ଆଜି ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବ ଆଇପିଏଲର ୨ୟ ମ୍ୟାଚ, ପ୍ରବେଶ ପାଇଁ ନେଗେଟିଭ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ

ମୁମ୍ବାଇ : ଆଜି ମୁମ୍ବାଇରେ ଚଳିତ ଆଇପିଏଲର ୨ୟ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବ । ତେବେ କରୋନା ମହାମାରୀ ଦ୍ବାରା ମୁମ୍ବାଇ ମହାନଗରୀ ସର୍ବାଧିକ ପ୍ରଭାବିତ ହୋଇଥିବାରୁ ଏହି ମ୍ୟାଚ ପାଇଁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି ।

ପ୍ରଥମତଃ, ମ୍ୟାଚ ବିନା ଦର୍ଶକରେ ଖେଳାଯାଉଛି । ତେବେ ଷ୍ଟାଡିୟମ ଭିତରେ ପ୍ରବେଶ କରୁଥିବା ମ୍ୟାଚ ଅଫିସିଆଲ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ନିୟମ କଡ଼ାକଡ଼ି କରାଯାଇଛି । ମ୍ୟାଚ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ସେମାନେ ଆରଟିପିସିଆର ଟେଷ୍ଟ କରିଥିବେ ଓ ତାହା ନେଗେଟିଭ ଥିଲେ ହିଁ ସେମାନେ ଷ୍ଟାଡିୟମ ଭିତରେ ପ୍ରବେଶ କରିପାରିବେ ।

କିଛିଦିନ ପୂର୍ବରୁ ଏହି ଷ୍ଟାଡିୟମର କିଛି ଗ୍ରାଉଣ୍ଡ ଷ୍ଟାଫ କରୋନା ସଂକ୍ରମିତ ଜଣାପଡ଼ିବା ପରେ ବିସିସିଆଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏସବୁ କର୍ମଚାରୀଙ୍କ ବଦଳରେ ନୂଆ କର୍ମଚାରୀଙ୍କୁ କାମରେ ନିୟୋଜିତ କରାଯାଇଛି ।

ଗତ କାଲି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବାଙ୍ଗାଲୋର ମୁମ୍ବାଇକୁ ୨ ଓ୍ବିକେଟରେ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର