ଗାଙ୍ଗୁଲିଙ୍କ ଇସ୍ତଫା ନେଇ ଚର୍ଚ୍ଚା, ବିସିସିଆଇ ସଭାପତି ପଦ ଛାଡ଼ିବା ଖବରକୁ ଶାହଙ୍କ ଖଣ୍ଡନ

କୋଲକାତା : ବିସିସିଆଇ ସଭାପତି ପଦରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ, ପ୍ରିନ୍ସ ଅଫ୍ କୋଲକାତା ତଥା କ୍ରିକେଟ୍ ଜଗତର ‘ମହାରାଜା’ ସୌରଭ ଗାଙ୍ଗୁଲି ଇସ୍ତଫା ପ୍ରଦାନ କରିଛନ୍ତି! ଏଭଳି କଳ୍ପନା ଜଳ୍ପନା ସେ ବୁଧବାର କରିଥିବା ରହସ୍ୟମୟ ଟ୍ବିଟ୍‌ ପରେ ପ୍ରକାଶ ପାଇଥିଲା। ନିଜ ଟ୍ବିଟର ପୃଷ୍ଠାରେ ଗାଙ୍ଗୁଲି ଲେଖିଥିଲେ ଯେ ୧୯୯୨ ମସିହାରେ ମୁଁ ଯେଉଁ କ୍ରିକେଟ୍ ଯାତ୍ରା ଆରମ୍ଭ କରିଥିଲି ତାର ୩୦ ବର୍ଷ ପୂର୍ତ୍ତି ୨୦୨୨ରେ ହେଉଛି। ସେବେଠାରୁ କ୍ରିକେଟ୍ ମୋତେ ବହୁତ କିଛି ଦେଇଛି। ସବୁଠାରୁ ମହତ୍ବପୂର୍ଣ୍ଣ କଥା ହେଲା କ୍ରିକେଟ୍ ପାଇଁ ମୋତେ ଆପଣମାନଙ୍କର ଦୃଢ଼, ନିଃସ୍ବାର୍ଥପର ସମର୍ଥନ ଏବଂ ଅଜସ୍ର ଭଲପାଇବା ମିଳିଛି। ଏହି ସ୍ବପ୍ନର ଯାତ୍ରାର ଅଂଶବିଶେଷ ହୋଇଥିବା ପ୍ରତିଟି ଲୋକଙ୍କୁ ମୁଁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଅର୍ପଣ କରିବାକୁ ଚାହେ। ମୁଁ ଆଜି ଯେଉଁଠାରେ ବି ପହଞ୍ଚିଛି, କେବଳ ଆପଣମାନଙ୍କ ସମର୍ଥନ ଓ ଭଲପାଇବା ପାଇଁ ତାହା ସମ୍ଭବ ହୋଇପାରିଛି। ଆଜି ମୁଁ ଏମିତି କିଛି ନୂଆ କରିବାକୁ ଯାଉଛି, ଯାହା ଅନେକ ଲୋକଙ୍କ ପାଇଁ ହିତକର ସାବ୍ୟସ୍ତ ହେବ। ଆଶା କରୁଛି ଆପଣମାନେ ଜୀବନର ଏହି ନୂଆ ଅଧ୍ୟାୟରେ ମୋତେ ପୂର୍ବବତ୍ ସମର୍ଥନ ଦେବା ଜାରି ରଖିବେ।

ଗାଙ୍ଗୁଲିଙ୍କ ଏହି ଟ୍ବିଟ୍ ପରେ ବିସିସିଆଇ ସଭାପତି ପଦରୁ ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ନିଆଁ ଭଳି ବ୍ୟାପୀ ଯାଇଥି‌ଲା। କ୍ରିକେଟ୍ ଜଗତରେ ବି ହଠାତ୍ ବିସିସିଆଇ ସଭାପତି ପଦ ସେ ଛାଡ଼ିବା ‌ନେଇ ହଟଚମଟ ସୃଷ୍ଟି ହୋଇଥିଲା। ଫଳରେ ବିସିସିଆଇ ସଂପାଦକ ଜୟ ଶାହଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା। ଗାଙ୍ଗୁଲି ତାଙ୍କ ପଦରୁ ଇସ୍ତଫା ଦେଇ ନାହାନ୍ତି ବୋଲି ଶାହ ସାକ୍ଷାତକାର ଦେଇ କହିଥିଲେ। ଏପରିକି ଏହା ଏକ ଗୁଜବ ମାତ୍ର ବୋଲି ମଧ୍ୟ ସେ ସ୍ପଷ୍ଟ କରିଦେଇଥିଲେ। ତଥାପି ଦାଦା (ଗାଙ୍ଗୁଲି) ସମ୍ଭବତଃ ରାଜ୍ୟସଭାକୁ ଯିବେ ବୋଲି ସାମାଜିକ ଗଣମାଧ୍ୟମରେ କିଛି ପ୍ରଶଂସକ ମତ ରଖିଥିଲେ।

୨୦୧୯ ମସିହା ମଧ୍ୟଭାଗରେ ବିସିସିଆଇ ସଭାପତି ପଦ ଗ୍ରହଣ କରିଥିବା ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବେଶ୍ ଉତ୍ଥାନ ପତନ ଭରା ରହି ଆସିଛି। ବିବାଦ ମଧ୍ୟ ତାଙ୍କ ପିଛା ଛାଡ଼ିନଥିଲା। ପ୍ରଥମେ ତାଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ଅଭିଯୋଗ ଆସିଥିଲା। ଗତବର୍ଷ ମଧ୍ୟ ବିରାଟ କୋହଲି ଭାରତୀୟ ଟ୍ବେଣ୍ଟି-୨୦ ଦଳରୁ ଇସ୍ତଫା ଦେବା ଏବଂ ଦିନିକିଆ ଅଧିନାୟକ ପଦରୁ ବିଦା ହେବା ପରେ ଗାଙ୍ଗୁଲି ବିବାଦ ଘେରକୁ ଆସିଥିଲେ। କୋହଲିଙ୍କୁ ଇସ୍ତଫା ନଦେବା ଲାଗି ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିବା ସେ କହିଥିଲା ବେଳେ କୋହଲି ଏହାକୁ ସାମ୍ବାଦିକ ସମ୍ମିଳନୀରେ ଖଣ୍ଡନ କରିଥିଲେ।

ଗାଙ୍ଗୁଲି କ୍ରିକେଟ୍ ଛାଡ଼ି ରାଜନୀତିରେ ଯୋଗଦେବା ଚର୍ଚ୍ଚା କିନ୍ତୁ ନୂଆ ନୁହେଁ। ଢେର କିଛି ଦିନ ଦିନ ହେବ ଏଭଳି ଆଲୋଚନା ପର୍ଯ୍ୟାଲୋଚନା ଚାଲି ଆସୁଛି। ଚଳିତମାସ ପ୍ରାରମ୍ଭରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ବେଙ୍ଗଲ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସେ ନିଜ ବାସଭବନରେ ରାତ୍ରି ଭୋଜନରେ ଆପାୟିତ କରିବା ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଥିଲା। ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଗାଙ୍ଗୁଲି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଆଲୋଚନା ଜୋର ଧରିଥିଲା। ହେଲେ ସେତେବେଳେ ଗାଙ୍ଗୁଲିଙ୍କର ହୃଦଘାତ ହେବାରୁ ମାମଲା ଥଣ୍ଡା ପଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର