ମେଲ୍ବର୍ଣ୍ଣ: ପୁରୁଣା କାହାଣୀର ପୁନରାବୃତ୍ତି ଘଟିଛି। କିଛି ଘଣ୍ଟାର ଆଶା ସଂଚାର ପରେ ପୁଣି ସୁଯୋଗ ହାତଛଡ଼ା ସହ ବିପର୍ଯ୍ୟୟ ମାଡ଼ି ଆସିଛି। ବିପର୍ଯ୍ୟୟ ଫଲୋଅନ୍ର, ପରାଜୟର ଏବଂ ବର୍ଡର ଗାଭାସ୍କର ଟ୍ରଫି ହରାଇବାର। ମେଲ୍ବର୍ଣ୍ଣ ଟେଷ୍ଟ୍ର ଦ୍ବିତୀୟ ଦିନ ପରେ ଏଭଳି ଆଶଙ୍କା ଜାତ ହୋଇଛି। ରୋହିତ ଶର୍ମା ଓପନିଂକୁ ଫେରିବାର ନିଷ୍ପତ୍ତି ବିଶେଷ ଫଳପ୍ରଦ ହୋଇନାହିଁ। ବିରାଟ କୋହଲି ଅଧିକ ସମୟ କ୍ରିଜ୍ରେ ରହିଥିଲେ ମଧ୍ୟ ଲମ୍ବା ପାଳି ଖେଳିପାରିଲେ ନାହିଁ। ଷ୍ଟିଭେନ୍ ସ୍ମିଥ୍ଙ୍କ କ୍ରମାଗତ ଶତକ ପରେ ଭାରତ ଉପରେ ପଡ଼ିଥିବା ଚାପ ବଢ଼ିଛି। କଙ୍ଗାରୁ ଦଳର ୪୭୪ ରନ୍ ପାହାଡ଼ ପରେ ଭାରତ ଦ୍ବିତୀୟ ଦିନ ସୁଦ୍ଧା ୧୬୪/୫ରେ ସଂଘର୍ଷ କରୁଛି। ମୋଟ ଉପରେ ୩୧୦ ରନ୍ ପଛରେ ରହିବା ସହ ଫଲୋଅନ୍ ଏଡ଼ାଇବାକୁ ଆହୁରି ୧୧୧ ରନ୍ ଆବଶ୍ୟକ କରୁଛି। ଏବେ ଭାରତର ସବୁ ଭରସା ୱିକେଟ୍ରକ୍ଷକ ଋଷଭ ପନ୍ତ୍ ଏବଂ ୩ ଅଲରାଉଣ୍ଡର୍ (ରବୀନ୍ଦ୍ର ଜାଡ଼େଜା, ନୀତୀଶ କୁମାର ରେଡ୍ଡୀ, ୱାସିଂଟନ୍ ସୁନ୍ଦର)ଙ୍କ ଉପରେ ନିର୍ଭର କରୁଛି।
ଅଷ୍ଟ୍ରେଲିଆର ୪୭୪ ରନ୍ ପାଳି ପରେ ବ୍ୟାଟିଂ କରିଥିବା ଭାରତ ଦ୍ବିତୀୟ ଓଭରରେ ରୋହିତ ଶର୍ମା (୩)ଙ୍କୁ ହରାଇଥିଲା। ପ୍ୟାଟ୍ କମିନ୍ସଙ୍କ ବୋଲିଂ ବେଳେ ଲିଡିଂ ଏଜ୍ରୁ ମିଡ୍ ଅନ୍ରେ ସ୍କଟ୍ ବୋଲାଣ୍ଡ୍ କ୍ୟାଚ୍ ନେଇ ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଯଶସ୍ବୀ ଜୟସ୍ବାଲ ଓ କେଏଲ୍ ରାହୁଲ୍ କିନ୍ତୁ ପରବର୍ତ୍ତୀ ୧୩ ଓଭର ୱିକେଟ୍ ନ ଦେଇ ୪୩ ରନ୍ ଯୋଡ଼ି ପ୍ରାରମ୍ଭିକ କ୍ଷତିର ଭରଣା କରିଥିଲେ। ଚା’ପାନ ବିରତି ପୂର୍ବରୁ କମିନ୍ସଙ୍କ ଏକ ସ୍ବପ୍ନର ବଲ୍ରେ ରାହୁଲ ବୋଲ୍ଡ ହୋଇଯାଇଥିଲେ। ଏହା ପରେ ଜୟସ୍ବାଲ ଓ କୋହଲିଙ୍କ ମଧ୍ୟରେ ଏକ ଭଲ ଭାଗୀଦାରି (୨୬ ଓଭରରେ ୧୦୨ ରନ୍) ହୋଇଥିଲା। ଶେଷ ଅଧଘଣ୍ଟା ଭାରତ ପାଇଁ ଅଶୁଭ ଥିଲା। ଅର୍ଦ୍ଧଶତକ ପୂର୍ଣ୍ଣ ପରେ ଆତ୍ମବିଶ୍ବାସର ସହ ଖେଳୁଥିବା ଜୟସ୍ବାଲ ଏକ ଦ୍ରୁତ ଏକ ରନ୍ ଚୋରାଇବାକୁ ଯାଇ ନିଜକୁ ରନ୍ ଆଉଟ୍ କରିଦେଇଥିଲେ। କୋହଲିଙ୍କ ସହ ତାଳମେଳ ଅଭାବରୁ ଜୟସ୍ବାଲ ଏକ ସୁନ୍ଦର ଶତକରୁ ବଞ୍ଚିତ ହୋଇଥିଲେ। ସେ ୧୧୮ ବଲ୍ରୁ ୮୨ ରନ୍ କରିଥିଲେ। ଗୋଟିଏ ଓଭର ପରେ କୋହଲି (୮୬ ବଲ୍ରୁ ୩୬ ରନ୍) ବି ପ୍ୟାଭିଲିଅନ୍ ଫେରି ଭାରତର ବ୍ୟାଟିଂ ବିପର୍ଯ୍ୟୟକୁ ବଢ଼ାଇଥିଲେ। ନାଇଟ୍ୱାଚ୍ମ୍ୟାନ୍ ଭାବେ ଆସିଥିବା ଆକାଶ ଦୀପ (୦, ୧୩ ବଲ୍) ନିରାଶ କରିଥିଲେ। ଭାରତ ହଠାତ୍ ୧୫୩/୨ ସ୍ଥିତିରୁ ୧୬୪/୫ରେ ଦିନ ଶେଷ କରିଛି।
ପୂର୍ବରୁ କଙ୍ଗାରୁ ଦଳ ନିଜ ପାଳିର ଲାଞ୍ଜରୁ ଶତକୀୟ ଭାଗୀଦାରି ଗଢ଼ି ବିଶାଳ ସ୍କୋର୍ ଛିଡ଼ା କରିଥିଲା। ଷ୍ଟିଭେନ୍ ସ୍ମିଥ୍ (୧୪୦, ୧୯୭ ବଲ୍) ଏବଂ ପ୍ୟାଟ୍ କମିନ୍ସ (୪୯ ରନ୍, ୬୩ ବଲ୍)ଙ୍କ ଯୋଡ଼ି ସପ୍ତମ ୱିକେଟ୍ ପାଇଁ ୧୧୨ ଯୋଡ଼ିବା ଫଳରେ ଘରୋଇ ଦଳ ୪୦୦ ରନ୍ ଟପିଯାଇଥିଲା। କେବଳ କମିନ୍ସ ନୁହଁନ୍ତି ନିମ୍ନକ୍ରମରେ ମିଚେଲ୍ ଷ୍ଟାର୍କ (୧୫), ନାଥନ୍ ଲାୟନ (୧୩), ସ୍କଟ୍ ବୋଲାଣ୍ଡ୍ (୬*)ଙ୍କୁ ନେଇ ସ୍ମିଥ୍ ଶେଷ ୩ ଭାଗୀଦାରିରୁ ୬୩ ରନ୍ ଯୋଡ଼ିଥିଲେ।। ବୁମ୍ରା, ଜାଡ଼େଜା ଓ ଆକାଶଦୀପ ୱିକେଟ୍ ବାଣ୍ଟି ନେଇଥିଲେ। ସ୍ମିଥ୍ଙ୍କ ୩୪ତମ ଟେଷ୍ଟ୍ ଶତକ ଅବସରରେ ସେ ଏକ ରେକର୍ଡ କରିଥିଲେ। ଭାରତ ବିପକ୍ଷରେ ୧୧ ଶତକ ମାରିବାରେ ପ୍ରଥମ ଖେଳାଳି ହୋଇଥିଲେ।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୨୨.୪ ଓଭରରେ ୪୭୪/୧୦ (ଷ୍ଟିଭେନ୍ ସ୍ମିଥ୍-୧୪୦, ମାର୍ନସ ଲବୁସାନ୍-୭୨, ସାମ୍ କନ୍ଷ୍ଟାସ୍-୬୦, ଉସ୍ମାନ ଖୱାଜା-୫୭, ପ୍ୟାଟ୍ କମିନ୍ସ-୪୯, ଯଶପ୍ରୀତ୍ ବୁମ୍ରା-୪/୯୯, ରବୀନ୍ଦ୍ର ଜାଡ଼େଜା-୩/୭୮, ଆକାଶ ଦୀପ-୨/୯୪, ୱାସିଂଟନ୍ ସୁନ୍ଦର-୧/୪୯)। ଭାରତ ପ୍ରଥମ ପାଳି: ୪୬ ଓଭରରେ ୧୬୪/୫ (ଯଶସ୍ବୀ ଜୟସ୍ବାଲ-୮୨, ବିରାଟ କୋହଲି-୩୬, କେଏଲ୍ ରାହୁଲ୍-୨୪, ସ୍କଟ୍ ବୋଲାଣ୍ଡ୍-୨/୨୪, ପ୍ୟାଟ୍ କମିନ୍ସ-୨/୫୭)।
କୋହଲିଙ୍କୁ ଚିଡ଼ାଇଲେ ପ୍ରଶଂସକ
ଚଳିତ ଅଷ୍ଟ୍ରେଲିଆ ଗସ୍ତ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ଭଲ ବିତିନାହିଁ। କିନ୍ତୁ ବିରାଟ କୋହଲି ନିଜ ଉପରୁ ବାରମ୍ବାର ନିୟନ୍ତ୍ରଣ ହରାଇବା ଏବେ ତାଙ୍କୁ ଅଧିକ ନିନ୍ଦିତ କରିଛି। ଚଳିତ ମେଲ୍ବର୍ଣ୍ଣ ଟେଷ୍ଟ୍ର ପ୍ରଥମ ଦିନ ଯୁବ ଖେଳାଳି ସାମ୍ କନ୍ଷ୍ଟାସ୍ଙ୍କ ସହ ଘସି ହୋଇ ମ୍ୟାଚ୍ ଫି’ର ୨୦ ପ୍ରତିଶତ ହରାଇବା ସହ ଗୋଟିଏ ଡିମେରିଟ୍ ପଏଣ୍ଟ ବରଣ କରିଥିଲେ। ଶୁକ୍ରବାର ଆଉ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଆଉଟ୍ ହୋଇ ଫେରୁଥିବା ବେଳେ କୋହଲିଙ୍କୁ ଅଷ୍ଟ୍ରେଲୀୟ ପ୍ରଶଂସକମାନେ ଚିଡ଼ାଇଥିଲେ। ଏଥିରେ ବିରକ୍ତ ହୋଇ କୋହଲି ମଧ୍ୟ ଷ୍ଟେୟାରକୁ ଫେରି କିଛି ପ୍ରଶଂସକଙ୍କୁ କିଛି କହୁଥିବାର ଭିଡିଓ ଭାଇରାଲ୍ ହୋଇଛି। ସୁରକ୍ଷାକର୍ମୀ ଏହା ପରେ ତାଙ୍କୁ ଡ୍ରେସିଂ ରୁମ୍ ନେଇଯାଇଥିଲେ। ପ୍ରଥମ ଦିନ ଘଟଣା ପାଇଁ କୋହଲିଙ୍କୁ କାହିଁକି ବାସନ୍ଦ କରାଯାଇନାହିଁ ବୋଲି ମଧ୍ୟ କିଛି ଦାବି ଉଠାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/28/YjMbMgSRvRWCndxL9JBa.jpg)