ବାଂଲା ପ୍ରଶଂସକଙ୍କୁ କ୍ଷମା ମାଗିଲେ ରୁବେଲ

ଢାକା  : ରବିବାର ରାତିରେ ବାଂଲାଦେଶ କ୍ରିକେଟ୍‌ ଦଳ ବରଣ କରିଥିବା ହୃଦୟ ଭଙ୍ଗା ପରାଜୟ ଲାଗି ସେହି ଦେଶର ଦ୍ରୁତ ବୋଲର ରୁବେଲ ହୁସେନ ନିଜକୁ ଦାୟୀ କରିଛନ୍ତି। ଏପରିକି ଏହି କାରଣରୁ ଗତକାଲି ରାତି ସାରା ସେ ଶୋଇ ପାରି ନଥିଲେ। ସେଥିପାଇଁ ସୋମବାର ସକାଳ ହେଉ ହେଉ ରୁବେଲ ବାଂଲା କ୍ରିକେଟ୍‌ ପ୍ରେମୀଙ୍କୁ ହାତଯୋଡ଼ି କ୍ଷମା ମାଗିଛନ୍ତି। ପ୍ରକୃତ କଥା ହେଲା ବିଜୟ ପାଇଁ ଭାରତକୁ ଶେଷ ଦୁଇ ଓଭରରୁ ୩୪ ରନ୍‌ର ଦରକାର ଥିଲା। ଯାହା ଏକପ୍ରକାର ଅସମ୍ଭବ ମନେ ହେଉଥିଲା। ହେଲେ ରୁବେଲ୍‌ ବୋଲିଂ କରିଥିବା ଊନ୍ନବିଂଶ ଓଭରରୁ ଭାରତ ବିଜୟର ନାୟକ ଦୀନେଶ କାର୍ତିକ ଦୁଇଟି ଛକା ଏବଂ ଦୁଇଟି ଚୌକା ବଳରେ ୨୨ ରନ୍‌ ଅମଳ କରିଥିଲେ। ଫଳରେ ଶେଷ ଓଭରର ଭାରତକୁ ବିଜୟ ପାଇଁ ଆଉ ମାତ୍ର ୧୨ ରନ୍‌ର ଦରକାର ଥିଲା। ପ୍ରଥମ ପାଞ୍ଚ ବଲ୍‌ରୁ ୭ ରନ୍‌ କରିବା ପରେ ଶେଷ ବଲ୍‌ରେ ଛକା ମାରି କାର୍ତିକ ଭାରତର ବିଜୟ ମୁଣ୍ଡି ମାରିଥିଲେ। ଊନ୍ନବିଂଶ ଓଭରରେ ରୁବେଲ ଦେଇଥିବା ୨୨ ରନ୍‌ ହିଁ ବାଂଲାଦେଶ ପରାଜୟର ଅସଲ କାରଣ ଥିଲା। ରୁବେଲ୍‌ ମଧ୍ୟ ମ୍ୟାଚ୍‌ ପରେ ଏହା ବୁଝି ପାରିଥିଲେ। ସେଥିପାଇଁ ବାଂଲାଦେଶୀ ଦୈନିକ ଖବରକାଗଜ ‘ପ୍ରଥମ ଆଲୋ’କୁ ସାକ୍ଷାତକାର ଦେଇ ରୁବେଲ୍‌ କହିଛନ୍ତି ଏହି ପରାଜୟ ପରେ ମୋତେ ବହୁତ ଖରାପ ଲାଗୁଛି। କେବେବି ଭାବି ନଥିଲି ଯେ ଏହି ପରାଜୟର କାରଣ ମୁଁ ହେବି। ଆମେ ବିଜୟର ଏତେ ନିକଟତର ଥିଲୁ। ହେଲେ ମୋ ପାଇଁ ହାରିଗଲୁ। ପ୍ରଶଂସକଙ୍କୁ ଏହି ପରାଜୟ ପାଇଁ ମୁଁ କ୍ଷମା ମାଗୁଛି।

ସମ୍ବନ୍ଧିତ ଖବର