ସେଣ୍ଟ ପିଟର୍ସବର୍ଗ: ଚଳିତ ଫିଫା ବିଶ୍ୱକପ୍ରେ ଆୟୋଜକ ରୁଷିଆର ରାଜୁତି ଜାରି ରହିଛି। ପ୍ରଥମ ମୁକାବିଲାରେ ସାଉଦି ଆରବକୁ ୫-୦ରେ ହରାଇ ଦେଇଥିବା ରୁଷିଆ ମଙ୍ଗଳବାର ନିଜ ଦ୍ୱିତୀୟ ଲଢ଼େଇରେ ଆଫ୍ରିକୀୟ ଦଳ ଇଜିପ୍ଟକୁ ୩-୧ ଗୋଲ୍ରେ ହରାଇ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ତା’ ସହ ପ୍ରଥମ ଦଳ ଭାବେ ପ୍ରି-କ୍ୱାର୍ଟରରେ ସ୍ଥାନ ସୁରକ୍ଷିତ କରି ନେଇଛି। ସୋଭିଏତ୍ ସଂଘରୁ ଅଲଗା ହେବା ପରେ ରୁଷିଆ କେବେବି ବିଶ୍ୱକପର ପ୍ରି-କ୍ୱାର୍ଟର ପର୍ଯ୍ୟାୟକୁ ଯାଇ ନଥିଲା। ସେବେଠାରୁ ଏହି ଦଳ ତିନି ଥର (୧୯୯୪, ୨୦୦୨ ଏବଂ ୨୦୧୪) ବିଶ୍ୱକପ୍ ଖେଳି ସବୁଥର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ତିନିଟି ଯାକ ଥର ରୁଷିଆ ନିଜ ଗ୍ରୁପର ତୃତୀୟ ସ୍ଥାନରେ ରହି ଆଗକୁ ବଢ଼ି ନଥିଲା। ଏଥର ଦୁଇଟିରୁ ଦୁଇଟି ମ୍ୟାଚ୍ ଜିତି ସଂପ୍ରତି ଗ୍ରୁପ୍-ଏର ପ୍ରଥମ ସ୍ଥାନରେ ରହି ପ୍ରି-କ୍ୱାର୍ଟର ଯାଇଛି। ସେପଟେ ଇଜିପ୍ଟ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଥିଲେ ମଧ୍ୟ ତାରକା ଅଗ୍ରଭାଗ ଖେଳାଳି ମହମ୍ମଦ ସଲାହଙ୍କ ସାନ୍ତ୍ୱନା ମୂଳକ ଗୋଲ୍ ପାଇଁ ଏବେବି ଏହି ଦଳ ପାଖରେ ପ୍ରି-କ୍ୱାର୍ଟର ଯିବାର ସୁଯୋଗ ରହିଛି। ପ୍ରଥମ ମ୍ୟାଚ୍ରେ ଇଜିପ୍ଟ ଉରୁଗୁଏଠାରୁ ୦-୧ ଗୋଲ୍ରେ ହାରିଥିଲା।
ଦକ୍ଷ ଖେଳାଳି ମହମ୍ମଦ ସଲାହଙ୍କ ପ୍ରତ୍ୟାବର୍ତନ ସତ୍ତ୍ୱେ ଇଜିପ୍ଟ ମଙ୍ଗଳବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ଏହି ମ୍ୟାଚ୍ର ରୁଷିଆ ରକ୍ଷଣଭାଗକୁ ଭେଦ କରି ପାରି ନଥିଲା। ପ୍ରଥମାର୍ଧରେ ଉଭୟ ଦଳ ମଧ୍ୟ ଶୃଙ୍ଖଳିତ ଖେଳ ଖେଳିଥିଲେ। ସେଥିପାଇଁ ଜଣେ ହେଲେ ବି ଖେଳାଳି ହଳଦିଆ କିମ୍ବା ଲାଲ୍ କାର୍ଡ ପାଇ ନଥିଲେ। ଦ୍ୱିତୀୟାର୍ଧରେ କିନ୍ତୁ ରୁଷିଆ ପୂରା ଆଧିପତ୍ୟ ବିସ୍ତାର କରିଥିଲା। ଏହାର ଆରମ୍ଭ ୪୭ ମିନିଟ୍ରେ ଇଜିପ୍ଟର ଆତ୍ମଘାତୀ ଗୋଲ୍ରୁ ହୋଇଥିଲା। ଇଜିପ୍ଟର ନିଜ ଖେଳାଳି ଅହମ୍ମଦ ଫାତିଙ୍କ ଆଣ୍ଠୁରେ ବାଜି ବଲ୍ ଗୋଲ୍ ପୋଷ୍ଟ ଭିତରକୁ ଚାଲି ଯାଇଥିଲା। ଫଳରେ ରୁଷିଆ ଅଳ୍ପ ପରିଶ୍ରମରେ ଆଗୁଆ ହୋଇ ଯାଇଥିଲା। ଏହା ପରେ ଇଜିପ୍ଟ ଖେଳାଳି ଏକପ୍ରକାର ଆତ୍ମବିଶ୍ୱାସ ହରାଇ ବସିଥିଲେ। ଏହି ସୁଯୋଗରେ ରୁଷିଆ ୩ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ମ୍ୟାଚ୍କୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା। ଏହି ଦୁଇଟି ଗୋଲ୍ ଡେନିସ୍ ଚେରିସେଭ୍ (୫୯ ମିନିଟ୍) ଏବଂ ଆର୍ଟେମ୍ ଡିଉବା (୬୨ ମିନିଟ୍)ରେ ଦେଇଥିଲେ। ୧୦ ମିନିଟ୍ ପରେ ଅବଶ୍ୟ ପେନାଲ୍ଟିକୁ ଗୋଲ୍ରେ ରୂପାନ୍ତର କରି ସଲାହ ଇଜିପ୍ଟର ଗୋଲ୍ ଖାତା ଖୋଲିଥିଲେ। ଚଳିତ ବିଶ୍ୱକପରେ ଇଜିପ୍ଟ ସହ ଏହା ମଧ୍ୟ ତାଙ୍କର ପ୍ରଥମ ଗୋଲ୍ ଥିଲା। ଏହା ପରେ କିନ୍ତୁ ରୁଷିଆ ରକ୍ଷଣଭାଗ ଇଜିପ୍ଟ ଗୋଲ୍ କରିବାର କୌଣସି ସୁଯୋଗ ଦେଇ ନଥିଲା। ଫଳରେ ୩-୧ରେ ବିଜୟୀ ହୋଇ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ଉଭୟ ଦଳ ପ୍ରଥମ ଥର ପାଇଁ ପରସ୍ପର ବିପକ୍ଷରେ ଖେଳୁଥିଲା ବେଳେ ରୁଷିଆ ଏଥିରେ ବାଜି ମାରି ନେଇଥିଲା। ବିଶ୍ୱକପରେ ଆଫ୍ରିକୀୟ ରାଷ୍ଟ୍ର ବିପକ୍ଷରେ ରୁଷିଆ ନିଜ ଅପରାଜେୟ ଧାରାକୁ ବି ଜାରି ରଖିଥିଲା। ମ୍ୟାଚ୍ର ଚାରିଟି ଯାକ ଗୋଲ୍ ଦ୍ୱିତୀୟାର୍ଧରେ ଦେଖିବାକୁ ମିଳିଥିଲା।
ରୁଷିଆ ପ୍ରଥମେ ପ୍ରି-କ୍ୱାର୍ଟରରେ
/sambad/media/post_attachments/wp-content/uploads/2018/06/russia-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)