ଲଣ୍ଡନ୍‌: ଲିଡ୍‌ସରେ ୫ ୱିକେଟ୍‌ ପରାଜୟ, ବର୍ମିଂହାମରେ ୩୩୬ ରନ୍ ବିଜୟ, ଲର୍ଡସରେ ୨୨ ରନ୍ ପରାଜୟ, ମାଞ୍ଚେଷ୍ଟର୍‌ରେ ଅପ୍ରତ୍ୟାଶିତ ଡ୍ର’ ପରେ ଓଭାଲ୍‌ରେ ଉତ୍କଣ୍ଠାପୂର୍ଣ୍ଣ ୬ ରନ୍ ବିଜୟ ସହ ଭାରତୀୟ ଦଳ ଇଂଲଣ୍ଡ ଗସ୍ତର ୫ ମ୍ୟାଚ୍‌ ଟେଷ୍ଟ୍‌ ଶୃଙ୍ଖଳାକୁ ୨-୨ରେ ଡ୍ର’ ରଖିଛି। ଶୁବମନ ଗିଲ୍‌ଙ୍କ ଯୁବ ବାହିନୀ ଇଂଲଣ୍ଡ ଗସ୍ତରେ ଅବିସ୍ମରଣୀୟ ଶୃଙ୍ଖଳା ବରାବର କରି ଭାରତୀୟ କ୍ରିକେଟ୍‌ ଦୁନିଆରେ ନୂଆ ଉନ୍ମାଦନା ଭରି ଦେଇଛି। ତେବେ ଏହି ଶୃଙ୍ଖଳା ପାଇଁ ଉପଲବ୍‌ଧ ଅଧିକାଂଶ ପିଚ୍‌ ଫ୍ଲାଟ୍‌ ଥିବାରୁ ରନ୍ ବର୍ଷା ହୋଇଥିଲା। ଉଭୟ ଦଳର ବ୍ୟାଟର୍‌ ମୋଟ ୭୧୮୭ ରନ୍ ସଂଗ୍ରହ କରିଥିଲେ। ଯାହାକି ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଦ୍ବିତୀୟ ସର୍ବାଧିକ। ୩୦୦ରୁ ଊର୍ଧ୍ବ ସ୍କୋର୍‌ ୧୪ ଥର ନଜରକୁ ଆସିବା ମଧ୍ୟ ଯୁଗ୍ମ ସର୍ବାଧିକ ଭାବେ ରେକର୍ଡର ସମକକ୍ଷ ହୋଇଛି। ୯ ଜଣ ଖେଳାଳି ୪୦୦ରୁ ଊର୍ଧ୍ବ ରନ୍‌ ସଂଗ୍ରହ କରିଛନ୍ତି। ଭାରତୀୟ ଅଧିନାୟକ ଶୁବମନ ଗିଲ୍‌ ସର୍ବାଧିକ ୭୫୪ ରନ୍ ସଂଗ୍ରହ କରିଥିବା ବେଳେ ‌ଜୋ ରୁଟ୍‌ (୫୩୭),‌ କେ‌ଏଲ୍ ରାହୁଲ (୫୩୨), ରବୀନ୍ଦ୍ର ଜାଡ଼େଜା (୫୧୬) ପ୍ରମୁଖ ୪ ଜଣ ୫୦୦ରୁ ଊର୍ଧ୍ବ ରନ୍‌ ସଂଗ୍ରହ କରିଥିଲେ। ଏହି ଶୃଙ୍ଖଳା ମଧ୍ୟ ୫୦ଟି ଉଦାହରଣ ରଖିଛି ଅର୍ଦ୍ଧଶତକର ଯାହାକି ଆଉ ଏକ ସର୍ବକାଳୀନ ଯୁଗ୍ମ ଶୀର୍ଷ ସ୍ଥାନ ଦେଇଛି। 

Advertisment

ଏକ ୫ ମ୍ୟାଚ୍‌ ଶୃଙ୍ଖଳାରେ ମୋଟ ୨୧ ଶତକ ମଧ୍ୟ ସର୍ବୋଚ୍ଚ ରେକର୍ଡ କରିଛି। ୧୯ ଶତକୀୟ ଭାଗୀଦାରି ମଧ୍ୟ ଟେ‌ଷ୍ଟ୍ କ୍ରିକେଟ୍ ଇତିହାସରେ ଯୁଗ୍ମ ସର୍ବୋଚ୍ଚ। ଟେଷ୍ଟ୍ କ୍ରିକେଟ୍ ଇତିହାସରେ ତୃତୀୟ ଥର ପାଇଁ ଏକ ଚତୁର୍ଥ ପାଳିରେ ୩୦୦ ରନ୍‌ ବେଳକୁ ମାତ୍ର ୩ ୱିକେଟ୍ ହରାଇ ଏକ ଦଳ ହାରିଲା। ପୂର୍ବ ଦୁଇଟି ଉଦାହରଣ ଥିଲା ୧୯୭୮-୭୯ରେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ୩୦୫/୩ରୁ ୩୧୦ ଅଲ୍‌ଆଉଟ୍‌ ଏବଂ ୨୦୦୭-୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ୩୦୩/୩ରୁ ୩୮୭ ଅଲ୍‌ଆଉଟ୍‌। ଓଭାଲ୍‌ରେ ଇଂଲଣ୍ଡ ୩୭୪ ରନ୍‌କୁ ପିଛା କରି ୩୦୧/୩ରେ ଥିଲେ ମଧ୍ୟ ୩୬୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୩୩୨/୪ ସ୍ଥିତିରୁ ପରାଜୟ ବରଣ କରିବା ସର୍ବୋଚ୍ଚ ରନ୍‌ ତାଲିକାରେ ମଧ୍ୟ ଇଂଲଣ୍ଡ ଦ୍ବିତୀୟରେ ରହିଛି। ଶୀର୍ଷରେ ମଧ୍ୟ ସେହି ଇଂଲଣ୍ଡ ରହିଛି, ୧୯୭୬-୭୭ ମେଲ୍‌ବର୍ଣ୍ଣ ଟେ‌ଷ୍ଟ୍‌ରେ ୩୪୬/୪ରୁ ୪୧୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ପ୍ରଥମ ଥର ପାଇଁ ଭାରତ ଦେଶ ବାହାରେ ଏକ ଶୃଙ୍ଖଳାର ପଞ୍ଚମ କି ଷଷ୍ଠ ମ୍ୟାଚ୍‌ ଜିତିଛି। ୬ ରନ୍ ବ୍ୟବଧାନ ମଧ୍ୟ ଭାରତ ପାଇଁ ସବୁଠାରୁ ସ୍ବଳ୍ପ। ପୂର୍ବରୁ ସର୍ବନିମ୍ନ ରନ୍‌ ବ୍ୟବଧାନ ବିଜୟ ୨୦୦୪-୦୫ ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବାଇ ଟେଷ୍ଟ୍‌ରେ ଥିଲା। ସେଠାରେ ଭାରତ ୧୩ ରନ୍‌ରେ ଜିତିଥିଲା।

ଯୁବ ବାହିନୀର ସାହସିକ ଇଂଲିସ୍ ସମର

ଲଣ୍ଡନ୍‌: ଦୁଇ ମାସ ତଳେ ଇଂଲଣ୍ଡରେ ପାଦ ଥାପିଥିବା ଶୁବମନ ଗିଲ୍‌ଙ୍କ ଯୁବ ବାହିନୀଠାରୁ କେହି କିଛି ଆଶା କରି ନଥିଲେ। ଅନିଭଜ୍ଞ ଦଳ ଓ ଅନଭିଜ୍ଞ ଅଧିନାୟକଙ୍କୁ ନେଇ ଇଂଲିସ୍ ସମର୍‌କୁ କିନ୍ତୁ ଅଧିକ ଗରମ କରି ଦେଇଛି ୨-୨ ଡ୍ର’। ଲିଡ୍‌ସ ଓ ଲର୍ଡସ୍‌ରେ ଭାରତର ପରାଜୟ ବି ଥିଲା ଘମାଘୋଟ ଲଢ଼େଇ ଭିତରେ। ଉଭୟ ପଟକୁ ଯିବା ଭଳି ଥିଲା ଏହି ମ୍ୟାଚ୍‌ ଦ୍ବୟ। ବର୍ମିଂହାମ୍‌ରେ ଭାରତ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଜିତିବା ପରେ ଓଲ୍ଡ ଟ୍ରାଫୋର୍ଡ ଓ ଓଭାଲ୍‌ରେ କିନ୍ତୁ ବାଜି ମାରି ନେଇଥିଲା। ସୁଯୋଗକୁ ହାତଛଡ଼ା ନ କରିବାର ଚରିତ୍ର ହିଁ ଭାରତର ଖେଳାଳିମାନଙ୍କୁ ବାଳକକୁ ବୟସ୍କ କରି ଦେଇଛି।

ଏହି ମନେ ରଖିବା ଭଳି ଶୃଙ୍ଖଳାରେ ଶୁମବନ ଗିଲ୍‌ ସର୍ବାଧିକ ୭୫୪ ରନ୍ ଏବଂ ସର୍ବାଧିକ ୪ ଶତକ ମାରିବା ନିର୍ଣ୍ଣାୟକ ଥିଲା। ମହମ୍ମଦ ସିରାଜ ସର୍ବାଧିକ ୨୩ ୱିକେଟ୍‌ ନେବା ସେତିକି ଫରକ ପକାଇଥିଲା। ଓଭାଲ୍‌ରେ ଅସମ୍ଭବ ଲାଗୁଥିବ‌ା ବିଜୟକୁ ଇଂଲଣ୍ଡ ହାତରୁ ଛଡ଼ାଇ ଆଣିବାକୁ ସିରାଜଙ୍କ ସଙ୍କଳ୍ପ ତାଙ୍କୁ ରାତାରାତି ନାୟକ କରି ଦେଇଛି। ବୁମ୍‌ରାଙ୍କ ଛାୟା ଭିତରୁ ବାହାରି ଏବେ ସେ ଭାରତର ମୁଖ୍ୟ ବୋଲର୍‌ ହେବାର ଦାବି ଉପସ୍ଥାପନ କରିଛନ୍ତି। ବୁମ୍‌ରା ଖେଳି ନଥିବା ଉଭୟ ଟେଷ୍ଟ୍‌ରେ ସେ ୫ ୱିକେଟ୍‌ ସଫଳତା ସହ ଦଳକୁ ବିଜୟୀ କରାଇବା ଅନେକ କଥା ବି କହୁଛି। ରବୀନ୍ଦ୍ର ଜାଡ଼େଜାଙ୍କ ଅଲ୍‌ରାଉଣ୍ଡ୍ ଦକ୍ଷତା ତାଙ୍କ ଖେଳ ସରି ନଥିବାର ପ୍ରମାଣ ବି ଦେଇଛି। ୩୬ ବର୍ଷୀୟ ଜାଡ଼େଜା ୬ ଥର ୫୦+ ‌ସ୍କୋର୍ (ଗୋଟିଏ ଶତକ) କରିବା ସହ ପେସ୍ ପ୍ରାଧାନ୍ୟ ପିଚ୍‌ରେ ୭ ୱିକେଟ୍‌ ମଧ୍ୟ ନେଇଥିଲେ। ଓପନର୍ ଭାବେ କେଏଲ୍ ରାହୁଲ୍‌ଙ୍କ ପ୍ରତିଷ୍ଠା ବି ଭାରତକୁ ଅସ୍ଥିର ପ୍ରାରମ୍ଭିକ ଯୋଡ଼ି ସମସ୍ୟାରୁ ମୁକ୍ତ କରିଛି। ରାହୁଲ ୨ ଶତକ ସହ ୫୩୨ ରନ୍ କରିଥିଲେ। ୱାସିଂଟନ୍ ସୁନ୍ଦରଙ୍କ ଆବିର୍ଭାବ ବି ଭାରତୀୟ ଅଲରାଉଣ୍ଡର୍‌ ଅଭାବକୁ ଦୂର କରିଛି।

ବ୍ୟକ୍ତିଗତ ପ୍ରଦର୍ଶନ ବ୍ୟତୀତ ଜଟିଳ ଆଘାତ ସମସ୍ୟା ଭିତରେ ଋଷଭ ପନ୍ତ୍‌ ଓ କ୍ରିସ୍ ଓକ୍ସ ବ୍ୟାଟିଂ ପାଇଁ ଆସିବା ଟେଷ୍ଟ୍ କ୍ରିକେଟ୍‌କୁ ଆହୁରି ଉଚ୍ଚକୁ ନେଇଯାଇଛି। ସେହିଭଳି ପ୍ରଥମ ଦୁଇ ଟେଷ୍ଟ୍ ପରେ ପରବର୍ତ୍ତୀ ୩ ଟେଷ୍ଟ୍ ବେଳକୁ ପଡ଼ିଆ ଭିତରେ ବାକ୍‌ ବିତଣ୍ଡା, ସ୍ଲେଜିଂ, ଉଚ୍ଚେଜକ ମୁହୂର୍ତ୍ତମାନ ବି ଏହି ଶୃଙ୍ଖଳାକୁ କିଛିଟା ତିକ୍ତ ଅନୁଭୂତି ଛାଡ଼ିବାକୁ ବାଧ୍ୟ କରିଥିଲା।