ବେଙ୍ଗାଲୁରୁ: ସୋମବାର ରାତିରେ ‌ଖେଳାଯାଇଥିବା ଆର୍‌ସିବି-ସିଏସ୍‌କେ ମୁକାବିଲାରେ କେବଳ ରନ୍‌ ବ‌ର୍ଷା (୪୪୪ ରନ୍, ୪୬ ବାଉଣ୍ଡରି) ହୋଇନଥିଲା, ଅନେକ ରେକର୍ଡ ମଧ୍ୟ ପ୍ରତିଷ୍ଠା ହୋଇଥିଲା। ବ୍ୟାଟିଂ ପ୍ରିୟ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ୨୦୦ ରନ୍‌ ସାଧାରଣ ସ୍କୋର୍‌ ହୋଇଯାଇଛି। ଉଭୟ ଦଳର ମିଳିତ ୪୪୪ ରନ୍‌ ଏକ ଆଇପିଏଲ୍‌ ମ୍ୟାଚ୍‌ରେ ଷଷ୍ଠ ସର୍ବୋଚ୍ଚ ମିଳିତ ସ୍କୋର୍‌। ଚିନ୍ନାସ୍ବାମୀରେ କିନ୍ତୁ ଏହା ସର୍ବୋଚ୍ଚ। ଚଳିତ ବର୍ଷ ଏପ୍ରିଲ୍‌ ୧୦ ତାରିଖରେ ଆର୍‌ସିବି-ଏଲ୍‌ଏସ୍‌ଜି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରୁ ୪୨୫ ରନ୍‌ ପଛରେ ପଡ଼ିଯାଇଥିଲା।

Advertisment

ସିଏସ୍‌କେ (୨୨୬/୬) କିନ୍ତୁ ନିଜ ତୃତୀୟ ସର୍ବୋଚ୍ଚ ସ୍କୋର୍‌ ପାଇଥିଲା। ୨୦୧୦ରେ ରାଜସ୍ଥାନ ବିପକ୍ଷରେ ୨୪୬/୫ ଏବଂ ୨୦୦୮ରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବିପକ୍ଷରେ ୨୪୦/୫ ସ୍କୋର୍‌ କରିଥିଲା। ସିଏସ୍‌କେର ୨୨୬ କିନ୍ତୁ ଆର୍‌ସିବି ବିପକ୍ଷରେ ଦଳର ସର୍ବୋଚ୍ଚ। ସୋମବାର ଆର୍‌ସିବି ମଧ୍ୟ ସିଏସ୍‌କେ ବିପକ୍ଷରେ ନିଜ ସର୍ବୋଚ୍ଚ (୨୧୮/୮) ସ୍କୋର୍‌ କରିଥିଲା। ସିଏସ୍‌କେ ବ୍ୟାଟର୍‌ ମୋଟ ୧୭ ଛକା ମାରିବା ଦଳ ପାଇଁ ଯୁଗ୍ମ ସର୍ବାଧିକ। ପୂର୍ବରୁ ସିଏସ୍‌କେ ୩ ଥର ୧୭ ଲେଖାଏଁ ଛକା ମାରିଛି। ୨୦୦୧୮ ଏବଂ ୨୦୨୨ରେ ମଧ୍ୟ ଆର୍‌ସିବି ବିପକ୍ଷରେ ଦଳ ୧୭ ଲେଖାଏଁ ଛକା ମାରିଥିଲା। ସୋମବାର ଉଭୟ ଦଳ ମୋଟ ୩୩ ଛକା ମାରିବା ଏକ ଆଇପିଏଲ୍‌ ମ୍ୟାଚ୍‌ରେ ମଧ୍ୟ ଯୁଗ୍ମ ସର୍ବାଧିକ। ପୂର୍ବରୁ ଦୁଇ ଥର (ଆର୍‌ସିବି-ସିଏସ୍‌କେ, ୨୦୧୮, ବେଙ୍ଗାଲୁରୁ ଏବଂ ରାଜସ୍ଥାନ-ସିଏସ୍‌କେ, ସାରଜା, ୨୦୨୦) ମଧ୍ୟ ୩୩ ଲେଖାଏଁ ଛକା ଦେଖିବାକୁ ମିଳିଥିଲା। ନିଜ ପୂର୍ବ ଫ୍ରାଞ୍ଚାଇଜ୍ ଆର୍‌ସିବି ବିପକ୍ଷରେ ଶିବମ ଦୁବେ ୩ ପାଳିରୁ ୧୫ ଛକା (୧୦୫ ବଲ୍) ମାରିଛନ୍ତି। ୧୮୩.୮ ଷ୍ଟ୍ରାଇକ୍ ରେଟ୍‌ ଏବଂ ୯୬.୫ ହାରାହାରିରେ ୧୯୩ ରନ୍‌ ସଂଗ୍ରହ କରିଛନ୍ତି ମଧୁର ପ୍ରତିଶୋଧ ନେଇଛନ୍ତି।