କଟକ: ଓଡ଼ିଶାର ପଣ୍ଡା ଭଗ୍ନୀ ଋତାପର୍ଣ୍ଣା ଓ ଶ୍ବେତାପର୍ଣ୍ଣା ଓଡ଼ିଶା ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ଏହି ପ୍ରତିଯୋଗିତାରେ ଗୁରୁବାର ମହିଳା ଯୁଗଳ ପ୍ରିକ୍ବାର୍ଟରଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ନିଜ ଦେଶର ସିମରନ୍ ସିଂହ ଓ ରିତିକା ଠାକରଙ୍କୁ ୨୧-୧୨, ୧୪-୨୧, ୨୧-୧୯ ପରାସ୍ତ କରିଛନ୍ତି। ଶୁକ୍ରବାର କ୍ବାର୍ଟରଫାଇନାଲ୍ରେ ଇଣ୍ଡୋନେସିଆ ଯୋଡ଼ି ଜେସିତା
ପୁତ୍ରୀ ମିଆଁଟୋରୋ ଓ ଫେବି ସେଟିଆନିଙ୍ଗ୍ରୁମ୍ଙ୍କ ସହିତ ପଣ୍ଡା ଭଉଣୀଙ୍କ ମୁକାବିଲା ହେବ। ଗୁରୁବାରର ପ୍ରମୁଖ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମହିଳା ଏକକରେ ଉନ୍ନତି ହୋଦା ୨୧-୧୮, ୨୧-୧୬ରେ ଅସ୍ମିତା ଚାଲିଆଙ୍କୁ ପରାସ୍ତ କରି କ୍ବାର୍ଟରଫାଇନାଲକୁ ପ୍ରବେଶ କରିଛନ୍ତି। ମହିଳା ଯୁଗଳରେ ଭାରତ ଅଶ୍ବିନୀ ପୋନ୍ନାପ୍ପା ଓ ତନିସା କ୍ରାଷ୍ଟୋ ୨୧-୧୩, ୨୧-୧୩ରେ ଅରୁଣ ବାଲା ରାଧାକ୍ରୀଷ୍ଣନ୍ ଓ ଭର୍ଷିନୀ ବିଶ୍ବନାଥଙ୍କୁ ପରାସ୍ତ କରି କ୍ବାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ମିଶ୍ରିତ ଯୁଗଳ କ୍ବାର୍ଟରଫାଇନାଲ୍ରେ ଦୁଇ ଭାରତୀୟ ଯୋଡ଼ି ତନିସା କ୍ରାଷ୍ଟୋ ଓ ଧ୍ରୁବ କପିଳ ଏବଂ ବି ସୁମିତ ରେଡ୍ଡୀ ଓ ଏନ୍ ସିକ୍କି ରେଡ୍ଡୀ ପହଞ୍ଚିଛନ୍ତି।
ପ୍ରିକ୍ବାର୍ଟରଫାଇନାଲ୍ରେ ତନିସା ଓ ଧ୍ରୁବ ୨୧-୧୬, ୨୧-୧୨ରେ ଇଣ୍ଡୋନେସିଆର ଆମ୍ରି ଓ ୱିନିଙ୍କୁ ଏବଂ ସିକ୍କି ଓ ସୁମିତ ୨୧-୧୪, ୧୭-୨୧, ୨୧-୧୪ରେ ଅଶ୍ବିନୀ ପୋନ୍ନାପ୍ପା ଓ ରୋହନ କାପୁରଙ୍କୁ ହରାଇଥିଲେ। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମିଶ୍ରିତ ଯୁଗଳରେ ଜର୍ମାନର ଜୋନ୍ସ ଓ ଥୁକ୍ ୨୧-୧୩, ୨୩-୨୧, ୮-୨୧ରେ ଭାରତର ନୀତିନ କୁମାର ଓ ନାବଧାଙ୍କୁ, ଇଣ୍ଡୋନେସିଆର ଆଦହାନ ଓ ନୀତା ୨୧-୧୧, ୨୧-୧୦ ଭାରତର ନାଜିର ଖାନ ଓ ଅରୁଣ ବାଳାଙ୍କୁ, ଇଣ୍ଡୋନେସିଆର ମାରୱାନ୍ ଓ ଜେସିକା ୨୧-୧୩, ୨୧-୧୬ ଭାରତର ସନ୍ତୋଷ ଓ ଜନାନୀଙ୍କୁ ଏବଂ ସିଙ୍ଗାପୁରର ହି ୟଙ୍ଗ୍ ତାନ ୱେଇ ୨୧-୧୦, ୨୧-୧୮ ଭାରତର ନିଥିନ୍ ଏଚ୍ଭି ଓ ରିଧି କୌର ଟୁରଙ୍କୁ ହରାଇଥିଲେ।, ମହିଳା ଏକକରେ ଅନୁପମା ଉପାଧ୍ୟାୟ ୨୧-୧୭, ୨୨-୨୦ ରେ ଶ୍ରୀୟାଂସୀଙ୍କୁ, ଚାଇନିଜ୍ ତାଇପେଇର ହୁଙ୍ଗ ଚିଙ୍ଗ୍ ପିଙ୍ଗ୍ ୨୧-୧୬, ୨୧-୧୦ ରେ ଭାରତ ଇମାଦ ଫାରକୁ ସାମିୟାଙ୍କୁ, ଡେନମାର୍କର ଲାଇନ୍ ଖ୍ରୀଷ୍ଟୋଫୋରେନ୍ ୨୧-୧୬, ୨୧-୧୪ରେ ଭାରତର ତନିମ ମିରଙ୍କୁ ପରାସ୍ତ କରିଥିଲେ। ପୁରଷ ଏକକରେ ଚିରାଗ ସେନ୍ ୨୧-୧୦, ୧୫-୨୧, ୨୧-୧୭ରେ ଡେନମାର୍କର ମାଡସ୍ ଖ୍ରୀଷ୍ଟୋଫୋରେନ୍ସଙ୍କୁ, ଆୟୁଷ ସେଠୀ ୧୪-୨୧, ୨୧-୧, ୨୧-୯ରେ ଇଣ୍ଡୋନେସିଆର ଟିଗୋରଙ୍କୁ, ସତୀଶ କୁମାର କରୁଣାକରନ୍ ୨୧-୧୭, ୨୧-୧୭ରେ ଇସ୍ରାଏଲର ଡାନିଏଲଙ୍କୁ, କିରଣ ଜର୍ଜ ୨୧-୧୪, ୨୧-୧୬ରେ ଇଣ୍ଡୋନେସିଆର ଇକ୍ୟୁବାଲଙ୍କୁ, ଇଣ୍ଡୋନେସିଆର ଅଲୱି ଫରହାନ ୨୧-୧୨, ୧୬-୨୧, ୨୧-୧୪ରେ ଆର୍ଯ୍ୟଙ୍କୁ, ମେଇରବା ୨୧-୧୯, ୧୦-୨୧, ୨୧-୧୪ରେ ଇଣ୍ଡୋନେସିଆର ୟୋହେନସଙ୍କୁ ହରାଇଛନ୍ତି।
ମହିଳା ଯୁଗଳରେ ଇଣ୍ଡୋନେସିଆର ସୋଫି ଓ ସିତି ୨୧-୮, ୨୧-୧୧ରେ ଭାରତର କ୍ରୀତିକା ଓ ଦିବ୍ୟାଙ୍କ ଯୋଡ଼ିକୁ, ହଙ୍ଗ୍ କଙ୍ଗ-ଚାଇନାର ଲୁଇ ଲକ୍ ଲକ୍ ଓ ଏନଜିଜ୍ ଉଇଙ୍ଗଙ୍କ ଯୋଡ଼ି ୨୧-୧୪, ୨୧-୧୯ରେ ଭାରତର ପ୍ରୀୟା ଓ ସୃତିଙ୍କ ଯୋଡ଼ିକୁ ଏବଂ ପୁରୁଷ ଯୁଗୁଳରେ କ୍ରୀଷ୍ଣା ପ୍ରସାଦ ଓ ସାଇ ପ୍ରତୀକଙ୍କ ଯୋଡ଼ି ୨୧-୧୧, ୨୧-୧୬ରେ ସଂଜଲ ଓ ସାଇଙ୍କ ଯୋଡ଼ିକୁ, ସୁରଜ ଓ ପୃଥ୍ବୀଙ୍କ ଯୋଡ଼ି ୨୧-୧୨, ୨୧-୧୫ରେ ଦୀପ ଓ ଅକ୍ଷାନଙ୍କ ଯୋଡ଼ିକୁ, ଡେନାମାର୍କର ଉଇଲିୟମ ଓ ଖ୍ରୀଷ୍ଟିୟାନ ୨୧-୯, ୨୧-୧୫ରେ ଭାରତର ବିମଲରାଜ ଓ ନବୀନଙ୍କୁ ପରାସ୍ତ କରିଥିଲେ।
ଓଡ଼ିଶା ମୋ ପାଇଁ ଭାଗ୍ୟଶାଳୀ: ଉନ୍ନତି
ଗତ ୨୦୨୨ ଓଡ଼ିଶା ଓପନ୍ (ଏବେ ଓଡ଼ିଶା ମାଷ୍ଟର୍ସ) ପ୍ରଥମ ସଂସ୍କରଣର ମହିଳା ଏକକ ବିଜେତା ଥିବା ଉନ୍ନତି ହୋଦାଙ୍କ ପାଇଁ ଓଡ଼ିଶା ସବୁବେଳେ ଭାଗ୍ୟଶାଳୀ ବୋଲି କହିଛନ୍ତି। ଗୁରୁବାର ମହିଳା ଏକକରେ କ୍ବାର୍ଟରଫାଇନାଲକୁ ପ୍ରବେଶ କରିବା ପରେ ସେ ଏଭଳି ମତ ରଖିଛନ୍ତି। ୧୬ ବର୍ଷୀୟା ଉନ୍ନତି କହିଛନ୍ତି, ଓଡ଼ିଶା ମାଷ୍ଟର୍ସ ତାଙ୍କୁ ସବୁ ବେଳେ ଭଲ ସୁଯୋଗ ଦେଇଛି। ସେ କେବେ ଏହାକୁ ଭୁଲି ପାରିବେନି। ଗତ ସଂସ୍କରଣରେ ବିଜୟୀ ହେବା ପରେ ତାହା ତାଙ୍କ ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବାର ସୁଯୋଗ ସୃଷ୍ଟି କରିଥିଲା। ଓଡ଼ିଶାକୁ ପୁନର୍ବାର ଫେରିବା ଓ ମ୍ୟାଚ୍ ଖେଳିବା ତାଙ୍କୁ ଖୁସି ଆଣି ଦେଇଛି। ଉନ୍ନତି ଏବେ ବିଶ୍ବ ମାନ୍ୟତାର ୬୭ତମ ସ୍ଥାନରେ ରହିଛନ୍ତି। ଏଥି ସହିତ ଓଡ଼ିଶାର ଆୟୋଜନ ସହିତ ଖେଳାଳିମାନଙ୍କୁ ଦିଆଯାଉଥିବା ଆତିଥ୍ୟ ଓ ସୁବିଧା ସୁଯୋଗକୁ ପ୍ରଶଂସା କରିଛନ୍ତି। ବିଶ୍ବସ୍ତରୀୟ ବ୍ୟାଡ୍ମିଣ୍ଟନ କୋର୍ଟ ମଧ୍ୟ ପ୍ରଶଂସାଯୋଗ୍ୟ ବୋଲି କହିଛନ୍ତି।