ପୋର୍ଟ ଅଫ୍ ସ୍ପେନ୍: କାରିବୀୟ ପ୍ରିମିୟର ଲିଗ୍ (ସିପିଏଲ୍)ରେ ଦ୍ରୁତତମ ଶତକର କୀର୍ତିମାନ (୪୦ ବଲ୍) ପ୍ରତିଷ୍ଠା କରିଛନ୍ତି ଅଲ୍ରାଉଣ୍ଡର ଆନ୍ଦ୍ରେ ରସେଲ୍। ପୂର୍ବରୁ ଏହି ଲିଗ୍ରେ ଦ୍ରୁତତମ ଶତକର କୀର୍ତିମାନ ମଧ୍ୟ ରସେଲ୍ଙ୍କ ନାମରେ ଥିଲା। ୨୦୧୬ରେ ତ୍ରିନ୍ବାଗୋ ନାଇଟ୍ ରାଇଡର୍ସ (ଟିକେଆର୍) ବିପକ୍ଷ ପ୍ଲେ-ଅଫ୍ ମ୍ୟାଚ୍ରେ ରସେଲ ୪୨ ବଲ୍ରୁ ଶତକ ଜମାଇଥିଲେ। ନିଜର ସେହି ପୂର୍ବ କୀର୍ତିମାନକୁ ଶୁକ୍ରବାର ରସେଲ୍ ଟପି ଯାଇଛନ୍ତି। ଜାମାଇକା ତଲାଓ୍ଵାହ ପକ୍ଷରୁ ଖେଳୁଥିବା ରସେଲ୍ ସେହି ଟିକେଆର୍ ବିପକ୍ଷ ଚଳିତ ଲିଗ୍ର ତୃତୀୟ ମ୍ୟାଚ୍ରେ ୪୦ ବଲ୍ରୁ ଶତକ ଜମାଇଛନ୍ତି। ଏହି ମ୍ୟାଚ୍ରେ ସେ ୪୯ ବଲ୍ରୁ ୧୨୧ ରନ୍ କରି ଅପରାଜିତ ରହିଥିଲେ। ତାଙ୍କ ବିସ୍ଫୋରକ ପାଳିରେ ସାମିଲ ଥିଲା ୬ ଚୌକା ଓ ୧୩ ଛକା। ଗୋଟିଏ ପାଳିରେ ୧୩ ଛକା ମଧ୍ୟ ସିପିଏଲ୍ରେ ନୂଆ କୀର୍ତିମାନ ବହନ କରିଥିଲା। ଏକ୍ଷେତ୍ରରେ ରସେଲ୍ ମଧ୍ୟ ପୂର୍ବରୁ ଇଭିନ୍ ଲୁଇସ୍ ଓ କ୍ରିସ୍ ଗେଲ୍ଙ୍କ ନାମରେ ଥିବା ଯୁଗ୍ମ କୀର୍ତିମାନକୁ ଟପି ଯାଇଥିଲେ। ଶନିବାର ବ୍ୟାଟିଂ କମାଲ୍ ପୂର୍ବରୁ ରସେଲ୍ ମଧ୍ୟ ବୋଲିଂରେ କରିସ୍ମା କରିଥିଲେ। ଟିକେଆର୍ ପାଳିରେ ରସେଲ୍ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ସେ ବେଣ୍ଡନ୍ ମ୍ୟାକ୍ଲମ୍ (୫୬), ଡେ୍ଵନ୍ ବ୍ରାଭୋ (୨୯) ଓ ଦୀନେଶ ରାମ୍ଦିନ୍ (୦)ଙ୍କୁ ନିଜର ତୃତୀୟ ତଥା ଟିକେଆର୍ ପାଳିର ଶେଷ ଓଭରରେ ହିଁ ଶିକାର କରିନେଇଥିଲେ। ରସେଲ୍ ମଧ୍ୟ କ୍ରିସ୍ ଲିନ୍ (୪୬)ଙ୍କ କ୍ୟାଚ୍ ନେଇଥିଲେ। ରସେଲ୍ଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନ ବଳରେ ଜାମାଇକା ତଲଓ୍ଵାହ ୩ ବଲ୍ ପୂର୍ବରୁ ୪ ଓ୍ଵିକେଟ୍ରେ ମ୍ୟାଚ୍ ଜିତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଟିକେଆର୍ ୬ ଓ୍ଵିକେଟ୍ରେ ୨୨୩ ରନ୍ କରିଥିଲା ବେଳେ ଜାମାଇକା ତଲଓ୍ଵାହ ୧୯.୩ ଓଭରରେ ୬ ଓ୍ଵିକେଟ୍ ହରାଇ ୨୨୫ ରନ୍ କରିନେଇଥିଲା। ରସେଲଙ୍କ ଅପରାଜିତ ଶତକ ବ୍ୟତୀତ କେନାର ଲୁଇସ୍ (୩୫ ବଲ୍ରୁ ୫୧)ଙ୍କ ଅର୍ଧଶତକ ଜାମାଇକା ତଲଓ୍ଵାହକୁ ବିଜୟ ଭେଟି ଦେଇଥିଲା। ରସେଲ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରସେଲ୍ ଓ ଲୁଇସ୍ ଷଷ୍ଠ ଓ୍ଵିକେଟ୍ରେ ୧୬୧ ରନ୍ ଯୋଡ଼ଥିବା ସିପିଏଲ୍ରେ କୌଣସି ଓ୍ଵିକେଟ୍ରେ ସର୍ବାଧିକ ଭାଗୀଦାରିର ଯୁଗ୍ମ କୀର୍ତିମାନ ଥିଲା। ୨୦୧୪ ନାଟ୍େଓ୍ଵଷ୍ଟ ଟେ୍ଵଣ୍ଟି-୨୦ ବ୍ଲାଷ୍ଟ୍ରେ ନର୍ଥମ୍ପାଟନ୍ ବିପକ୍ଷ ଡୁରହାମ୍ ପକ୍ଷରୁ କାଲମ୍ ମ୍ୟାକ୍ଲିଓଡ୍ ଓ ଜନ୍ ହାଷ୍ଟିଙ୍ଗ୍ସ ୧୨୬ ରନ୍ର ଭାଗୀଦାରି କରିଥିଲେ।
ତନ୍ବୀର ଦଣ୍ଡିତ
କାରିବୀୟ ପ୍ରିମିୟର ଲିଗ୍ (ଟେ୍ଵଣ୍ଟି-୨୦)ରେ ଅଶୋଭନୀୟ ଆଚରଣ କରିଥିବା ଅଭିଯୋଗରେ ଗାଏନା ଆମାଜନ୍ ଓ୍ଵାରିୟର୍ସର ପାକିସ୍ତାନୀ ଦ୍ରୁତ ବୋଲର ସୋହେଲ ତନ୍ବୀର ଦଣ୍ଡିତ ହୋଇଛନ୍ତି। ଗୁରୁବାର ନେଭିସ୍ ପାଟ୍ରିଅଟ୍ସ ବିପକ୍ଷ ଏକ ମ୍ୟାଚ୍ ବେଳେ ଅଷ୍ଟ୍ରେଲୀୟ ଖେଳାଳି ବେନ୍ କଟିଙ୍ଗ୍ଙ୍କୁ ୟର୍କର ଜରିଆରେ ତନ୍ବୀର ଆଉଟ୍ କରିଦେଇଥିଲେ। ଅବଶ୍ୟ ଏହାର ପୂର୍ବ ବଲ୍ରେ କଟିଙ୍ଗ୍ ଏକ ଛକା ମାରିଥିଲେ। କଟିଙ୍ଗ୍ ପାଭିଲିୟନ୍ ଫେରୁଥିଲା ବେଳେ ତନ୍ବୀର ତାଙ୍କୁ ମଝି ଦୁଇ ଅଙ୍ଗୁଠି ଦେଖାଇଥିଲେ। ଯାହାକି ଆଚରଣ ବିଧି ଉଲ୍ଲଂଘନ କରିଥିଲା। ସେଥିପାଇଁ ତନ୍ବୀରଙ୍କୁ ମ୍ୟାଚ୍ ପାଉଣାର ୧୫ ପ୍ରତିଶତ ଜରିମାନା ଦଣ୍ଡ ଦିଆଯାଇଛି।