କ୍ରିକେଟ୍‌ରୁ ରୂମେଲିଙ୍କ ଅବସର

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ରୂମେଲି ଧର ବୁଧବାର କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷ ବୟସ୍କା ଧର ଭାରତ ପାଇଁ ୪ ଟେଷ୍ଟ୍‌, ୭୮ ଦିନିକିଆ ଆନ୍ତର୍ଜାତିକ ସାଙ୍ଗକୁ ୧୮ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ଟେଷ୍ଟ୍‌ରେ ଗୋଟିଏ ଅର୍ଦ୍ଧଶତକ ସହ ମୋଟ ୨୩୬ ରନ୍‌ ଏବଂ ୮ ୱିକେଟ୍‌ ଦଖଲ କରିଥିଲା ବେଳେ ଦିନିକିଆରେ ୬ ଅର୍ଦ୍ଧଶତକ ସହାୟତାରେ ମୋଟ ୯୬୧ ରନ୍‌ ଓ ୬୩ ୱିକେଟ୍‌ ଅକ୍ତିଆର କରିଥିଲେ। ୨୦୦୫ରେ ଦିଲ୍ଲୀଠାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍‌ ପଦାର୍ପଣ କରିଥିବା ରୂମେଲି ସେହି ପ୍ରତିଦ୍ବନ୍ଦ୍ବୀ ବିପକ୍ଷରେ ୨୦୦୬ରେ ଟନ୍‌ଟନ୍‌ଠାରେ ଶେଷ ଟେଷ୍ଟ୍‌ ଖେଳିଥିଲେ। ସେହିପରି ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଆନ୍ତର୍ଜାତିକ ପଦାର୍ପଣ କରିଥିବା ରୂମେଲି ୨୦୧୨‌ରେ ଶେଷ ଦିନିକିଆ ଖେଳିଥିଲେ। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ରେ ମୋଟ ୧୩୧ ରନ୍‌ କରିଥିଲା ବେଳେ ୧୩ ୱିକେଟ୍‌ ପାଇଥିଲେ। ୨୦୦୬ରେ ଇଂଲଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିବା ରୂମେଲି ୬ ବର୍ଷ ପରେ ଆଶ୍ଚର୍ଯ୍ୟଜନକ ଭାବେ ୨୦୧୮ରେ ପୁନର୍ବାର ଜାତୀୟ ଦଳକୁ ଫେରିଥିଲେ। ସେତେବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସେ ଆହତ ଝୁଲଣ ଗୋସ୍ବାମୀଙ୍କ ବଦଳ ଖେଳାଳି ଭ‌ାବେ ଦଳରେ ସାମିଲ ହୋଇଥିଲେ। ଜଣେ ଅଲ୍‌ରାଉଣ୍ଡର ଭ‌ାବେ ପରିଗଣିତ ରୂମେଲି ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୨୦୦୫ ବିଶ୍ବକପ୍‌ ଫାଇନାଲ୍‌ରେ ଭାରତକୁ ପହଞ୍ଚାଇବାରେ ପ୍ରମୁଖ ଭୁମିକା ତୁଲାଇଥିଲେ। ତେବେ ବୁଧବାର ସେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଯିବା କଥା ଇନ୍‌ଷ୍ଟାଗ୍ରାମ୍‌ରେ ଘୋଷଣା କରିବା ସହ ତାଙ୍କ କ୍ରିକେଟ୍‌ ଯାତ୍ରାରେ ସାମିଲ ଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

‘‘ମୋର ୨୩ ବର୍ଷର କ୍ରିକେଟ୍‌ ଜୀବନ ପଶ୍ଚିମବଙ୍ଗରେ ଶ୍ୟାମନଗରଠାରୁ ହିଁ ଆରମ୍ଭ ହୋଇଥିଲା। ହେଲେ ଆଜି ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କଲାବେଳେ ଖୁବ୍‌ ଦୁଃଖ ଲାଗୁଛି। କିନ୍ତୁ ଶରୀର ଆଉ ଅନୁମତି ଦେଉନି। ପୁଣି ନୂଆ ଖେଳାଳିଙ୍କ ଉତ୍‌ଥାନ ଘଟୁଥିବାରୁ କ୍ରିକେଟ୍‌ରୁ ଅବସର ନେଇଯିବା ଏହା ହିଁ ପ୍ରକୃଷ୍ଟ ସମୟ’’ ବୋଲି କହିଛନ୍ତି ରୂମେଲି। କ୍ରିକେଟ୍‌କୁ ସର୍ବଦା ଭଲ ପାଇଆସୁଥିବାରୁ ଆଜି ଅବସର ନେଲା ବେଳେ ମୋର ପରିବାର, ବିସିସିଆଇ, ବନ୍ଧୁ, ଶୁଭେଚ୍ଛ, ପ୍ରଶଂସକ ଏବଂ ମୁଁ ପ୍ରତିନିଧିତ୍ବ କରିଆସିଥିବା ଦଳଗୁଡ଼ିକୁ (ବେଙ୍ଗଲ, ରେଳବାଇ, ଏୟାର ଇଣ୍ଡିଆ, ଦିଲ୍ଲୀ, ରାଜସ୍ଥାନ ଓ ଆସାମ) ଧନ୍ୟବାଦ ଜଣାଉଛି। ହେଲେ ମୁଁ କ୍ରିକେଟ୍‌ ସହ ସଂପୃକ୍ତି ଜାରି ରଖିବି। ସୁଯୋଗ ମିଳିଲେ କ୍ରିକେଟ୍‌ର ବିକାଶ ଏବଂ ଦେଶରେ ଯୁବ ତାରକାଙ୍କୁ ସୃଷ୍ଟି କରିବା କାର୍ଯ୍ୟରେ ନିଜକୁ ନି‌ୟୋଜିତ କରିପାରିବି ବୋଲି ରୂମେଲି କହିଛନ୍ତି।

ସମ୍ବନ୍ଧିତ ଖବର