୍କରଣରୁ ବିଜେତାଙ୍କୁ ୪.୮ କୋଟି ଟଙ୍କା ଏବଂ ଉପବିଜେତାଙ୍କୁ ୨.୪ କୋଟି ଟଙ୍କା ପୁରସ୍କାର ମିଳୁଥିଲା। ସେସମୟରେ ଯେକୌଣସି କ୍ରିକେଟ୍‌ ପ୍ରତିଯୋଗିତାରେ ଏହା ସର୍ବାଧିକ ପୁରସ୍କାର ରାଶି ଥିଲା। ଏବେ ୧୫ ବର୍ଷ ପରେ ବି ଆଇପିଏଲ୍‌ ବିଶ୍ବର ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକ ମଧ୍ୟରେ ଗଣା ହେଉଛି। ଚଳିତ ସଂସ୍କରଣରେ ବିଜେତାଙ୍କୁ ୨୦ କୋଟି ଓ ଉପବିଜେତାଙ୍କୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯିବ।

Advertisment

୨୦୧୦ରୁ ୨୦୧୩ ମଧ୍ୟରେ ପୁରସ୍କାର ରାଶି ବୃଦ୍ଧି ପାଇ ୧୦ ଓ ୫ କୋଟିରେ ପହଞ୍ଚିଥିଲା ବେଳେ ୨୦୧୩ରୁ ୨୦୧୫ ମଧ୍ୟରେ ୧୫ ଓ ୧୦ କୋଟି ଏବଂ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ୨୦ ଓ ୧୧ କୋଟି ଟଙ୍କା ବିଜେତା ଓ ଉପବିଜେତାଙ୍କୁ ପୁରସ୍କାର ଦିଆଯାଉଥିଲା। କିନ୍ତୁ ୨୦୨୦ରେ କୋଭିଡ୍‌ ମହାମାରୀ ଯୋଗୁଁ ପୁରସ୍କାର ରାଶିକୁ ଅଧା କରିଦେବା ପାଇଁ ପ୍ରସ୍ତାବ ଆସିଥିଲେ ବି ଏହା ଓଲଟା ପ୍ରଭାବ ପକାଇଥିଲା। ଯାହାଫଳରେ ବିଜେତାଙ୍କ ପୁରସ୍କାର ରାଶି ସ୍ଥିର ଥିଲେ ବି ଉପବିଜେତାଙ୍କ ରାଶି ୧୩ କୋଟିରେ ପହଞ୍ଚିଥିଲା। ଆଗକୁ ଆଇପିଏଲ୍‌ର ପୁରସ୍କାର ରାଶି ଆହୁରି ବଢାଇବାକୁ ବିସିସିଆଇ ଯୋଜନା କରୁଛି। ଆଇପିଏଲ୍‌ ପାଇଁ ମୋଟ ପୁରସ୍କାର ରାଶି ୪୬.୫ କୋଟି ରହିଥିଲା ବେଳେ ଫାଇନାଲିଷ୍ଟଙ୍କ ବ୍ୟତୀତ ତୃତୀୟ ଦଳ (ମୁମ୍ବାଇ ଇଣ୍ଡିଆନ୍ସ)କୁ ୭ କୋଟି ଏବଂ ଚତୁର୍ଥ ଦଳ (ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌) କୁ ୬.୫ କୋଟି ଟଙ୍କା ପୁରସ୍କାର ମିଳିବ।

ଏହାବ୍ୟତୀତ ଫାଇନାଲ୍‌ ପରେ ସର୍ବାଧିକ ରନ୍‌ ସଂଗ୍ରହକାରୀ (ଅରେଞ୍ଜ କ୍ୟାପ୍‌) ଓ ସର୍ବାଧିକ ୱିକେଟ୍‌ ହାସଲକାରୀ (ପର୍ପଲ କ୍ୟାପ୍‌) ଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବ। ପ୍ରତିଯୋଗିତାର ଉଦୀୟମାନ ଖେଳାଳିଙ୍କୁ ୨୦ ଲକ୍ଷ, ସର୍ବାଧିକ ମୂଲ୍ୟବାନ ଖେଳାଳିଙ୍କୁ ୧୨ ଲକ୍ଷ, ସଂସ୍କରଣର ପାୱାର ପ୍ଲେୟାର, ସୁପର ଷ୍ଟ୍ରାଇକର ଓ ଗେମ୍‌ ଚେଞ୍ଜରଙ୍କୁ ୧୫ ଲକ୍ଷ ଓ ୧୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହାବାଦ୍‌ ପ୍ରତ୍ୟେକ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳିଙ୍କ ସହ ମୋଟ୍‌ ୬ଟି ବ୍ୟକ୍ତିଗତ ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି।

publive-image